ପୁଣି ବୁଲିଲାଣିି କଳାକାଚ ଗାଡ଼ି

ଭୁବନେଶ୍ୱର/କଟକ : କାର ସହିତ ଚାରିଚକିଆ ଗାଡିରେ କଳାକାଚ ଲଗାଇ କେତେକ ଅସାମାଜିକ ଯୁବକ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଗାଡିରେ କଳାକାଚ ଲଗାଇବା ବେଆଇନ ହୋଇଥିଲେ ମଧ୍ୟ ପୁଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନୀରବ ରହିଛି। ପୁଲିସର କୋହଳ ମନୋଭାବର ଫାଇଦା ଉଠାଇ ଚାଲିଛନ୍ତି ଏହି ସମାଜ ବିରୋଧୀ ଯୁବକମାନେ। ଗାଡିରେ ନିଶା ସେବନଠାରୁ ଆରମ୍ଭକରି ସବୁ ପ୍ରକାର ବେଆଇନ କାର୍ଯ୍ୟ ଅନାୟାସରେ ଚଳାଉଛନ୍ତି। କଳାକାଚ ଯୋଗୁଁଁଁଁଁ ଅପରାଧ ଘଟାଇବା କିମ୍ବା ଅନୈତିକ କାର୍ଯ୍ୟକଳାପକୁ ଖୁବ୍‍ ସହଜରେ ଭିଆଇ ଦୃଷ୍ଟି ଆଢୁଆଳରେ ରହୁଛନ୍ତି। ସଂଧ୍ୟା ନଇଁଲେ ଏସବୁ ଗାଡ଼ିର ସଂଖ୍ୟା ଆହୁରି ବଢ଼ିଯାଉଛି। ସହରର ଆଭ୍ୟନ୍ତରୀଣ ଏବଂ ରାଜପଥଗୁଡ଼ିକରେ କଳାକାଚ ଥିବା ଗାଡ଼ିଗୁଡ଼ିକ ବେଶ ଚଳପ୍ରଚଳ କରୁଥିବାର ଦେଖିବାକୁ ମିଳୁଛି। ରାଜଧାନୀ ଏବଂ କଟକ ମଧ୍ୟରେ ଏହି ଗାଡ଼ିଗୁଡ଼ିକ ରାସ୍ତା କଡ଼ରେ ପାର୍କିଂ କରୁଥିବାର ଦେଖିବାକୁ ମଳିଛି।

କଳାକାଚ ଯାଞ୍ଚ ହେଉନାହିଁ

କମିସନରେଟ୍ ପୁଲିସ ପକ୍ଷରୁ କାର୍ ବା ଚାରିଚକିଆ ଗାଡ଼ିରେ ଝରକା କାଚରେ କଳାକାଚ ଲଗାଇଲେ ଜୋରିମାନା ଆଦାୟ କରାଯାଉଥିଲା। ମୋଟରଯାନ ଆଇନରେ ଏନେଇ କଟକଣା ରହିଛି। ନୂତନ ମୋଟର ଯାନ ଆଇନରେ ମଧ୍ୟ କଳାକାଚ ଥିବା ଗାଡ଼ିଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ ଲାଗି ଆଇନରେ ବ୍ୟବସ୍ଥା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପକୁମାର ମହାନ୍ତି କହିଛନ୍ତି। ଆଇନରେ ବ୍ୟବସ୍ଥା ରହିଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରାଯାଉନାହିଁ। ପରିବହନ ବିଭାଗ ହେଉ ବା କମିସନରେଟ୍ ଟ୍ରାଫିକ୍ ପୁଲିସ କେହି ବି ଏନେଇ ଯାଞ୍ଚ କରୁ ନାହାନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ଏବେ ଯେଉଁସବୁ ଗାଡ଼ିରେ କଳା ରଙ୍ଗର ଫିଲ୍ମ ଲାଗିଛି ତାହା ହେଉଛି ଦାମୀ ଗାଡ଼ି ବା ପ୍ରଭାବଶାଳୀ ଲୋକଙ୍କର। ତେଣୁ ଯାଞ୍ଚ କରାଯିବା ବେଳେ କର୍ମଚାରୀଙ୍କୁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି।

