ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୨୦କୋଟିର ତୋଷରପାତ ଅଭିଯୋଗ

ଭୁବନେଶ୍ବର : ରାଜ୍ୟରେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ ହେଉଥିବା କୃଷି ପ୍ରାଥମିକ ସମବାୟ ସମିତି, ସମବାୟ ବ୍ୟାଙ୍କ ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବେ ଦୁର୍ନୀତିର ଚରମ ସୀମାରେ ପହଞ୍ଚିଛି। ପ୍ରତିଦିନ ଯେଉଁ ସମିତି ବା ସମବାୟ ବ୍ୟାଙ୍କ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସୁଛି, ଏହାକୁ ନେଇ ସରକାରଙ୍କ ପକ୍ଷରୁ ତଦନ୍ତ ନିର୍ଦେଶ ଯାଉଛି। ହେଲେ ତଦନ୍ତ ନିର୍ଦେଶ ପରବର୍ତ୍ତୀ ସମୟରେ କେଉଁଠି ବାଟବଣା ହୋଇଯାଉଛି ତା’ର ଟେର ସରକାର ପାଉନାହାନ୍ତି। ଏହାପଛରେ ଲୋକସେବା ଭବନର କିଛି ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ ହୋଇଛି। ବିଭାଗୀୟ ମୁଖିଆଙ୍କ ବିନା ଇସାରାରେ ଏସବୁ ଦୁର୍ନୀତି ହେଉନାହିଁ ବୋଲି ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ସରକାର ନିଜେ ତାଙ୍କ ତଥ୍ୟରେ ବୁଧବାର ବିଧାନସଭାରେ ଦର୍ଶାଇଛନ୍ତି ଯେ ଗତ ୫ବର୍ଷ ମଧ୍ୟରେ ୨୬ଟି ମଣ୍ଡଳରେ ରାଜ୍ୟରେ ୨୨୦.୮୦କୋଟି ଟଙ୍କାର ଅର୍ଥ ଆତ୍ମସାତ୍ ହୋଇଛି। ଏହି ଅନାଦାୟ ଅର୍ଥକୁ ସଂଗ୍ରହ(ରିକଭରି) କରିବାପାଇଁ କେତେକ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଦାୟିତ୍ବ ଧାର୍ଯ୍ୟ କରାଯାଇଛି। ୨୪ଟି ମଣ୍ଡଳରେ ଜିଲା ଆରକ୍ଷୀ ଅଧୀକ୍ଷକମାନେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏଭଳି ଉତ୍ତରର ୨୪ ଘଣ୍ଟା ନପୂରୁଣୁ ଆଜି ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୨୦ କୋଟି ଟଙ୍କା ଆତ୍ମସାତ୍ ହୋଇଛି ବୋଲି ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ ୩ଟି ସଂସ୍ଥାରେ ଏହି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ୧୨୦କୋଟି ଟଙ୍କା ନିବେଶ କରିଥିଲା। ହେଲେ ୨୦୧୯ରୁ ଅଦ୍ୟାବଧି ଟଙ୍କାଟିଏ ହେଲେ ଆଦାୟ ହୋଇନାହିଁ। ଯଦି ଏବେଠାରୁ ଉକ୍ତ ସଂସ୍ଥା ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଚାଲିଯିବ। ଏହାକୁ ନେଇ ରାଜ୍ୟ ସମବାୟ ସମିତି ସମୂହ ନିବନ୍ଧକ ବାଲେଶ୍ବର ଉପନିବନ୍ଧକଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଏହି ଅର୍ଥ ଆତ୍ମସାତର ଟିକିନିଖି ତଦନ୍ତ କରି ବିଭାଗକୁ ଅବଗତ କରାଇବାକୁ ପତ୍ରରେ ଦର୍ଶାଯାଇଛି।
