ବିଏମସି ଦ୍ୱାରା ବଳପୂର୍ବକ ଆଦାୟ କରାଯାଉଥିବା ହୋଲଡିଂ ଟ୍ୟାକ୍ସ ବେଆଇନ : ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର :  ଭୁବନେଶ୍ୱର ମହାନଗର ନିଗମ ଏବେ ଭୁବନେଶ୍ୱର ସହରାଞ୍ଚଳରେ ବସବାସ କରୁଥିବା ଘର ମାଲିକ ମାନଙ୍କ ପାଖରୁ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି। ତାହା ସଂପୂର୍ଣ୍ଣଭାବେ ବେଆଇନ ଏବଂ ମହାନଗର ନିଗମ ଅଧିକାରୀ ମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତ୍ତି। ଏହି ନିଷ୍ପତି ସ୍ପଷ୍ଟ ଭାବରେ ଓଡ଼ିଶା ମ୍ୟୁନିସ୍‌ପାଲ ଆଇନ -୨୦୦୩ର ବିଭିନ୍ନ ନିୟମାବଳିକୁ ଉଲଙ୍ଘନ କରୁଛି । ମୁଷ୍ଟିମେୟ ଅଣଓଡ଼ିଆ ବାବୁ ମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତ୍ତି ଯୋଗୁଁ ଆଜି ଏପରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆହୁତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ ଯେ ଏହି ନିଷ୍ପତ୍ତି ବଳ ପୂର୍ବକ ଭୁବନେଶ୍ୱର ବାସିନ୍ଦାଙ୍କ ଉପରେ ଲଦି ଦିଆଯାଇଛି। ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଥିଲା ଏବେ ସେହି ହୋଲଡିଂ ଟ୍ୟାକ୍ସରେ ୧୦ ରୁ ୨୦ ଗୁଣା ବୃଦ୍ଧି ଘଟିଛି । ଏଭଳି ବୃଦ୍ଧି ଘଟିବାର କାରଣ ହେଉଛି କିଛି ଅଣଓଡ଼ିଆ ସରକାରୀ ବାବୁ ମାନଙ୍କର ବେପାରୁଆ ମନୋଭାବ ଏବଂ ଆଇନକୁ କଣଠେସା କରି ନିଷ୍ପତ୍ତି ଲାଗୁ କରିବା ଯୋଗୁଁ ସୃଷ୍ଟି ହୋଇଛି।

ଏହା ପୂର୍ବରୁ ମହାନଗର ନିଗମ ଭୁବନେଶ୍ୱର ବାସିନ୍ଦାଙ୍କ ପାଖରୁ ତାଙ୍କର ଘରର ଆକାର ଏବଂ ଘର ହୋଇଥିବା ଯାଗାର ଆକାର ଉପରେ ହୋଲଂଡି ଟ୍ୟାକ୍ସ ଆଦାୟ କରାଯାଉଥିଲା। ଏହି ହୋଲଡିଂ ଟ୍ୟାକ୍ସରେ ମହାନଗର ନିଗମ ବାସୀମାନେ ସହରାଂଚଳରେ ଆଲୁଅ ବ୍ୟବସ୍ଥା ପାଇଁ ଅଳିଆ ଆର୍ବଜନା ଓ ପରିସ୍କାର କରିବା ପାଇଁ ନାଳ ନର୍ଦ୍ଦମା ସଫା ଓ ପରିସ୍କାର କରିବା ପାଇଁ ତଥା ରାସ୍ତାଘାଟକୁ ପରିସ୍କାର ଏବଂ ନୂତନ ରାସ୍ତା ତିଆରି କରିବା ପାଇଁ କର ଦେଇଥାନ୍ତି । ସାଧାରଣତଃ ଭୁବନେଶ୍ୱର ମହାନଗର ନିଗମ ୫୬ ପ୍ରକାର କର ଆଦାୟ କରିଥାନ୍ତି। ଟ୍ୟାକ୍ସ, ଟୋଲ, ସରଚାର୍ଜ, ୟୁଜର ଚାର୍ଜ, ଫାଇନ ଫି କରିଥାନ୍ତି । କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ପୂର୍ବ ନିୟମକୁ ମୋଡ଼ି ମକଚି ଦେଇ ବିଭିନ୍ନ ଅଂଚଳରେ ଜମିର ବେଂଚମାର୍କ ଦାମରେ ଟ୍ୟାକ୍ସ ଆଦାୟ କରୁଛନ୍ତି । ଅର୍ଥାତ ଯଦି ସହିଦ ନଗର ଅଂଚଳର ଜମିର ବେଂଚମାର୍କ ରେଟ ଏକର ପିଛା କୋଡିଏ କୋଟି ହୋଇଥାଏ ଯଦି ସହିଦନଗର ଜଣେ ବାସିନ୍ଦାଙ୍କ ପାଖରେ ୫ ହଜାର ସ୍କୋୟାର ଫୁଟର ଅଛି ଏବଂ ଯଦି ସିଏ ଏଥିରେ ଦୁଇହଜାର ବର୍ଗ ଫୁଟର ଘର କରୁଛନ୍ତି ବାକି ୩ ହଜାର ସ୍କୋୟାରଫୁଟରେ ବଗିଚା ବା ଖାଲି ପଡ଼ିଛି ତାହାଲେ ଏବେ ୫ ହଜାର ବର୍ଗ ଫୁଟର ବେଂଚମାର୍କ ମୂଲ୍ୟାୟନ ଅନୁସାରେ ଅଧିକ .୫% ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି । କିନ୍ତୁ ଓଡ଼ିଶା ମ୍ୟୁନିସ୍‌ପାଲ କର୍ପୋରେସନ ୨୦୦୩ ନିୟମ ଅନୁସାରେ ଏହା ବେଚଂମାର୍କ ଭେଲୁଏସନ ଉପରେ ହୋଲିଡିଂ ଟ୍ୟାକ୍ସ ଆଦାୟ କରାନଯାଇ ଏହା ସେହି ଅଂଚଳର ୟୁନଟି ଭେଲୁ ଅନୁସାରେ ହେବା କଥା । ଏଥିପାଇଁ ମ୍ୟୁନିସିପାଲଟି ଧାରା – ୨୦୫ ଅନୁସାରେ କରିବାକୁ ହୁଏ ଏବଂ ଧାରା ୨୧୫ ଅନୁସାରେ ମୂଲ୍ୟ ଧାର୍ଯ୍ୟ କରାଯାଏ । ଧାରା ୨୧୬ ଅନୁସାରେ ସବସାଧାରଣଙ୍କୁ ଏହି ମୂଲ୍ୟବାବଦରେ ଅବଗତ କରାଯାଇଥାଏ । ଧାରା ୨୧୭ ଅନୁସାରେ ଯଦି ନିର୍ଦ୍ଦିଷ୍ଟ ଅଂଳଚର ଅଧିବାସୀମାନଙ୍କର ଏଥିପାଇଁ କୌଣସି ଅଭିଯୋଗ ଆସିଥାଏ ତାହାକୁ ଶୁଣାଣି କରିବା କଥା ଯଦି ଶୁଣାଣିବେଳେ ମହାନଗର ନିଗମବାସୀଙ୍କର ଦାବିକୁ ଗ୍ରହଣ କରାନଯାଏ ତାହେଲେ ଧାରା ୨୧୮ ଅନୁସାରେ ଏକ ମୂଲ୍ୟାୟନ ଟ୍ରିବୁନାଲ ଗଠନ ହେବାକଥା । ତାହା ମଧ୍ୟ ହୋଇନାହିଁ ଏବଂ କ୍ଷତିସ୍ତ୍ରସ୍ତ ମହାନଗର ନିଗମ ବାସୀମାନେ ଟ୍ରିବୁନାଲରେ କେସ ଦାୟର କରିବା କଥା ଏବଂ ଧାରା ୨୨୫ ଅନୁସାରେ ଏହି ଅଭିଯୋଗକୁ ଶୁଣିବା ପାଇଁ କମିଟି ଗଠନ କରିବା କଥା ତାହା ମଧ୍ୟ ହୋଇନାହିଁ । ଧାରା ୨୨୬ ଅନୁସାରେ ଜଣଶୁଣାଣି ହେବା କଥା। ଏସମସ୍ତ କଥା ହେଇଛିକି ? ଯଦି ହୋଇନାହିଁ କାହିଁକି କାହା ନିର୍ଦ୍ଦେଶରେ ଏ ସମ୍ପତିକର ହୋଲଡିଂଟ୍ୟାକ୍ସ ଆଦାୟ କରାଯାଉଛି ।