ସରକାରୀ ବାବୁ ବନାମ ରାଜନେତା ; ରାଜ୍ୟରେ ବଦନାମ ବଲାଙ୍ଗିର, ଏବେବି ତାଜା ଅନେକ ଘଟଣା

-ବିଡିଓଙ୍କୁ ଅପହରଣ,-ଯନ୍ତ୍ରୀଙ୍କୁ ଉଠବସ,-ତତ୍କାଳୀନ ଉପଜିଲାପାଳଙ୍କୁ ଚପଲ ମାଡ 

ବଲାଙ୍ଗିର : ରାଜ୍ୟ ରାଜନୀତି ତଥା ପ୍ରଶାସନିକସ୍ତରରେ ଏବେ ଚର୍ଚ୍ଚିତ ବିଷୟ ହୋଇରହିଛି ସରକାରୀ ଯନ୍ତ୍ରୀଙ୍କୁ ବିଧାୟକଙ୍କ ଉଠବସ ଘଟଣା । ବଲାଙ୍ଗିର ଜିଲା ପ୍ରଶାସନକୁ ଏହି ଘଟଣା ଅଡୁଆରେ ପକାଇଥିବା ବେଳେ ଏହି ଘଟଣା ଏବେ ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି । ତେବେ ସରକାରୀ ବାବୁ ମାନଙ୍କୁ ବିଚ୍ ବଜାରରେ ଆକ୍ରମଣ, ଅପହରଣ ଭଳି ସଙ୍ଗୀନ ଘଟଣା ବଲାଙ୍ଗିର ଜିଲା ପାଇଁ କିଛି ନୁଅଁ ନୁହଁ । ସରକାରୀ ଯନ୍ତ୍ରୀଙ୍କୁ ବିଧାୟକ ଉଠବସ କରିବା ଘଟଣା ପୂର୍ବରୁ ଗତ କିଛି ମାସ ପୂର୍ବରୁ ପୁଇଁନ୍ତଲା ବିଡିଓଙ୍କୁ ବ୍ଲକ ଉପାଧ୍ୟକ୍ଷ ସ୍ପଷ୍ଟ ଦିବାଲୋକରେ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ସେହିପରି ଗତ ୨୦୧୬ ମସିହାରେ ବ୍ୟକ୍ତିଗତ କାରଣରୁ ତତ୍କାଳୀନ ଟିଟିଲାଗଡ ଉପଜିଲାପାଳଙ୍କୁ ତାଙ୍କ ସରକାରୀ ଅଫିସରେ ଜନୈକ ଠିକାଦାର ଚପଲରେ ମାଡ ମାରିଥିବା ଘଟଣା ସାମ୍ନାକୁ ଆସିଥିଲା। ଗତ ବର୍ଷ କିଛି ଦୁର୍ବୁର୍ତ୍ତ ରେଳବାଇ ପୁଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରାୟ ସମସ୍ତ ଘଟଣାରେ ଜିଲାପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ପ୍ରାୟ ସମସ୍ତ ଘଟଣାରେ ରାଜନୈତିକ ଚାପ କିମ୍ବା ସରକାରୀ ଚାପର ବଶବର୍ତ୍ତୀ ହୋଇ ଘଟଣାକୁ ଚପାଇଦେବାରେ ପ୍ରଶାସନ ସଫଳ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ନିମ୍ନମାନର କାମକୁ ନେଇ ଗତ ୬ ତାରିଖରେ ପାଟଣାଗଡ ବିଧାୟକ ସରୋଜ ମେହେର ପୁର୍ତ୍ତ ବିଭାଗ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ କରିବା ଭଳି ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣାରେ ବିଧାୟକଙ୍କ ଏହିଭଳି ପଦକ୍ଷେପକୁ ବିଭୀନ୍ନ ମହଳରେ ନିନ୍ଦା କରାଯାଇଥିଲା । ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାରେ ବିଧାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେବାରେ ଲାଗିଛି । ତେବେ ଏହି ଘଟଣା ପରେ ପିଡିତ ଯନ୍ତ୍ରୀଙ୍କ ବୟାନ ଏହାକୁ ଆହୁରି ଚର୍ଚ୍ଚିତ କରିଛି । କେବଳ ବିଧାୟକଙ୍କ ନିର୍ଦ୍ଦେଶରେ ଉଠବସ ନୁହଁ ତାଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ମଧ୍ୟ ଯନ୍ତ୍ରୀଙ୍କୁ ମାଡ ମାରିଥିବା ସ୍ପଷ୍ଟ ହୋଇଥିବା ସୂଚନା ମିଲିଛି । ଏହି ଘଟଣା ଏବେ ଉଭୟ ପ୍ରଶାସନିକ ଓ ରାଜନୈତିକ ମହଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଯନ୍ତ୍ରୀଙ୍କ ସମର୍ଥନରେ ଏବେ ଅନେକ ସରକାରୀ ଅଧିକାରୀ ସାମ୍ନାକୁ ଆସିବାରେ ଲାଗିଛନ୍ତି। ଏହି ଘଟଣା ପୂର୍ବରୁ ଗତ ମାର୍ଚ୍ଚ ତାରିଖରେ ସ୍ପଷ୍ଟ ଦିବାଲୋକରେ ପୁଇଁନ୍ତଲା ବିଡିଓ ସରୋଜ ମେହେରଙ୍କୁ କିଛି ଯୁବକ ଆସି ଅପହରଣ କରିନେଇଥିଲେ। ଏହି ଘଟଣାରେ ଖୋଦ ବ୍ଲକ ଉପଧ୍ୟକ୍ଷ ସାମିଲ ଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ବିଡିଓଙ୍କୁ ଦୁର୍ବୁତ୍ତ ମାନେ ବଲାଙ୍ଗିରରେ ଛାଡି ଚାଲିଯାଇଥିବା ବେଳେ ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ରାଜନୀତିକୁ ଚର୍ଚ୍ଚିତ କରିଥିଲା । ତେବେ ରାଜନୈତିକ ଚାପ ହେଉ କିମ୍ବା ପ୍ରଶାସନିକ ଚାପ ଯୋଗୁ ଏହି ଘଟଣାର ତଦନ୍ତ ଆଗକୁ ବଢୁପାରିନଥିଲା । ଏହି ଘଟଣାରେ କିଛି ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଏହାର ତଦନ୍ତ ମଧ୍ୟ ବାଟବଣା ହୋଇଥିଲା । ସେହିଭଳି ମୁଣ୍ଡିଆଳ ସରକାରୀ ବାବୁ ମାନଙ୍କୁ ଏହିଭଳି ମାନସିକ, ଶାରୀରିକ ନିର୍ଯ୍ୟାତନା ଦେବା ଭଳି ଘଟଣା ବଲାଙ୍ଗିର ଜିଲାର ନାମକୁ ରାଜ୍ୟରେ ବଦନାମ କରିଛି । ଗତ ୨୦୧୬ ଜୁଳାଇ ୧୮ ତାରିଖରେ ତତ୍କକାଳୀନ ଟିଟିଲାଗଡ ଉପଜିଲାପାଳ କୈଳାସ ଚନ୍ଦ୍ର ସାହୁଙ୍କୁ ଠିକାଦାର କବି ସ୍ୱାଇଁ ଅଫିସ ଭିତରେ ଚପଳରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ବ୍ୟକ୍ତିଗତ କାରଣରୁ ଏହି ଆକ୍ରମଣ ଘଟଣା ମଧ୍ୟ ରାଜନୈତିକ ଚାପ ହେଉ କି ପ୍ରଶାସନିକ ତୃଟି ଯୋଗୁ ଏହି ଘଟଣାକୁ ମଧ୍ୟ ଦବାଇ ଦିଆଯାଇଥିଲା । କେବଳ ମୁଣ୍ଡିଆଳ ବାବୁ ନୁହଁନ୍ତି ଏହିଭଳି ମାନସିକ କିମ୍ବା ଶାରିରୀକ ନିର୍ଯ୍ୟାତନାର ଶୀକାର ଅନେକ ସରକାରୀ ବାବୁ ମାନଙ୍କୁ ହେବାକୁ ପଡୁଥିବା ଅଭିଯୋଗ ହୋଇଥାଏ । ପ୍ରାୟତଃ ଘଟଣାରେ ରାଜନୈତିକ ପୃଷ୍ଠପୋଷକତା ରଖୁଥିବା ରାଜନୈତିକ ବ୍ୟକ୍ତି ମାନଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଥାଏ । କିନ୍ତୁ ଏହି ଘଟଣା କେତେକାଂଶରେ ରାଜନୈତିକ ହସ୍ତକ୍ଷେପ ଯୋଗୁ ଶୀଥିଲ ହୋଇପଡୁଥିବା ବେଳେ ବିଭିନ୍ନ ସମୟରେ ସରକାରୀ ବାବୁ ମାନଙ୍କ ଭୁଲ ଯୋଗୁ ଏହି ଘଟଣାର ଆପୋଷ ସମାଧାନ କରାଯାଉଥିବା ଅଭିଯୋଗ ହୋଇଥାଏ। ଯନ୍ତ୍ରୀ ଠାରୁ ଆରମ୍ଭ କରି ଉପଜିଲାପାଳ ଏହିଭଳି ଘଟଣା ସାମ୍ନା କରିସାରିଥିବା ବେଳେ ଜିଲାପାଳ ଓ ଏସପି ଆଉ କେତେ ଦୂର ବୋଲି ଏବେ ଆଲୋଚନା ଆରମ୍ଭ ହୋଇଛି । ଏହି ପରିସ୍ଥିତିରେ ଜିଲା ପ୍ରଶାସନର ଛବି ରାଜ୍ୟରେ ବଦନାମ ହେଉଥିବା ମଧ୍ୟ ଆଲୋଚନା ହେଉଛି ।

Comments are closed.