ତେବେ କଥା ଉଠୁଛି ଏହି ଅଭିଯୋଗ ଆପଣାଛାଏଁ ଆସୁନାହିଁ କି ତଦନ୍ତ ନିର୍ଦେଶ ଖାଲିଟାରେ ଯାଉନାହିଁ। ବର୍ଷ ବର୍ଷ ଧରି ତଦନ୍ତ ପରେ ଶତାଧିକ କୋଟି ଟଙ୍କାର ଦୁର୍ନୀତିର ପ୍ରମାଣ ମିଳୁଛି। ସେ କ୍ଷେତ୍ରରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କାଗଜପତ୍ରରେ ରହିଛି ଏବଂ ମହାସମୀକ୍ଷକ ନିରବ ରହୁଥିବା ଅଭିଯୋଗ ହୋଇଛି।
ଅଭିଯୋଗ ହେଉଛି ଜ୍ଞାତସାରରେ ଏହି କାର୍ଯ୍ୟ ଚାଲିଛି। ଗୁରୁଡିଝାଟିଆ ସମବାୟ ସମିତିରେ ଜଣେ ପୂର୍ବତନ ଚପରାସି ପ୍ରବୋଧ ରଞ୍ଜନ ପରିଡ଼ାଙ୍କ ବ୍ୟାଙ୍କ ଖାତାକୁ ଏକା ଦିନରେ ୧୫.୨୫ଲକ୍ଷ ଟଙ୍କା ଗଲା କେମିତି ସେଥିନେଇ ପ୍ରଶ୍ନ ଉଠିଛି। ଖାଲି ଯେ ପ୍ରବୋଧଙ୍କ ଖାତାକୁ ଏହି ଟଙ୍କା ଯାଇଛି ତାହା ନୁହେଁ ଆଉ କେତେଜଣଙ୍କ ବ୍ୟାଙ୍କ ଖାତାକୁ ମିଶାଇ ପ୍ରାୟ ୮୮ଲକ୍ଷ ୧୨ହଜାର ୪୫୦ ଟଙ୍କା ଆତ୍ମସାତ୍ ହୋଇଛି। ଏସବୁ ମହାସମୀକ୍ଷକ ୨୦୧୯-୨୦ରୁ ଜାଣିଲେଣି, ହେଲେ କାର୍ଯ୍ୟାନୁଷ୍ଠାନ କାଗଜପତ୍ରରେ ସୀମିତ ରହିଛି। ଏପଟେ ଗୁରୁଡ଼ିଝାଟିଆର ୧୨୬ ଚାଷୀଙ୍କ ନାଁରେ ଋଣ ଟଙ୍କା ଗଡୁଛି।
ସରକାର ଗୁରୁଡ଼ିଝାଟିଆ ସମବାୟ ସମିତି ସହିତ ସବୁ ସମବାୟ ବ୍ୟାଙ୍କ ଓ ମହାସମୀକ୍ଷକଙ୍କୁ ଉଚ୍ଚସ୍ତରୀୟ ତଦନ୍ତ ପରିସରଭୁକ୍ତ କଲେ ରାଜ୍ୟରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଦୁର୍ନୀତିର ଚେର ମିଳିପାରନ୍ତା। ରାଜ୍ୟ ସରକାର ଚାଷୀଙ୍କ ସ୍ବାର୍ଥ ଲାଗି ଯେଉଁ ସମବାୟ ବ୍ୟାଙ୍କ ଓ ବିଭାଗ କରିଛନ୍ତି ତାହା ବଞ୍ଚି ଯାଅନ୍ତା ବୋଲି ପୂର୍ବତନ କର୍ମଚାରୀ କହିଛନ୍ତି।
ଏନେଇ ରାଜ୍ୟ ସମବାୟ ସମିତି ମହାସମୀକ୍ଷକ ଭାରତ ଚନ୍ଦ୍ର ବେହେରା କହିଥିଲେ, ସେ ସମବାୟ ବିଭାଗର ସ୍ବତନ୍ତ୍ର ସଚିବ କେବଳ ଅଛନ୍ତି। ପରେ ବିଭାଗର ୱେବସାଇଟରେ ମହାସମୀକ୍ଷକ ନାଁ ଥିବା ନେଇ ପ୍ରଶ୍ନ କରାଯିବାରେ ସେ କହିଥିଲେ, ହଁ ମୁ ଅଛି, ମାତ୍ର ସରକାରୀ ଚାକିରିଆ ଯେହେତୁ କିଛି କହିବି ନାହିଁ। ସେହିପରି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯିବା ବେଳେ ସେ ସମୟ ଅଭାବ ଦର୍ଶାଇ ଏଡାଇ ଯାଇଥିଲେ।

Comments are closed.