ଚେତିଲା ବିଏମସି, ଶିକ୍ଷାନୁଷ୍ଠାନ ହଷ୍ଟେଲରେ ହେବ ଯାଞ୍ଚ ଓ ପରୀକ୍ଷଣ

ଭୁବନେଶ୍ବର: ରାଜଧାନୀର ଏକ୍ସଆଇଏମ୍ବି (ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ ଭୁବନେଶ୍ବର)ରୁ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଏମ୍ସିର ଚେତା ପଶିଛି। କରୋନାର ଦ୍ବିତୀୟ ଲହର ନେଇ ସରକାର ସତର୍କ ରହିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ମଧ୍ୟ ଏନ୍ଫୋର୍ସମେଣ୍ଟ ଧିମା ପଡ଼ିଯାଇଥିବାରୁ ପ୍ରତିଦିନ ଏକ ନମ୍ବର ହାଟ, ଦୁଇ ନମ୍ବର ମାର୍କେଟ ବିଲ୍ଡିଂ, ୪ ନମ୍ବର ମାଛ ମାର୍କେଟ, ବାପୁଜୀ ନଗର ମାର୍କେଟ ସମେତ ସହରର ବିଭିନ୍ନ ସାପ୍ତାହିକ ଏବଂ ଦୈନିକ ହାଟରେ ଅସମ୍ଭାଳ ଭିଡ଼ ହେଉଥିଲା। ବିଏମସି ପକ୍ଷରୁ ବେଳେବେଳେ ଚଢ଼ଉ କରାଯାଉଥିଲା। ଏହାର ଫାଇଦା ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମଧ୍ୟ ହେଉଥିଲା। ଗତ କିଛିଦିନ ତଳେ ବିଏମ୍ସିର ବିନା ଅନୁମତିରେ ଏକ୍ସଆଇଏମ୍ବିରେ ସମାବର୍ତ୍ତନ ଉତ୍ସବ ପାଳନ ହୋଇଥିଲା। ଏଥିରେ ସଂକ୍ରମିତ ରାଜ୍ୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା କୁହାଯାଉଛି। ଯାହାଫଳରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀ କୋଭିଡ ପଜିଟିଭ ହୋଇଛନ୍ତି।

ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ବିଏମ୍ସି ସକ୍ରିୟ ହୋଇ ଉଠିଛି। ମଙ୍ଗଳବାରଠାରୁ ଯାଞ୍ଚ କାର୍ଯ୍ୟକ୍ରମ ବ୍ୟାପକ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକର ହଷ୍ଟେଲରେ ଯାଞ୍ଚ ଏବଂ ପରୀକ୍ଷା କରାଯିବ। ରାଣ୍ଡମ୍ଲି ଆର୍ଟିପିସିଆର୍ ଟେଷ୍ଟିଂ କରାଯିବ ବୋଲି ବିଏମସି କମିସର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି। ବିଏମସି ପକ୍ଷରୁ କୋଭିଡ ପରିଚାଳନାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସଂକ୍ରମିତ ରାଜ୍ୟରୁ ଭୁବନେଶ୍ବରକୁ ଆସୁଥିବା ଲୋକଙ୍କୁ ୭ ଦିନ କ୍ବାରେଣ୍ଟାଇନ୍ କରାଯିବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଭୁବେନଶ୍ବର ରେଳ ଷ୍ଟେସନରେ କୋଭିଡ ଯାଞ୍ଚ ବ୍ୟାପକ କରାଯାଇଛି। ଲକ୍ଷଣ ଥିବା ଫେରନ୍ତାଙ୍କ କୋଭିଡ ପରୀକ୍ଷା ବାଧ୍ୟତାମୂଳକ ହୋଇଛି।

ବିମାନ ବନ୍ଦର ଏବଂ ରେଳଷ୍ଟେସନରେ ନିୟୋଜିତ ଟିମରେ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯିବ। ସହରରେ ଆକ୍ଟିଭ ସର୍ଭେଲାନ୍ସ ପୁଣି ଆରମ୍ଭ ହେବା ସହିତ ଟେଷ୍ଟିଂ ବୃଦ୍ଧି କରାଯିବ ବୋଲି ଶ୍ରୀ ଚୌଧରୀ କହିଛନ୍ତି। ସେହିପରି ଏନ୍ଫୋର୍ସମେଣ୍ଟ କାର୍ଯ୍ୟକ୍ରମରେ କମିସନରେଟ ପୁଲିସର ୪୦ ଭ୍ୟାନ୍ ନିୟୋଜିତ ରହିବ। ମଙ୍ଗଳବାର କମିସନରେଟ ପୁଲିସ ପକ୍ଷରୁ ଜନଗହଳିପୂର୍ଣ୍ଣ ସ୍ଥାନରେ ମାଇକ ସାହାଯ୍ୟରେ ସଚେତନତା ସୃଷ୍ଟି ସହିତ ଉଲ୍ଲଘଂନକାରୀଙ୍କଠାରୁ ଜୋରିମାନା ଆଦାୟ ହୋଇଛି ବୋଲିି ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି। ଅନ୍ୟପକ୍ଷରେ ସୋମବାର ଏକ୍ସଆଇଏମ୍ବିର ୨୦୪ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ଆଜି ୨୦୧ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ବାକି ୩ଜଣଙ୍କ ପରୀକ୍ଷା ଫଳାଫଳା ଜଣାପଡ଼ି ନ ଥିବା ବିଏମସି କମିସନର ସୂଚନା ଦେଇଛନ୍ତି।

Comments are closed.