ଡିଜେଲରେ କିରୋସିନି ଅପମିଶ୍ରଣ ଅଭିଯୋଗ

ଅଧା ବାଟରେ ୪ ଚକିଆ ଖରାପ, ଥାନାରେ ଏତଲା

-ପକ୍ଷ ରଖିଲେ ଫିଲିଂ ପଏଣ୍ଟ ମାଲିକ

-ନୂଆ ନୁହେଁ ଅପମିଶ୍ରଣ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର କଲେଜ ଛକ ଅଞ୍ଚଳର ସତ୍ୟ ନାରାୟଣ ସିଂଘାନିଆଙ୍କ ପୁଅ ସୁରଜ ସିଂଘାନିଆ। ଗତ ୨୯ ତାରିଖ ରାତିରେ ସେ ସମ୍ବଲପୁରରୁ ଚାରି ଚକିଆରେ ବଲାଙ୍ଗିର ଫେରୁଥିଲେ। ଲୋଇସିଂହା ନିକଟରେ ଡିଜେଲ କମିଯିବାରୁ ସେଠାରେ ଥିବା ଭାରତ ପେଟ୍ରୋଲିୟମ୍‌ର ପଞ୍ଜୀକୃତ ବିଜୟ ଫିଲିଂ ପଏଣ୍ଟରେ ସେମାନେ ଡିଜେଲ ଭରିଥିଲେ। ଲୋଇସିଂହା ପାରି ହୋଇ ନଦୀ ପୋଲରେ ଆସୁଥିବା ବେଳେ ରାତି ସାଢେ ୧୨ଟା ବେଳେ ଗାଡି ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ଆଦୌ ଗାଡି ନ ଷ୍ଟାର୍ଟ ହେବାରୁ ସେମାନେ କୌଣସି ଉପାୟ ନପାଇ ଅନ୍ୟ ଗାଡି ସହାୟତାରେ ସମ୍ବଲପୁର ରୋଡ୍ରେ ଥିବା ସୋ’ ରୁମ୍କୁ ନେଇଥିଲେ। ସୋ’ ରୁମ୍‌ର ମେକାନିକ୍ ଗାଡି ଯାଞ୍ଚ କରି ଇଂଜିନ୍ ସିଜ୍ ହୋଇଥିବା କହିଥିଲେ। ଡିଜେଲରେ ଅଧିକ ପରିମାଣର କିରୋସିନି ଅପମିଶ୍ରଣ ହୋଇଥିବା ମେକାନିକ କହିବା ପରେ ସୁରଜ ଅନ୍ୟ ଜଣେ ସହଯୋଗୀଙ୍କ ସହ ପୁଣିଥରେ ବିଜୟ ଫିଲିଂ ପଏଣ୍ଟକୁ ଯାଇଥିଲେ। ସେଠାରୁ ଏକ ୫ ଲିଟର୍ ଜାର୍ରେ ଡିଜେଲ୍ ଭରିଥିଲେ। ଏହାର ଭିଡିଓ ରେକର୍ଡିଂ କରିବା ସହ ଲୋଇସିଂହା ଥାନାକୁ ମଧ୍ୟ ଯାଇ ଶୁକ୍ରବାର ଫିଲିଂ ପଏଣ୍ଟ ନାଁରେ ଲିଖିତ ଅଭିଯୋଗ କରିଥିଲେ। କିରୋସିନି ଅପମିଶ୍ରିତ ଡିଜେଲ ବିକ୍ରି କରାଯାଉଥିବା ଜଣାଇବା ପରେ ଶନିବାର ମାମଲା ରୁଜୁ କରାଯିବ ବୋଲି ଲୋଇସିଂହା ପୁଲିସ କହିଥିଲା ସେମାନଙ୍କୁ। ଜାର୍‌ରେ ସଂଗୃହିତ ଡିଜେଲ୍ ସେମାନେ ପୁଲିସକୁ ଜିମା ଦେଇ ଫେରିଥିଲେ। ଏସଂପର୍କରେ ଲୋଇସିଂହା ଥାନା ଅଧିକାରୀ ଲଳିତା ଲାକ୍ରାଙ୍କୁ ମାମଲା ସଂପର୍କରେ ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ବି ପ୍ରତିକ୍ରିୟା ମିଳି ପାରି ନାହିଁ। ଅନ୍ୟପଟେ ବିଜୟ ଫିଲିଂ ପଏଣ୍ଟର ସତ୍ତ୍ୱାଧିକାରୀ ବିକାଶ ଅଗ୍ରୱାଲଙ୍କୁ ମଧ୍ୟ ଘଟଣା ସଂପର୍କରେ ତାଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲା। ଶ୍ରୀ ଅଗ୍ରୱାଲ କହିଥିଲେ ଯେ, କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବାରୁ ଆମ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଛି। ଏଥିସହିତ ଅପମିଶ୍ରିତ ଡିଜେଲ ନେଇ ସେମାନେ ଯେଉଁ ଅଭିଯୋଗ କରିଛନ୍ତି ସେନେଇ ପୁଲିସ ପଚରା ଉଚୁରା କରିଥିଲା। ଆମେ ପୁଲିସ ନିକଟରେ ଆମ ପକ୍ଷ ରଖିଛୁ ବୋଲି କହିଛନ୍ତି ଶ୍ରୀ ଅଗ୍ରୱାଲ। ତେବେ ଅଭିଯୋଗକାରୀ ସୁରଜଙ୍କ ପ୍ରତିକ୍ରିୟା ପାଇଁ ୨ଟି ନମ୍ବରରେ ଯୋଗାଯୋଗ କରାଯାଇଥିଲେ ବି ସମ୍ଭବ ହୋଇ ନାହିଁ।

