ଚେସ୍‌ ସୁପର ପାୱାରରେ ପରିଣତ ହେବ ଭାରତ, ଖୁବଶୀଘ୍ର ଆରମ୍ଭ ହେବ ଇଣ୍ଡିଆନ ଚେସ୍ ଲିଗ

ନୂଆଦିଲ୍ଲୀ: ଭାରତକୁ ଏକ ଚେସ୍‌ ସୁପର ପାୱାରରେ ପରଣିତ କରାଯିବ। ଏଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ, ଯାହାକୁ ରବିବାର ଉନ୍ମୋଚନ କରିଛନ୍ତି ସର୍ବଭାରତୀୟ ଚେସ୍‌ ମହାସଂଘର ନବନିର୍ବାଚିତ ସଭାପତି ଡା. ସଞ୍ଜୟ କପୁର। ଭାରତରେ ଚେସ୍‌ ଅଲିମ୍ପିଆଡ୍‌ ପାଇଁ ଉଦ୍ୟମ କରାଯିବା ସହିତ ଏକ ହାଇପ୍ରୋଫାଇଲ ଇଣ୍ଡିଆନ ଚେସ୍‌ ଲିଗ୍‌ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ବାର୍ଷିକ ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଛି।

ଡା. କପୁର କହିଛନ୍ତି, ଭାରତ ସାରା ବିଶ୍ଵ ପାଇଁ ଚେସ୍‌ ଡେଷ୍ଟିନେଶନ ହେଉ ବୋଲି ଆମେ ଚାହୁଁଛୁ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛୁ। ଦୀର୍ଘ ଦିନ ଧରି ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆମେ ଆନ୍ତର୍ଜାତୀୟ ସ୍ତରର ଇଣ୍ଡିଆନ୍ ଚେସ୍ ଲିଗ୍ ଆରମ୍ଭ କରିବାକୁ ଆଗ୍ରହୀ ଅଛୁ। ଫ୍ରାଞ୍ଚାଇଜ୍-ମଡେଲ୍ ଅନୁସରଣ କରି ଚଳିତ ବର୍ଷ ଶେଷ ହେବା ପୂର୍ବରୁ ପ୍ରଥମ ସଂସ୍କରଣ ଆୟୋଜିତ ହେବ ବୋଲି ସର୍ବଭାରତୀୟ ଚେସ୍‌ ମହାସଂଘ ସଭାପତି ତଥା କାନପୁର କ୍ରିକେଟ୍ ଆସୋସିଏସନର ଚେୟାରମ୍ୟାନ୍ ଡା. କପୁର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମହିଳା ଗ୍ରାଣ୍ଡ ପ୍ରିକ୍ସ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି, ଯାହାକି ବିଶ୍ୱ ମହିଳା ଚାମ୍ପିୟନଶିପ୍‌ର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ। ଏହା ଦେଶର ମହିଳା ଖେଳାଳିମାନଙ୍କୁ ଅଧିକ ଉତ୍ସାହ ପ୍ରଦାନ କରିବ। କେବଳ ସେତିକି ନୁହେଁ, ବିଦ୍ୟାଳୟ ସ୍ତରରେ ଚେସକୁ ଲୋକପ୍ରିୟ କରିବା ପାଇଁ ଆମେ ସ୍କୁଲରେ ଏକ ଏଆଇଏସଏଫ-ଚେସ୍ ଆରମ୍ଭ କରିବାକୁ ଯାଉଛୁ। ଆମେ ଚାହୁଁ ଯେ ଭାରତରେ ସ୍କୁଲ ଯାଉଥିବା ପ୍ରତ୍ୟେକ ପିଲା ଚେସ ଖେଳନ୍ତୁ। ଖେଳରୁ ପ୍ରାକୃତିକ ଭାବେ ମିଳୁଥିବା ଜ୍ଞାନ ଭବିଷ୍ୟତ ପିଢ଼ିର ବିକାଶରେ ସହାୟକ ହେବ।

ବୈଠକରେ ନିଆଯାଇଥିବା ଅନ୍ୟାନ୍ୟ ପ୍ରମୁଖ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ସମସ୍ତ ଖେଳାଳିଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ ପଞ୍ଜୀକରଣ, ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ଏବଂ ଏକ ସୁପର ଟୁର୍ନାମେଣ୍ଟର ଆୟୋଜନ। ସୁପର ଟୁର୍ନାମେଣ୍ଟରେ ଅନେକ ଶୀର୍ଷ ସ୍ତରର ଖେଳାଳିଙ୍କୁ ଦେଖିବାକୁ ମିଳିବ। ଏହା ଆମର ଉଚ୍ଚ ମାନ୍ୟତା ପ୍ରାପ୍ତ ଗ୍ରାଣ୍ଡମାଷ୍ଟରମାନଙ୍କୁ ସର୍ବୋତ୍ତମ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ଦେବ ବୋଲି ଡା. କପୁର ସ୍ପଷ୍ଟ କରିଛନ୍ତି।

ମହାସଂଘ ସଚିବ ଭାରତ ସିଂ ଚୌହାନ ସିଙ୍ଗଲ ୱିଣ୍ଡୋ ପଞ୍ଜୀକରଣ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ବର୍ତ୍ତମାନଠାରୁ ପ୍ରତ୍ୟେକ ଖେଳାଳି ନିଜ ଜିଲା, ରାଜ୍ୟ ତଥା ଏଆଇସିଏଫ୍ ପାଇଁ ପଞ୍ଜୀକୃତ ହେବେ। ସେଣ୍ଟର ଅଫ୍ ଏକ୍ସଲେନ୍ସ ତ୍ରୁଣମୂଳ ସ୍ତରରେ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବାରେ ସାହାଯ୍ୟ କରିବ। ଏହା ଫଳରେ ଭାରତରୁ ଅତି କମରେ ୧୦ ଜଣ ଖେଳାଳି ବିଶ୍ଵର ଶୀର୍ଷ ୫୦ ରାଙ୍କରେ ରହିପାରିବେ ବୋଲି ସେ କହିଛନ୍ତି।

Comments are closed.