ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ଉଦ୍‍ଯାପିତ

ବଲାଙ୍ଗିର: ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବ(ଏଲ୍‍ଏଣ୍ଡଏସ୍‍) ଠାରେ ଶନିବାର ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ଉଦ୍‍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମ ଶରଣ ହୋତା ଯୋଗଦେଇ ସେବା ମାଧ୍ୟମରେ ହିଁ ନୈତିକତାର ବିିକାଶ ହେବା ସହିତ ସୁସ୍ଥ ସମାଜ ଗଠନ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ତୁଳସୀ ଜୈନ ଯୋଗଦେଇ ବୃଦ୍ଧ ପିତାମାତାଙ୍କ ଓ ଦୁଃସ୍ଥ ଜନଙ୍କ ସେବା ହିଁ ମଣିଷକୁ ସାଧାରଣ ମାନବରୁ ମହାମାନବ କରି ଗଢି ତୋଳିବା ସହିତ ଆତ୍ମ ଦର୍ଶନ କରି ଥାଏ ବୋଲି ବ୍ୟକ୍ତ କରିଥିଲେ। ସଭା ଆରମ୍ଭରେ କସ୍ତୁରୀ ରଥ ଅତିଥି ପରିଚୟ କରିଥିବା ବେଳେ ଜ୍ୟୋତିରାଣୀ ମିଶ୍ର ବେଦ ପାଠ କରିଥିଲେ। ସୁଶ୍ରୀ ସଂପୂର୍ଣ୍ଣା ଅବସ୍ତି ସ୍ୱାଗତ ସଂଗୀତ ଗାନ କରିଥିଲେ।

ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ‘ପରହିତେ ପ୍ରଭାକର’ ଉନ୍ମୋଚିତ ହୋଇଥିଲା। ନିଷ୍ଠାପର ସେବା ପାଇଁ ଅନିଲ କୁମାର ନନ୍ଦଙ୍କୁ ପ୍ରଭାକର ରଥ ସ୍ମୃତି ସମ୍ମାନ ଏବଂ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ମଧ୍ୟବର୍ତ୍ତିତାରେ ସମ୍ମାନିତ କରାଯାଇଥିଲା। ଏହା ଛଡା ବିଶିଷ୍ଟ ନାଗରିକ ସମ୍ମାନରେ ଚୈତନ୍ୟ ଦାସ ଠାକୁର(ମରୋଣତ୍ତର), ନରସିଂହ ପ୍ରସାଦ ଗୁରୁ, ପ୍ରାଣବନ୍ଧୁ ନାୟକ, ସୌ÷ଦାମିନୀ ଉଦ୍‍ଗାତା, ଡା.ଜ୍ୟୋସ୍ନାମୟୀ ମହାପାତ୍ର, ଡ. ଘାସିରାମ ମିଶ୍ର, ସତ୍ୟବନ୍ତ ବେଦବାକ୍‍, ନିଳମଣି ମିଶ୍ର, ବିକ୍ରମାନନ୍ଦ ବହିଦାର ଓ ଜଗଦାନନ୍ଦ ଛୁରିଆଙ୍କୁ ସମ୍ମାନିତ କରାଯାଇଥିଲା। ଶତ ବାର୍ଷିକୀ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମଦନ ମୋହନ ରଥ ଓ ତାଙ୍କ ଧର୍ମପତ୍ନୀ ସଂଜୁଲତା ମିଶ୍ରଙ୍କୁ ଆଦ୍ୟାଶକ୍ତି ନାରୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଜୟରାମ ମିଶ୍ର ଓ ସଂପାଦକ ମଧୁ ସାହୁଙ୍କ ଶତ ବାର୍ଷିକୀ କାର୍ଯ୍ୟକ୍ରମକୁ ସମର୍ପିତ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ରତ୍ନମୟ ତ୍ରିପାଠୀ, ଚୁଡେନ୍ଦ୍ର କୁମାର ବେହେରା, ଅରୁଣ ଖୁଆସ, ହୃଷିକେଶ ପୁରୋହିତ, ଦୁର୍ଗା ଚରଣ ସାହୁ, କେଶବ ମିଶ୍ର, ଡା.ଅଶୋକ କୁମାର ସେଠୀ, ଶୁଭେନ୍ଦ୍ର ନେପାକ, ଧିରେନ୍ଦ୍ର ନାରାୟଣ ସିଂଦେଓ ଓ ଆଦ୍ୟାଶକ୍ତି ନାରୀ ସଂଗଠନର ସମସ୍ତ କର୍ମକର୍ତ୍ତା। ଶେଷରେ ଆବାହକ ମଦନ ମୋହନ ରଥ ଧନ୍ୟବାଦ ଦେଇଥିଲେ।

Comments are closed.