କିଛି ବର୍ଷ ତଳେ ବଲାଙ୍ଗିର-ସଇଁନ୍ତଲା ଜାତୀୟ ରାଜପଥ ୨୬ର ରୁଣ୍ଡିମହୁଲ ଜଙ୍ଗଲରେ ବଡଧରଣର କିରୋସିନି ଅପମିଶ୍ରଣ କାରବାର ଚାଲିଥିବା ବେଳେ ପର୍ଦ୍ଦାଫାଶ ହୋଇଥିଲା। ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କରଗୁଡ଼ିକୁ ଜଙ୍ଗଲ ମଧ୍ୟକୁ ନେଇ ସେଥିରୁ ପେଟ୍ରୋଲ ଓ ଡିଜେଲ ଚୋରି କରି କିରୋସିନି ଅପମିଶ୍ରଣ କରାଯାଉଥିବା ଷ୍ଟିଙ୍ଗ ଅପରେସନ୍‌ରେ ଜଣାପଡିଥିଲା। ଏହି ହେରଫେରରେ ବାହାର ରାଜ୍ୟର ଲୋକେ ସଂପୃକ୍ତ ଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଏଥିରେ ସାମିଲ କରି କାରବାର ଚଳାଇଥିଲେ। ଥରେ ନୁହେଁ, ଦୁଇ ଦୁଇ ଥର ଏହି କାରବାର ଧରାପଡିବା ପରେ କାରବାର ବନ୍ଦ ହୋଇଥିଲା। ତେବେ ସେତେବେଳେ ମଧ୍ୟ ପୁଲିସ ନୀରବ ରହିଥିଲା ଅପମିଶ୍ରଣ ଘଟଣାକୁ ନେଇ। ସେହିପରି ଜିଲାର ଅନେକ ପମ୍ପରେ କିରୋସିନି ଅପମିଶ୍ରଣ ଅଭିଯୋଗ ସହ ମାପରେ ଠକେଇ କରାଯାଉଥିବା ଅଭିଯୋଗ ବହୁ ପୁରୁଣା। ତେଣୁ ବିଭିନ୍ନ ତୈଳ କମ୍ପାନୀ ପକ୍ଷରୁ ଡିଜେଲ ଓ ପେଟ୍ରୋଲର ଗୁଣବତ୍ତା ଓ ମାନ ଯାଞ୍ଚ କରିବାକୁ ଦାବି ହେଉଛି।

Comments are closed.