ମେସେଜ୍‌ରେ ଗ୍ରାହକ ଯୋଗାଯୋଗ

ମୋବାଇଲକୁ ଅନେକ ପ୍ରକାର ମେସେଜ୍ ଆସୁଛି। ବହୁ ମେସେଜ୍‌କୁ ଆପଣମାନେ ଅଦରକାରୀ ବୋଲି ଡିଲିଟ୍ କରି ଦିଅନ୍ତି। କିଛି ଏଭଳି ମେସେଜ୍ ଅଛି ଯାହାକୁ ଆପଣମାନେ ଭଲକରି ଅନୁଧ୍ୟାନ କଲେ ତାହା ଅନୈତିକ କାର୍ଯ୍ୟ ଲାଗି ଯୋଗାଯୋଗ କରିବାର ଏକ ମାଧ୍ୟମ। ଏଭଳି ମେସେଜକୁ ବୁଝି କେହି ତଳେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କଲେ ତୁରନ୍ତ ସେମାନଙ୍କ ଇଚ୍ଛା ମୁତାବକ ଯୁବତୀ ଯୋଗାଇ ଦିଆଯାଇଥାଏ। ମେସେଜ୍ ଏଭଳି ଢ଼ଙ୍ଗରେ ଲେଖାଯାଇଥାଏ ଯାହାର ଅର୍ଥ ‘ଆପଣଙ୍କର ସମୟ ଅତିବାହିତ କରିବା ଲାଗି ଆପଣଙ୍କ ଅଞ୍ଚଳରେ ଜଣେ ଯୁବତୀ ବନ୍ଧୁଙ୍କର ଆବଶ୍ୟକତା ଅଛି କି? ତେବେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ’। ଏକ ମୋବାଇଲ୍ ଫୋନ୍ ନମ୍ବର ପ୍ରଦାନ କରାଯାଇଥାଏ। ଏହି ମେସେଜରେ ପ୍ରଦାନ କରାଯାଇଥିବା ନମ୍ବରକୁ ଆପଣ ଯୋଗାଯୋଗ କଲେ କେହି ଯୁବତୀ ଧରିବେ ନାହିଁ। ଜଣେ ପୁରୁଷ ଟେଲିଫୋନ୍ କଲ୍ ଧରିବେ। ସେ ଅନେକ ପ୍ରକାର ପ୍ରଶ୍ନ ପଚାରିବେ। ଆପଣଙ୍କର କଥାରୁ ସେ ଠଉରେଇ ନେବେ କ’ଣ ଚାହୁଁଛନ୍ତି। ତାପରେ ଆପଣଙ୍କୁ ସେ ଯୋଗାଯୋଗ କରି ସମସ୍ତ ପ୍ରକାର ବୁଝାଇ ଦେବେ। ଆପଣଙ୍କ ନିକଟରେ ଯୁବତୀ ପହଞ୍ଚିଯିବେ ନଚେତ୍ ଆପଣଙ୍କୁ ନେଇ ସେଠାରେ ପହଞ୍ଚାଇ ଦିଆଯିବ। ଏଥିପାଇଁ ଏକ ସ୍ୱତନ୍ତ୍ର ରାକେଟ୍ କାର୍ଯ୍ୟ କରୁଛି। ସହରର ଉପକଣ୍ଠରେ ଏମିତି କିଛି ସ୍ଥାନ ରହିଛି। ଯାହାକୁ ଆପଣମାନେ କେବେ ବି ଭାବି ନ ଥିଲେ। ସେକ୍ସ ରାକେଟ୍ ଏଭଳି ଏକ ନୂଆ ଢ଼ଙ୍ଗରେ ଚାଲିଛି ରାଜଧାନୀରେ। କଟକ ସହରରେ ମଧ୍ୟ ଏହାର ଛାପ ପଡ଼ିଲାଣି। ଏଭଳି କାରବାରରେ କଳା ରଙ୍ଗର କାଚ ଥିବା ଗାଡ଼ିକୁ ବ୍ୟବହାର କରାଯାଉଛି। ଏଭଳି ନୂଆ ତରିକାରେ ଚାଲୁଥିବା ସମ୍ପର୍କରେ କମିସନରେଟ୍ ପୁଲିସ ପାଖରେ ଖବର ପହଞ୍ଚିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏହା ଉପରେ ନଜର ରଖାଯାଇଥିବା ସେ କହିଛନ୍ତି। ଏ ସଂକ୍ରାନ୍ତରେ ଡିସିପି ପ୍ରତୀକ ସିଂହଙ୍କୁ ପଚାରିବାରୁ, କିଛିଦିନ ହେବ ଏପରି ଅଭିଯୋଗ ଶୁଣିବାକୁ ମିଳିଛି। ଏହାକୁ ଆମେ ଗୁରୁତର ସହ ନେଉଛୁ। ସହରରେ ଆଗାମୀ ଦିନରେ କଳାକାଚ ଗାଡିକୁ କଡାକଡି ଭାବେ ଯାଞ୍ଚ କରାଯିବ। ଏ ନେଇ ସମସ୍ତ ଥାନାକୁ ଖୁବ୍‍ଶୀଘ୍ର ନୋଟିସ୍‍ ପଠାଯିବ ବୋଲି ଡିସିପି ସିଂହ କହିଛନ୍ତି।

Comments are closed.