କାମ ହେଇନି, ଉଠାଯାଇଛି ଟଙ୍କା, ବଲାଙ୍ଗିରରେ ମନରେଗାରେ ୪୮ଲକ୍ଷ ଟଙ୍କାର ଅନିୟମିତତା

ବଲାଙ୍ଗିର: ବଲାଙ୍ଗିର ଜିଲାରେ ମାହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସବୁବେଳେ ଆଗରେ। ଏଥିପାଇଁ ପୁରସ୍କାର ବି ମିଳିଛି। କିନ୍ତୁ ଏହି ଯୋଜନା ନାଁରେ ୪୮ ଲକ୍ଷ ୪୬ ହଜାର ୧୩୫ ଟଙ୍କାର ଅନିୟମିତତା ହୋଇଥିବା ସାମାଜିକ ସମୀକ୍ଷା (ମନରେଗା) ରିପୋର୍ଟରୁ ଜଣାପଡିଛି। ଏହି ଅର୍ଥ ଭରଣା ସହ ଅନିୟମିତତା ନେଇ କୌଣସି ମନ୍ତବ୍ୟ ଥିଲେ ତାହା ଜଣାଇବାକୁ ଚିଠି କରାଯାଇଛି ବଲାଙ୍ଗିର ଜିଲାପାଳଙ୍କୁ। ଆଉ ଜିଲାର ପୂର୍ବ ଜିଲାପାଳ ଆଉ ଏବେ ସ୍ୱତନ୍ତ୍ର ପ୍ରକଳ୍ପ ଅଧିକାରୀ ଥିବା ଅରିନ୍ଦମ ଡାକୁଆ ଗତ ଜାନୁଆରି ମାସରେ ଏହି ଚିଠି କରିଛନ୍ତି। ଜିଲାର ବହୁ ପଛୁଆ ତଥା ମାଓ ପ୍ରବଣ ଅଞ୍ଚଳରେ କୌଣସି କାମ କରା ନଯାଇ ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଯାହାକି ସିଧାସଳଖ ମନରେଗାରେ ଦୁର୍ନୀତିକୁ ଇଙ୍ଗିତ କରୁଛି।

ଗତ ଜାନୁଆରି ୧୧ତାରିଖରେ ନିର୍ଦ୍ଦେଶକ ଶ୍ରୀ ଡାକୁଆ ବଲାଙ୍ଗିର ଜିଲାପାଳଙ୍କ ଉଦ୍ଦେଶ୍ୟରେ ୫୭୬ ନମ୍ବର ଚିଠି ଜରିଆରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ସାମାଜିକ ସମୀକ୍ଷା କରାଯାଇ ୮୭ଟି ଅନିୟମିତତା ମାମଲା ସାମ୍ନାକୁ ଆସିଛି। ଆଉ ଏହି ଅନିୟମିତତାର ପରିମାଣ ୪୮ଲକ୍ଷ ୪୬ହଜାର ୧୩୫ ଦର୍ଶାଇଛନ୍ତି। ଏଥିସହିତ ବ୍ଲକ, ପଞ୍ଚାୟତ ଅନୁସାରେ କେଉଁଠି କେତେ ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି ତାହା ଦର୍ଶାଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତରେ ୧୧ଲକ୍ଷ ୨୪ହଜାର ୮୮୩ ଟଙ୍କା, ଦେଓଗାଁ ବ୍ଲକର ଧଣ୍ଡାମାଲା ପଞ୍ଚାୟତରେ ୨ଲକ୍ଷ ୬୫ହଜାର ୨୦୩ ଟଙ୍କା, ସେହିପରି ଗାଈବାହାଲ ପଞ୍ଚାୟତରେ ୧ଲ୩ ୯୧ହଜାର ୮୪୦ ଟଙ୍କା, ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ପଞ୍ଚାୟତରେ ୭ଲକ୍ଷ ଟଙ୍କା, ଲୋଇସିଂହା ବ୍ଲକ ଝାରମୁଣ୍ଡାରେ ୨ଲକ୍ଷ ୧୫ହଜାର ୬୮୯ ଟଙ୍କା। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ଦେଓଗାଁ ବ୍ଲକ ବନ୍ଧପଡ଼ାରେ ୩ଲକ୍ଷ ୭୩ହଜାର ୩ଶହ ଟଙ୍କା, ଖପ୍ରାଖୋଲ ବ୍ଲକ ମାଓ ପ୍ରବଣ ଟଙ୍କପାଣିରେ ୧୪ ଲକ୍ଷ ୨୭ହଜାର ୮ଶହ ଟଙ୍କା, ୨୦୧୯-୨୦ ଆର୍ଥିକ ବର୍ଷରେ ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତରେ ୭୦ହଜାର ୨୭୬ ଟଙ୍କାର ବଡ ଧରଣର ଆର୍ଥିକ ଅନିୟମିତା ରହିଥିବା ଦର୍ଶାଯାଇଛି। ଲକ୍ଷାଧିକ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ବେଳେ ସାମାଜିକ ସମୀକ୍ଷା ଟିମ୍‍ର ତଥ୍ୟ ଅନୁସାରେ ଟିଟିଲାଗଡ ଦିଗଶିରା ପଞ୍ଚାୟତରେ ୨୦୧୮-୧୯ରେ ୧୭୬ ଟଙ୍କା, ୨୦୧୭-୧୮ରେ ଆଗଲପୁର ପଟୁଆପାଲି ଓ ରିନବଚନ ପଞ୍ଚାୟତରେ ୧୭୬ ଟଙ୍କା ଲେଖାଏଁ ଅନିୟମିତତା ରହିଥିବା ଜଣାପଡିଛି।

ଗୁହାଳ ନିର୍ମାଣ, ବନିକରଣ ନାଁରେ ଏଭଳି ଭାବେ ଲକ୍ଷାଧିକ ଟଙ୍କାର ଆର୍ଥିକ ଅନିୟମିତତା କରାଯାଇଥିବା ବେଳେ ଜାନୁଆରି ୨୯ ତାରିଖ ମଧ୍ୟରେ ଆର୍ଥିକ ଅନିୟମିତତା ଅର୍ଥ ଭରଣା, କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସଂପର୍କରେ ତଥ୍ୟ ଦେବାକୁ ନିର୍ଦ୍ଦେଶକ ଶ୍ରୀ ଡାକୁଆ ଉଲ୍ଲେଖ କରିଛନ୍ତି। ତେବେ ଲକ୍ଷ ଲକ୍ଷ ଟଙ୍କାର ଅନିୟମିତତା ସଂପର୍କରେ କେହି ଜାଣି ପାରିଲେ ନାହିଁ କେମିତି? ଗୋଟିଏ ଗୋଟିଏ ସ୍ଥାନରେ ବିନା ବୃକ୍ଷ ରୋପଣରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦିଆଯାଇଥିବା ସାମାଜିକ ସମୀକ୍ଷା ରିପୋର୍ଟରୁ ତଥ୍ୟ ମିଳୁଛି। ଥରେ କି ଦି’ ଥର ନୁହେଁ, ଗଛ ଲଗାଇବା ନାଁରେ ଅନେକ ଥର ସେହି ଗୋଟିଏ ପ୍ରକଳ୍ପ ନାଁରେ ଅର୍ଥ ଖର୍ଚ୍ଚ କରାଯାଇଥିବା ଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଗୁହାଳ ନିର୍ମାଣ କରାଯାଇଥିବା କୁହାଯାଉଥିବା ବେଳେ ଗୁହାଳର ଚିହ୍ନବର୍ଣ୍ଣ ନାହିଁ। ଯାହାକୁ ନେଇ ଏବେ ଜିଲାରେ ବଡଧରଣର ମନରେଗା ଆର୍ଥିକ ଅନିୟମିତତା ପଦାକୁ ଆସିଛି।

Comments are closed.