ଛେଳିଆରେ ବିକାଶମଞ୍ଚର ୫ମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ପ୍ରଥମେ ବ୍ଲକ ଅଧ୍ୟକ୍ଷା ରକ୍ତଦାନ କରି ସାଜିଲେ ଉଦାହରଣ

ବଡ଼ସାହି : ବିକାଶମଞ୍ଚ ପକ୍ଷରୁ ରବିବାର ଛେଳିଆରେ ୫ମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣର ମୁକାବିଲା ପାଇଁ ତାଲାବନ୍ଦ ଚାଲିଥିବାରୁ ଜିଲା ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବାରୁ ଥାଲସେମିଆ, ପ୍ରସୂତି, ଦୁର୍ଘଟଣା ତଥା ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କ ନିମନ୍ତେ ଆବଶ୍ୟକ ରକ୍ତ ଯୋଗାଡ଼ ପାଇଁ ବିକାଶମଞ୍ଚ ଲଗାତର ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। ବେତନଟୀ, ବଡସାହି, ମୋରଡା ଓ ରାସଗୋବିନ୍ଦପୁର ବ୍ଲକକୁ ନେଇ ଗଠିତ ଏହି ବିକାଶମଞ୍ଚ ଆନୁକୂଲ୍ୟରେ ବେତନଟୀ, ବୈଶିଙ୍ଗା, ମାଣତ୍ରୀ ଓ ବଡ଼ସାହିରେ ସଫଳତାର ସହିତ ଶିବିର ଆୟୋଜିତ ହୋଇଥିବା ବେଳେ ରବିବାର ବଡ଼ସାହି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂଙ୍କ ନେତୃତ୍ୱରେ ଛେଳିଆ ଗ୍ରାମର ମା’ହିଙ୍ଗୁଳା କମିଟିର ସହଯୋଗରେ ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ୫ମ ଶିବିର ଅନୁଷ୍ଠିତ ହୋଇଛି। ସଦସ୍ୟ ସରୋଜ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମରେ ସରକାରୀ ନିୟମ ଅନୁଯାୟୀ ୨୭ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାତା ଆଗ୍ରହର ସହିତ କୋଭିଡ଼-୧୯ ଆଇନ୨୦୨୦ର ସର୍ତ୍ତାବଳୀ ସ୍ୱୀକାରୋକ୍ତି ପ୍ରକାଶ ପୂର୍ବକ ନାମ ପଞ୍ଜିକରଣ କରି ସାମାଜିକ ଦୂରତ୍ୱ ବଜାୟ ରଖି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସର୍ବ ପ୍ରଥମେ ଅଧ୍ୟକ୍ଷା ରକ୍ତଦାନ କରି ଅନ୍ୟଙ୍କ ପାଇଁ ଉଦାହରଣ ସାଜିଥିଲେ।

Comments are closed.