ଫର୍ଣ୍ଣିଚର ଦୋକାନରେ ବନବିଭାଗର ଚଢ଼ାଉ ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ, ୬ ଗିରଫ

ଲାଠୋର : ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକର ଲାଠୋର ଠାରେ ଦିର୍ଘ ବର୍ଷରୁ ବେଆଇନ ଭାବେ ଚାଲୁଥିବା କରତ କଳ ଓ ଏକ ଫର୍ଣ୍ଣିଚର ଦୋକାନ ଉପରେ ଶନିବାର ବନବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ, ଯନ୍ତ୍ରପାତି ଜବତ କରିବା ସହ ମାଲିକ ଓ କାଠ ମିସ୍ତ୍ରୀଙ୍କୁ ଗରିଫ କରିଥିବା ଜଣାପଡିଛି।

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ କୌଣସି ବିଶେଷ ସୂତ୍ରକୁ ଖବର ପାଇ ବଲାଙ୍ଗିର ଡିଏଫଓ ସୁମିର କୁମାର ଶତପଥୀ ଶନିବାର  ଲାଠୋର ଗ୍ରାମରେ ଥିବା ଫର୍ଣ୍ଣିଚର ଦୋକାନ ସହ ଘରେ ଥିବା କରତକଳକୁ ତଲାସି କରିଥିଲେ । ସାଗୁଆନ କାଠରେ ତିଆରି ସାମଗ୍ରୀ ପଲଙ୍କ, ସୋଫା, କବାଟ ଏବଂ ଅର୍ଦ୍ଧନିର୍ମିତ କାଠ ସାମଗ୍ରୀ ବ୍ୟତୀତ ସାଗୁଆନ କାଠ ଗଣ୍ଡି, ପଟା, ସିମୁଲି ଗଣ୍ଡି, କେନ୍ଦୁ କାଠ ଯାହାର ଓଡିଶା ବାହାରେ ଅଧିକ ଚାହିଦା ଅଛି । ତାକୁ ବେଆଇନ ଭାବରେ ଗଚ୍ଛିତ କରି ରଖିଥିବା ସହ ସାମଗ୍ରୀ ତିଆରି ପାଇଁ ବ୍ୟବହୃତ ବିଭିନ୍ନ ଯନ୍ତ୍ର ଏବଂ କାଠ କଟା ଯନ୍ତ୍ରକୁ ମଧ୍ୟ ଜବତ କରାଯାଇଛି । ଯାହାର ସରକାରୀ ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଡିଏଫଓ ପ୍ରକାଶ କରିଛନ୍ତି । ଜବତ ହୋଇଥିବା ସମସ୍ତ ସାମଗ୍ରୀକୁ ଟ୍ରାକ୍ଟର ଯୋଗେ ଲାଠୋର ବନ କାର୍ଯ୍ୟାଳୟକୁ ନିଆଯାଇଥିଲା । ଓଏଫଏ ୧୯୭୨ ସେକ୍‍ସନ ୨୭, ଓଡିଶା ଟିଟି ୧୯୮୦, ୪/୨୧ ମୁତାବକ ଅନୁମତି ନେଇ ସାମଗ୍ରୀ ନିର୍ମାଣ କରିବା କଥା କିନ୍ତୁ ତାହା ନଥିବା ହେତୁ କରତକଳର ମାଲିକ ପବନ ଶର୍ମା ଓ ମୁକେଶ ଶର୍ମାଙ୍କ ସହିତ କାଠ ମିସ୍ତ୍ରୀ ତୁଖାରାମ ନାଗ, କୃଷ୍ଣ ପାତ୍ର, କୈଳାସ ପୁଟେଲ, ହାଲିଫ ଘୋଷିଙ୍କୁ ଗିରଫ କରାଯାଇଛି। ଏହି କ୍ରମରେ ଓଆର ନଂ ୪୭ ଅଫ ୨୦୧୯-୨୦, ଏଫଆଇଆର ନଂ ୦୦୨୪୫୬୦/୯୪୭, ତା.୮/୬/୧୯ ରେ ମାମଲା ରୁଜୁ କରି ଗିରଫ କରାଯାଇଛି।

ଏହି ଚଢ଼ାଉରେ ବଲାଙ୍ଗିର ଏସିଏଫ ବାବାଜି ଚରଣ ରାଉଳ, ଲାଠୋର ରେଞ୍ଜର ଦେବଦତ୍ତ ସୁତାର, ବଲାଙ୍ଗିର ରେଞ୍ଜ ଷ୍ଟାଫ, ମୋବାଇଲ ଷ୍ଟାଫ, ଫରେଷ୍ଟର ସୁନିଲ ମିଶ୍ର, ଚିତ୍ତରଞ୍ଜନ ଖମାରୀ, ସାଗରିକା ସେଠ, ବ୍ୟାସଦେବ ସାହୁ, ଦେବଦତ୍ତ ବେହେରା, ଗାର୍ଡ ଅଶୋକ ସେଠ, ଭାରତି ଜାନି, ଚନ୍ଦ୍ରକାନ୍ତି ଖମାରି, କଣ୍ଟାବାଞ୍ଜି ଫରେଷ୍ଟର ହିମାଂଶୁ ପଣ୍ଡା, ଲାଠୋର ଫରେଷ୍ଟର ନବକିଶୋର ଦାଶ, ସମିର ରଞ୍ଜନ ପାତ୍ର, ଗାର୍ଡ ଆଦିତ୍ୟ ପ୍ରସାଦ ମାଝି, ଏସ.କେ ପଧାନଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

Comments are closed.