ବିଏମ୍‌ସିକୁ ଟିକସ ଆଦାୟ ଚିନ୍ତା

ଭୁବନେଶ୍ବର: କରୋନା ମହାମାରୀ ପରଠୁ ଟ୍ରାକ୍‌କୁ ଆସୁନି ବିଏମ୍‌ସିର ଟିକସ ଆଦାୟ। ୱାର୍ଡ ଅଫିସର, ନିଯୁକ୍ତ ଠିକା ସଂସ୍ଥା (ଟିଜି ସ୍ବୀକୃତି ଗ୍ରୁପ୍‌) ଏବଂ ଜୋନାଲ ଡେପୁଟି କମିସନର(ଜେଡିସି) ଟିକସ ଆଦାୟ କାମରୁ ନିଜରୁ ଦୂରେଇ ରଖିବାରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଉନି। ଅନ୍‌ ଲାଇନ୍‌ରେ ଟିକସ ଆଦାୟ ହେଉଥିଲେ ବି ବ୍ୟବସ୍ଥାରେ ତ୍ରୁଟି ଏବଂ କରଦାତା ସଚେତନ ନ ଥିବାରୁ ବିଏମ୍‌ସି ଖାତାକୁ ରାଜସ୍ବ ଆସୁନାହିଁ। ଏନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କ୍ଷୁବ୍ଧ ହୋଇଛନ୍ତି। ରାଜସ୍ବ ସଂଗ୍ରହ ଉପରେ ଧ୍ୟାନ ଦିଅ, ନଚେତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଡିସିଙ୍କୁ ତାଗିଦ୍‌ କରିଛନ୍ତି।