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପସଭାପତି  ଶିବାନନ୍ଦ ରାୟ କହିଲେ ଯେ ସମସ୍ତ ଆଇନକୁ ଜାଳିପୋଡ଼ି ଲୋକଙ୍କ ଉପରେ ଜବରଦସ୍ତି କର ଆଦାୟ କରିବା ଏ ସରକାର ଙ୍କର ପ୍ରଥମ ଏବଂ ଶେଷକାମ ବୋଲି ଜଣାପଡ଼ୁଛି । ତେଣୁ ସେ ସାରା ଭୁବନେଶ୍ୱର ମହାନଗର ଅଧିବାସୀମାନଙ୍କୁ  ଏହି ହୋଲଡିଂଟ୍ୟାକ୍ସକୁ ନଦେବା ପାଇଁ ଅନୁରୋଧ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସାମ୍ବାଦିକମାନଙ୍କୁ ସୂଚାନ ଦେଇ କହିଲେ ଯେ ଏଭଳି ସମୟରେ ଯେତେବେଳେ ଲୋକଙ୍କ ପାଖରେ ରୋଜଗାର ନାହିଁ ଆୟ ବହୁମାତ୍ରାରେ କମିଯାଇଛି ସେହି ସମୟରେ ଲୋକଙ୍କ ପାଖରୁ ବେଆଇନ ଭାବରେ ଯେଉଁ ହୋଲିଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ତାହାକୁ ନେଇ ଜିଲ୍ଲା କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସ ଆସନ୍ତା ୧୫ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ ଅଫିସକୁ ଘେରାଉ କରିବ ଦରକାର ପଡ଼ିଲେ ସହରାଂଚଳ ବିକାଶ ମନ୍ତ୍ରୀଙ୍କୁ ଘର ବାହାରକୁ ଯିବାକୁ ଦେବୁ ନାହିଁ । ଯେ ପର୍ଯ୍ୟନ୍ତ ଏହା ଆଇନ ସିଦ୍ଧ ହୋଇନାହିଁ ସେ ପର୍ଯ୍ୟନ୍ତ ଏହି ଟିକସ ପୈଠ ନକରିବାକୁ ନିବେଦନ କରିଛନ୍ତି ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି  ବିଶ୍ୱଜିତ୍ ଦାଶ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ ଏହି ବେନିୟମ ହୋଲଡିଂ ଟ୍ୟାକ୍ସ ବିରୁଦ୍ଧରେ ବହୁ କେସ ଦାୟର ହୋଇଛି । ଯେପର୍ଯ୍ୟନ୍ତ ଉଚ୍ଚ ନ୍ୟାୟଳୟ ଏହି ଘଟଣାରେ ନିଷ୍ପତି ଶୁଣାଇ ନାହାନ୍ତି ସେ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରିଛନ୍ତି ଆପଣ ହୋଲଡିଂ ଟ୍ୟାକ୍ସ ଦିଅନ୍ତୁ ନାହିଁ । ଶ୍ରୀ ଦାଶ କହିଲେ ଯେ ଆସନ୍ତା ୯ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ଜିଲ୍ଲା କଂଗ୍ରେସର ନେତୃବର୍ଗ ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ କରିବାକୁ ଥିବାବେଳେ ସେହିପରି ୧୦ ତାରିଖ ଦିନ ଉତ୍ତର ନିର୍ବାଚନ ମଣ୍ଡଳୀରେ ଡେପୁଟି କମିଶନରଙ୍କ ଅଫିସ ଆଗରେ ବିକ୍ଷୋଭ କରାଯିବ ଏବଂ ୧୨ ତାରିଖ ଦିନ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଡେପୁଟି