ଓଡ଼ିଶାରେ ବ୍ଲାକ ଫଙ୍ଗସ ପରୀକ୍ଷା ଓ ଚିକିତ୍ସା ସମ୍ଭବ

ଭୁବନେଶ୍ୱର: କରୋନା କାଳରେ କଳାଦାଗ (ବ୍ଲାକ୍‍ ଫଙ୍ଗସ ବା ମ୍ୟୁକୋର୍ମାଇକୋସିସ୍‍) ରୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ନହେବାକୁ ରାଜ୍ୟ ଭେଷଜ ଶିକ୍ଷା ତାଲିମ ନିର୍ଦେଶକ ଡାକ୍ତର ସି.ବି.କେ ମହାନ୍ତି କହିଛନ୍ତି। ଡାକ୍ତର କହିଛନ୍ତି ଏହା କରୋନା ଭଳି ସଂକ୍ରାମକ ନୁହେଁ। ଏହି ରୋଗ ପୂର୍ବରୁ ଥିଲା ଏବଂ ଏବେ ମଧ୍ୟ ରହିଛି। ତଫାତ ଏତିକି ପୂର୍ବରୁ ମଧୁମେହ, କର୍କଟ, ବୃକକ ଏବଂ ଅଙ୍ଗ ପ୍ରତିରୋପଣ କରାଯାଇ ଥିବା ରୋଗୀଙ୍କ ପାଖରେ ବ୍ଲାକ ଫଙ୍ଗସ ଦେଖାଯାଉଥିଲା। ଏହି ରୋଗଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ବେଳେବେଳେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୁଅନ୍ତି। କିନ୍ତୁ ବହୁତ କମ ରୋଗୀଙ୍କ ପାଖରେ ଦେଖାଯାଏ। ଏବେ ମଧୁମେହ ରୋଗୀ କରୋନା ସଂକ୍ରମିତ ଥାଇ ଷ୍ଟେରଏଡ ନେଲେ ବ୍ଲାକ ଫସଙ୍ଗ ହେବାର ସମ୍ଭାବନା ଅଧିକ। ବ୍ଲାକ ଫଙ୍ଗସ ରୋଗର ପରୀକ୍ଷା ନିରୀକ୍ଷା ସୁବିଧା ଓଡ଼ିଶାର ମାଇକ୍ରୋଲାବ୍ରୋଟୋରୀ (ପରୀକ୍ଷାଗାର)ରେ ରହିଛି। ଏହାର ଉପଯୁକ୍ତ ଚିକିତ୍ସା ରାଜ୍ୟରେ ସମ୍ଭବଏବଂ ଔଷଧ ମଧ୍ୟ ବଜାରରେ ଉପଲବ୍ଧ। ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି। ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ।

