ବୈଷୟିକ ଶିକ୍ଷାର ବିନିମୟ ପାଇଁ ଉଦ୍ୟମ; ଡିଏଭି ଓ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣା

ବଲାଙ୍ଗିର: ଡିଏଭି ସ୍ଵଂୟଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ ଓ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ, ବଲାଙ୍ଗିର ମଧ୍ୟରେ ଉଚ୍ଚଶିକ୍ଷାର ଆଦାନ ପ୍ରଦାନ ତଥା ବୈଷୟିକ ଶିକ୍ଷାର ବିନିମୟ ପାଇଁ ବୁଝାମଣା ପତ୍ର(ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଡିିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ଡ.ମଧୁସୂଦନ ମିଶ୍ର ଓ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଆଞ୍ଚଳିିକ ନର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଆଜି ବଲାଙ୍ଗିରରେ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଉଭୟ ଶିକ୍ଷାନୁଷ୍ଠାନ ପାଇଁ ଏହା ଶିକ୍ଷା ତଥା ଗବେଷଣା ପାଇଁ ସହଯୋଗୀ ହେବା ସହିତ ନାକ୍ ମାନ୍ୟତା ପାଇଁ ମଧ୍ୟ ସହଯୋଗୀ ହେବ ବୋଲି ଉଭୟ ପକ୍ଷରୁ କୁହାଯାଇଛି। ଏହି ବୁଝାମଣା ପତ୍ର ଯୋଗୁଁ ଡିଏଭି କଲେଜ ଟିଟିଲାଗଡ଼ର ଅଧ୍ୟାପକ ସାମୟିକ ଭାବରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ଓ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ସାମୟିକ ଭାବରେ ଡିଏଭି କଲେଜରେ କ୍ଲାସ ନେଇ ପାରିବେ। ସେହିପରି ଛାତ୍ରଛାତ୍ରୀମାନେ ମଧ୍ୟ ଉଭୟ ଶିକ୍ଷାନୁଷ୍ଠନରୁ ସାମୟିକ ଭାବେ ଶିକ୍ଷା ଗ୍ରହଣ କରିପାରିବେ। ଅଣଶିକ୍ଷକ କର୍ମଚାରୀ, ଅଫିସ୍ ଷ୍ଟାଫ୍ ମଧ୍ୟ ଅଫିସ୍ ପରଚାଳନା ବାବଦରେ ଶିକ୍ଷା ପାଇ ଉପକୃତ ହେବେ। ଡିଏଭି କଲେଜ୍ ଇଂରାଜୀ ଏବଂ ଓଡ଼ିଆ ଭାଷା ଉପରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ଶିକ୍ଷା ଯୋଗାଇବା ବେଳେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ବୈଷୟିକ ଶିକ୍ଷା ଉପରେ ଡିଏଭି କଲେଜକୁ ଶିକ୍ଷା ଯୋଗାଇବ। ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ସମୟରେ ଡିଏଭି କଲେଜ, ଟିଟିଲାଗଡ଼ ପକ୍ଷରୁ ପ୍ରାଧ୍ୟାପକ ଡ.ଉମେଶ ଚନ୍ଦ୍ର ସାହୁ, ପ୍ରାଧ୍ୟାପକ ଡ.ରମାକାନ୍ତ ବେହେରା, ଅଧ୍ୟାପକ ଜୟଦେବ କର ଉପସ୍ଥିତ ଥିବା ବେଳେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ପଦ୍ମନାଭ ମିଶ୍ର, ଅଧ୍ୟାପକ ଡ.ଜୟକୃଷ୍ଣ ମେହେର ଉପସ୍ଥିତ ଥିଲେ। ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।

Comments are closed.