କମିଶନର ଅଫିସ ଆଗରେ ବିକ୍ଷୋଭ ପଦର୍ଶନ କରାଯିବ ଏବଂ ୧୫ ତାରିଖ ଭୁବନେଶ୍ୱର ମହାନଗର ନିଗମ ଘେରାଉ କରାଯିବା ସହିତ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ସାରା ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଜି ଯେଉଁ ରାସ୍ତା ତିଆରି ହେଉଛି କାଲି ସେ ରାସ୍ତା ଭଙ୍ଗାଯାଉଛି ଏବଂ ବାରମ୍ବାର ଏହି କାମ ଆଜକୁ ୩-୪ବର୍ଷ ହେବ ଚାଲୁ ରହିଛି ଏହା କାହା ସ୍ୱାର୍ଥରେ ଏବଂ କାହାକୁ ଫାଇଦା ଦେବା ପାଇଁ । ମହାନଗର ନିଗମ ଅଂଚଳରେ ମାସ ମାସ ଧରି ଆଲୁଅ ଜଳୁନାହିଁ । ସାରା ଭୁବନେଶ୍ୱର ସହର ଧୂଳି ବାଲିରେ ପୁରି ରହିଛି । ଭୁବନେଶ୍ୱର ସହରକୁ ସୁନ୍ଦର କରିବା ପାଇଁ ଫୁଲକୁଣ୍ଡକୁ ବସାଯାଇଥିଲା ପୁଣି ସେହି ଫୁଲକୁଣ୍ଡକୁ ଜେସିବି ଲଗାଇ ଭାଙ୍ଗିଦିଆଗଲା । ଯେଉଁ ଅଧିକାରୀ ମାନଙ୍କ ଭୁଲ ନିଷ୍ପତି ଯୋଗୁଁ ଏଭଳି କୋଟି କୋଟି ଟଙ୍କା ପାଣିରେ ପଡ଼ୁଛି ସେମାନଙ୍କ ଦରମାରୁ ବା ତାଙ୍କ ସଂପତିକୁ ଜବତ ‌କରି ଆଦାୟ କରିପାରିବେ କି? ପୂର୍ବତନ ମହିଳା କଂଗ୍ରେସ ଉପସଭାନେତ୍ରୀ  ରଶ୍ମି ମହାପାତ୍ର କହିଲେ ଯେ ଏବେ ଭୁବନେଶ୍ୱର ମହାନିଗର ନିଗମ ଅଂଚଳରୁ ଅଳିଆ ସଫାକରାଯାଉ ନାହିଁ, ରାସ୍ତା ସଫା କରାଯାଉ ନାହିଁ ଏବଂ ଯେତେବେଳେ ଏ ବାବଦରେ ଯେତେେବେଳ ଅଭିଯୋଗ କରାଯାଉଛି ଉତର ମିଳୁଛି ଲୋକ ଅଭାବ ମହାନଗର ନିଗମ ଲୋକଙ୍କୁ ସାମାନ୍ୟ ସୁବିଧା ସୁଯୋଗ ପହଂଚାଇବାରେ ଅସମର୍ଥ ସେ ସମୟରେ କେଉଁ ଅଧିକାର ବଳରେ ଏ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି । ମହାନଗର ନିଗମ ବାସୀଙ୍କୁ କର ପଇସା କିଛି ଅଣଓଡ଼ିଆ ଅଫିସରଙ୍କ ପକେଟକୁ ଗରମ କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ନେତା ଶ୍ରୀ ରାଜୀବ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଅଶୋକ ଦାଶ, ଭୁବନେଶ୍ୱର ଜିଲ୍ଳା ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ଶତୃଘନ ବେହେରା, ଇନ୍ଦ୍ରଜିତ୍ ପରିଡ଼ା,ଦୀପକ କୁମାର ମହାପାତ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Comments
Loading...