ବରିଷ୍ଠ ସ୍ୱାସ୍ଥ୍ୟ ପରାମର୍ଶଦାତା ଡ. ସୁଶାନ୍ତ କୁମାର ସେଠୀ କହିଛନ୍ତି, ମଧୁମେହ ଓ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ରୋଗୀଙ୍କ ପାଖରେ ଏହି ପ୍ରକାର ରୋଗ ଦେଖାଦେବା ସମ୍ଭାବନା ଅଧିକ। ଭାରତରେ ୫୦ ପ୍ରତିଶତ ଲୋକ ମଧୁମେହରେ ଆକ୍ରାନ୍ତ। ମଧୁମେହ ରୋଗୀ କରୋନାରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ଥିବା ସମୟରେ ଷ୍ଟେରଏଡ୍‌ ନେଉଥିଲେ ସେମାନଙ୍କ କ୍ଷେତ୍ରରେ ବ୍ଲାକ ଫଙ୍ଗସ ହେବା ସମ୍ଭାବନା ରହୁଛି। ଷ୍ଟେରଏଡ୍‌ ରୋଗ ପ୍ରତିରୋଧକ ଶକ୍ତି କମାଏ। ମଧୁମେହ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କମ କରେ ଏବଂ କରୋନା ବି ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଛି। ଭାରତରେ ଦେଖାଯାଉଛି ଯେଉଁ ରୋଗୀ ମଧୁମେହ ଥାଇ କରୋନା ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ବ୍ଲାକ ଫଙ୍ଗସ ସଂକ୍ରମିତ କରୁଛି। ଏହି ରୋଗ ନାକ, ଆଖିଡୋଳା, ମସ୍ତିଷ୍କ, ଶ୍ୱାସନଳୀ ଏବଂ ଫୁସ୍‍ଫୁସ୍‍କୁ ଆକ୍ରାନ୍ତ କରେ। ନାକ ଏବଂ ଆଖିରୁ କଳାପାଣି ବାହାରେ। ଆଣ୍ଟିଫଙ୍ଗାଲ ଏବଂ ଅସ୍ତ୍ରୋପଚାର ଦ୍ୱାରା ଚିକିିତ୍ସା ସମ୍ଭବ। ବ୍ଲାକ ଫଙ୍ଗସରେ ଯେଉଁ ଅଂଶ ସଂକ୍ରମିତ ହୋଇଥିବ ସେହି ଅଂଶକୁ ଅସ୍ତ୍ରୋପଚାର କରାଯାଏ। କରୋନା ଆକ୍ରାନ୍ତଙ୍କୁ ବ୍ଲାକ ଫଙ୍ଗସ ହେଲେ ରୋଗୀ ଜଟିଳ ଅବସ୍ଥାକୁ ଚାଲିଯାଏ। ଏହି ରୋଗ ପୂର୍ବରୁ ଥିଲା।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ମାନସରଞ୍ଜନ ପଟ୍ଟନାୟକ କହିଛନ୍ତି, ଗୁରୁତର ଏବଂ ମଧ୍ୟମ ଧରଣ କରୋନା ସଂକ୍ରମିତ ଚିକିତ୍ସା କିମ୍ବା ଆରୋଗ୍ୟ ପରେ ବ୍ଲାକ୍‍ ଫଙ୍ଗସରେ ପୀଡିତ ହୋଇପାରନ୍ତି। ଗୁଜରାଟ ଏବଂ ମହାରାଷ୍ଟ୍ରରେ ସଂକ୍ରମିତ ଆରୋଗ୍ୟ ହେବା ପରେ ବ୍ଲାସ ଫଙ୍ଗସରେ ଆକ୍ରାନ୍ତ ହେଉଥିବା ଚିକିତ୍ସାରୁ ଜଣାପଡିଛି। କିନ୍ତୁ ଚିକିତ୍ସା ସମୟରେ ସର୍ବାଧିକ ସଂକ୍ରମିତ ବ୍ଲାକ ଫଙ୍ଗସରେ ପୀଡିତ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ବ୍ଲାକ ପଙ୍ଗସ ପାଇଁ ଆଣ୍ଟିଫଙ୍ଗାଲ ଚିକିତ୍ସା ଉପଲବ୍ଧ। ରୋଗୀ ଏହାକୁ ସାଧାରଣ ରୋଗ ଭାବେ ନେବା ଉଚିତ ନୁହେଁ। ମୁତ୍ର ଦ୍ୱାର ଏବଂ ମଳ ଦ୍ୱାରାରେ ବେଶି ଦେଖାଯାଏ। ଆଖି ନଷ୍ଟ କରିଦିଏ।

ଚର୍ମରେ ଆଲର୍ଜୀ ଦେଖାଦେବ ପରେ ଆସ୍ତେ ଆସ୍ତେ ରୋଗୀର ଶରୀର ରଙ୍ଗ ବଦଳିବା ଆରମ୍ଭ କରିବ। ଚର୍ମର ଯେଉଁ ଅଂଶରେ ବ୍ଲାକ ଫଙ୍ଗସ ଆରମ୍ଭ ହୁଏ ସେହି ସ୍ଥାନଟି ଫୁଲିଯାଏ। କିଛି ସମୟ ପରେ ଜାମୁକୋଳି ରଙ୍ଗ ପରି ଦେଖାଯାଏ। ବାହାର ରାଜ୍ୟରେ କରୋନାରେ ସଂକ୍ରମିତ ହେବା ପରେ ବ୍ଲାକ ଫଙ୍ଗସରେ ପୀଡ଼ିତ ରୋଗୀ ମୃତ୍ୟୁବରଣ କରିଛନ୍ତି। ହେଲେ କରୋନା ନାଁ ବ୍ଲାକ ଫଙ୍ଗସରେ ମୃତ୍ୟୁ ହୋଇଛି ତା’ ଉପରେ ଗବେଷଣା ଚାଲିଛି। କରୋନାକୁ ଯେଉଁଭଳି ଗୁରୁତ୍ବ ଦିଆଯାଇ ଚିକିତ୍ସା କରାଯାଉଛି, ବ୍ଲାକ ଫଙ୍ଗସକୁ ମଧ୍ୟ ଅନୁରୂପ ଗୁରୁତ୍ବ ଦେଇ ଚିକିତ୍ସା କରିବା ଉଚିତ।

Comments are closed.