ବିଜେପି ୭ ନମ୍ବର ଜୋନର ସାଧାରଣ ବୈଠକ

ବୌଦ୍ଧ: ବୌଦ୍ଧଜିଲା ବିଜେପି ୭ ନମ୍ବର ଜୋନ ର ଏକ ସାଧାରଣ ବୈଠକ ମଣ୍ଡଳ ସଭାପତି ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଦେବଗଡ ରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସହରର ଉପାନ୍ତରେ ଥିବା ଏହି ଅଞ୍ଚଳର ଚାଷୀଙ୍କ ପ୍ରତି ସରକାର ଚରମ ଅବହେଳା ପ୍ରଦର୍ଶନ କରୁଥିବାରୁ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା। ୂକେନ୍ଦ୍ରୀୟ ଯୋଜନାଗୁଡିକୁ ଦଳୀୟ ଭିତ୍ତିରେ ଦିଆଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ଅବହେଳା ପ୍ରଦର୍ଶନ କରାଯାଉଥିବାବେଳେ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚି ସାରିଥିବା ନେଇ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା। କୌଣସି ଆପର୍ତ୍ତି ଅଭିଯୋଗ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଚଳିତବର୍ଷ ବୌଦ୍ଧଜିଲାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ଟାର୍ଗେଟ ଦିଆନଯିବାରୁ ଅନେକ ଗରିବ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହେବେ। ତେଣୁ ଭବିଷ୍ୟତରେ ଏଥିପାଇଁ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ସ୍ଥିର କରାଯାଇଥିଲା।

ଖରିଫ ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣରେ ସାର ଓ ଔଷଧ ମହଜୁଦ ରଖିବାକୁ ଜିଲା କୃଷି ବିଭାଗକୁ ଅନୁରୋଧ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଉପଯୁକ୍ତ କେନାଲ ମରାମତି କରାଯାଉନଥିବାରୁ ସାଲୁଙ୍ଖୀ ଜଳସେଚନ ଯୋଜନାରେ ତଳମୁଣ୍ଡର ଚାଷୀମାନେ ଆଦୌ ପାଣି ପାଇପାରୁନଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା। ଆସନ୍ତା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିର ଦଳୀୟ ପ୍ରାର୍ଥୀମାନଙ୍କୁ ଦୃଢ ସମର୍ଥନ ଜଣାଇ ବିଜୟୀ କରାଇବା ପାଇଁ ବୈଠକରେ ସଂକଳ୍ପ ନିଆଯାଇଥିଲା। ଏହି ବୈଠକରେ ଶମ୍ଭୁ ପ୍ରଧାନ,ସୁଦାମ ମେଣ୍ଡିଲି,ନରେନ୍ଦ୍ର ଷାଣ୍ଢ,ସୁନିଲ କ୍ଷେତି,କୈବଲ୍ୟ ପ୍ରଧାନ,ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ଯୁଗଳ କିଶୋର ସାହୁଙ୍କ ସମେତ ୩୦ ଜଣ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

Comments are closed.