ଚଳିତବର୍ଷ ଆରମ୍ଭ ଯାଏ ଉତ୍ତର ଜୋନ୍‌ ନିମନ୍ତେ ହୋଲ୍‌ଡିଂ ୫୪.୯୬ କୋଟି ଧାର୍ଯ୍ୟ ହୋଇଥିବାବେଳେ ସେଥିରୁ ମାତ୍ର ୬.୧୦କୋଟି ସଂଗ୍ରହ ହୋଇଛି। ସେହିପରି ଦକ୍ଷିଣ-ପୂର୍ବ ଜୋନରେ ଧାର୍ଯ୍ୟ ୪୩.୨୫ କୋଟିରୁ ୫.୧୧ କୋଟି ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‌ରୁ ଧାର୍ଯ୍ୟ ୪୩.୩୬ କୋଟିରୁ ମାତ୍ର ୨.୬୮ କୋଟି ଟଙ୍କାର ହୋଲ୍‌ଡିଂ ଟିକସ ଆଦାୟ ହୋଇଛି। ଯାହାକି ମୋଟ ୧୪୧.୫୭ କୋଟିରୁ ୧୩.୮୯ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି।
ସେହିପରି ହୋଲ୍‌ଡିଂ(କରଦାତା)ଧାରୀଙ୍କ ତାଲିକା ସଂଶୋଧନ ନିମନ୍ତେ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି କରାଯାଇଥିଲେ ବି ଏହି କାର୍ଯ୍ୟ ମଧ୍ୟ ଠିକଣା ଢଙ୍ଗରେ ହେଉନି। ଡିସେମ୍ବର ଶେଷ ସୁଦ୍ଧା ଉତ୍ତର ଜୋନ୍‌ ନିମନ୍ତେ ୩୨ ହଜାର ୪୫୩ ହୋଲ୍‌ଡିଂ ସଂଶୋଧିତ ହେବାକୁ ଥିବାବେଳେ ୨୪ ହଜାର ୭୪୮ ହୋଇଛି। ସେହିପରି ଦକ୍ଷିଣ-ପୂର୍ବ ଜୋନର ୩୫ ହଜାର ୩୭୭ରୁ ୨୨ହଜାର ୬୫୧ ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‌ରୁ ୩୩ହଜାର ୨୦୮ରୁ ୨୨ହଜାର ୯୨୦ ସଂଶୋଧିତ ହୋଇପାରିଛି। ମୋଟ ଉପରେ ଏକ ଲକ୍ଷ ଏକ ହଜାର ୩୮ ହୋଲ୍‌ଡିଂ ସଂଶୋଧନ ହେବାକୁ ଥିବାବେଳେ ସେଥିରୁ ୭୦ ହଜାର ୩୧୯ ବା ୬୯.୬୦ ପ୍ରତିଶତ ସଂଶୋଧନ ହୋଇପାରିଥିବା ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ତ ହୋଲ୍‌ଡିଂ ସଂଶୋଧନ କରି ରିପୋର୍ଟ ଦେବାକୁ ବିଏମ୍‌ସି କମିସନର ଜେଡିସିଙ୍କୁ ନିର୍ଦେଶ ଦେଇଛନ୍ତି। ରାଜସ୍ବ ଆଦାୟ କ୍ଷେତ୍ରରେ ବିଫଳ ୱାର୍ଡ ଅଫିସରଙ୍କ ନାମ ତାଲିକା ପ୍ରସ୍ତୁତି କରିବା ସହିତ ୱାର୍ଡ ଅଫିସର ଖାଲି ଥିବା ୱାର୍ଡରେ ଅନ୍ୟମାନଙ୍କୁ ଦାୟିତ୍ବ ଦେବାକୁ କମିସନର କହିଛନ୍ତି।ବାଣିଜ୍ୟ କର ସଂଗ୍ରହରେ ମଧ୍ୟ ବିଏମ୍‌ସି ଲକ୍ଷ୍ୟଠାରୁ ବହୁ ପଛରେ ରହିଛି। ଦକ୍ଷିଣ-ପୂର୍ବ ଜୋନ୍‌ରୁ ୬କୋଟି ବାଣିଜ୍ୟ କର( ଟ୍ରେଡ୍‌ ଲାଇସେନ୍ସ ଫି) ଆଦାୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ କୋଟିଏ ୧୩ ଲକ୍ଷ ୫୪ ହଜାର ୧୬୭ ଟଙ୍କା ଆଦୟ ହୋଇଛି। ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌ରୁ ୨କୋଟି ଧାର୍ଯ୍ୟଠାରୁ ଏକ କୋଟି ୩ଲକ୍ଷ ୮୬ ହଜାର ୩୫୫ ସଂଗ୍ରହ ହୋଇପାରିଥିବାବେଳେ ଉତ୍ତର ଜୋନ୍‌ରୁ ଧାର୍ଯ୍ୟ ୪କୋଟିରୁ ମାତ୍ର ୨୨ ଲକ୍ଷ ୧୧ହଜାର ୩ଟଙ୍କା ଆଦାୟ ହୋଇପାରିଛି। ମୋଟ ବାଣିଜ୍ୟକର ଆଦାୟକୁ ଦେଖି‌େ‌ଲ ୧୨ କୋଟିରୁ ୨କୋଟି ୩୯ ଲକ୍ଷ ୫୧ ହଜାର ୫୨୫ ସଂଗ୍ରହ ହୋଇପାରିଛି। ରାଜସ୍ବ ସଂଗ୍ରହ‌େ‌ର ବିଏମ୍‌ସିର ଏଭଳି ଅଗ୍ରଗତି ନେଇ ଅଧିକାରୀଙ୍କ ମହଲରେ ଚିନ୍ତା ପ୍ରକାଶ ପାଇଛି। ଏହାକୁ ୭ ଶହ କୋଟିରୁ ଊର୍ଦ୍ଧ୍ବ ବଜେଟ୍‌ ଲକ୍ଷ୍ୟ ରଖିଥିବା ବିଏମ୍‌ସି ଅଡୁଆରେ ପଡ଼ିଛି। ବର୍ତ୍ତମାନ ବ୍ୟବସାୟ ପୂର୍ବସ୍ଥିତିକୁ ଆସିଥିବାରୁ କର ସଂଗ୍ରହ ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି।

Comments are closed.