କଳା କବକ ସଂକ୍ରମଣ, ୩ ସପ୍ତାହରେ ଗଲାଣି ୨୧୦୦ ଜୀବନ

ନୂଆଦିଲ୍ଲୀ: ଦେଶରେ କଳା କବକ (ବ୍ଲାକ ଫଙ୍ଗସ୍‌) ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନାରୁ ଆରୋଗ୍ୟ ହେଉଥିବା ବ୍ୟକ୍ତି, ମଧୁମେହ ପୀଡିତଙ୍କୁ ଏହି କବକ ସଂକ୍ରମଣ ବେଶୀ ହେଉଛି। ଏହି କବକ ସଂକ୍ରମଣରେ ଗତ ୩ ସପ୍ତାହ ମଧ୍ୟରେ ସମଗ୍ର ଦେଶରେ ୨୧୦୯ ଜଣଙ୍କର ମୃତ୍ୟୁ ହେଲାଣି। ଏହି କବକରେ ଏବେ ପ୍ରାୟ ୩୧,୨୧୬ ସଂକ୍ରମିତ ହେଲେଣି। କଳା କବକ ସଂକ୍ରମଣର ଚିକିତ୍ସା ନିମନ୍ତେ ଆମ୍ଫେଟେରିସିନ୍‌-ବି ଔଷଧର ବ୍ୟବହାର କରାଯାଉଛି। ତେବେ ଏହି ଔଷଧର ବ୍ୟାପକ ଅଭାବ ଦେଖାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୭,୦୫୭ ଜଣ ସଂକ୍ରମିତ ହୋଇଥିବାବେଳେ ୬୦୯ ଜଣଙ୍କର ମୃତ୍ୟୁ ହୋଇଛି।

ମହାରାଷ୍ଟ୍ର ପଛକୁ ଗୁଜରାଟ ରହିଛି। ଗୁଜରାଟରେ ୫,୪୧୮ ଜଣ ସଂକ୍ରମିତ ହୋଇଥିବାବେଳେ ୩୨୩ ଜଣଙ୍କର ମୃତ୍ୟୁ ହୋଇଛି। ସେହପରି ରାଜସ୍ଥାନରେ ୨୯୭୬ ସଂକ୍ରମିତ ହୋଇଛନ୍ତି। ମେ ୨୫ ତାରିଖ ବେଳକୁ ମହାରାଷ୍ଟ୍ରରେ ୨୭୭୦ ଓ ଗୁଜରାଟରେ ୨୮୫୯ ସଂକ୍ରମିତ ଥିଲେ। ଉତ୍ତରପ୍ରଦେଶରେ ୧୭୪୪ଜଣ ସଂକ୍ରମିତ ହୋଇଥିବାବେଳେ ୧୪୨ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ୧୨୦୦ ସଂକ୍ରମିତ ହୋଇଥିବାବେଳ ୧୨୫ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.