ପାଣି ଉପରେ ଜରୁରୀ ଅବତରଣ କଲା ୭୩୭ ପଣ୍ୟବାହୀ ବିମାନ

ହନଲୁଲୁ: ଏକ ବୋଇଂ ୭୩୭ ପଣ୍ୟବାହୀ ବିମାନ ଶୁକ୍ରବାର ଦିନ ଏଠାରେ ପାଣି ଉପରେ ଜରୁରୀକାଳୀନ ଅବତରଣ କରିଛି । ବିମାନରେ ଦୁଇଜଣ ପାଇଲଟ କେବଳ ରହିଥିଲେ । ବିମାନର ଇଞ୍ଜିନରେ ତ୍ରୁଟି ପରିଲକ୍ଷିତ ହେବାପରେ ପାଇଲଟ ତାହାକୁ ପାଣି ଉପରେ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ ବୋଲି ସଂଘୀୟ ବିମାନ ଚଳାଚଳ ପ୍ରଶାସନ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି ଯେ ବିମାନଟି ପାଣି ଉପରେ ଅବତରଣ କରିବା ପରେ ଦୁଇଜଣଯାକ ପାଇଲଟ ଆହତ ହୋଇଥିଲେ । ଜଣଙ୍କର ସ୍ଥିତି ଗମ୍ଭୀର ଥିବାବେଳେ ଅନ୍ୟଜଣେ ଅତି ଗୁରୁତର ରହିଛନ୍ତି । ଏହି ଟ୍ରାନ୍ସଏୟାର ୮୧୦ ବିମାନଟି ହନଲୁଲୁରୁ ମାଉଇସ୍ଥିତ ମୁଖ୍ୟ ବିମାନ ବନ୍ଦର କାହୁଲୁଇକୁ ଯିବାର ଥିଲା ।
ବିମାନ ଇଞ୍ଜିନରେ ତ୍ରୁଟି ପରିଲକ୍ଷିତ ହେବାପରେ ପାଇଲଟ ତାହାକୁ ହନଲୁଲୁକୁ ଫେରାଇ ଆଣିବା ପ୍ରୟାସ କରିଥିଲେ । ତେବେ ସ୍ଥାନୀୟ ସମୟ ପ୍ରାୟ ୧.୩୦ରେ ତାହାକୁ ପାଣି ଉପରେ ଜରୁରୀ ଅବତରଣ କରାଇବାକୁ ପଡିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ ବିମାନଟି ପାଣିରେ ଖସିପଡିବା ପରେ ଆମେରିକାର ତଟରକ୍ଷୀ ବାହିନୀ ଓ ଅଗ୍ନିଶମ ବିଭାଗର ଦୁଇଟି ହେଲିକପ୍ଟର ଦୁଇ ପାଇଲଟଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ଚିକିତ୍ସା ନିମନ୍ତେ ହନଲୁଲୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉକ୍ତ ବିମାନଟି ପ୍ରାୟ ୩୩ ବର୍ଷ ପୁରାତନ ବୋଲି ଜାଣିବାକୁ ମିଳିଛି ।

Comments are closed.