ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବନି ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଯାଇଥିବାବେଳେ ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ନିର୍ବାଚନରେ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ନାହିଁ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଦଳୀୟ ନେତୃତ୍ଵ ଏବଂ ବିଧାୟକମାନେ ମିଶି ମୁଖ୍ୟମନ୍ତ୍ରୀ ସ୍ଥିର କରିବେ ବୋଲି ବିଜୟବର୍ଗୀୟ କହିଛନ୍ତି।

ଅନ୍ୟପଟେ ଆଦିତ୍ୟ ବିର୍ଲା ଗ୍ରୁପର ବରିଷ୍ଠ ଉପସଭାପତି ରଞ୍ଜନ ବାନାର୍ଜୀ ବୁଧବାର କଲକାତାରେ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଜ୍ୟବାସୀଙ୍କ ସେବା କରିବା ଲାଗି ବିଜେପି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି। ଆମକୁ ଏଠାରେ ଉଦ୍ୟୋଗ ପ୍ରତିଷ୍ଠା କରିବା ଜରୁରୀ, ଯାହା ଫଳରେ ଲୋକଙ୍କୁ ରୋଜଗାର ମିଳିପାରିବ।

ଏହାବ୍ୟତୀତ ଆଉ ଜଣେ ଟିଏମସି ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ବୁଧବାର ଦଳ ଛାଡ଼ି ଦିଲ୍ଲୀଠାରେ ବିଜେପିରେ ସାମିଲ ହୋଇଛନ୍ତି। ସେ ଶାନ୍ତିପୁର ଆସନରେ ଟିଏମସି ବିଧାୟକ ଥିଲେ। ଅରିନ୍ଦମ ୨୦୧୬ରେ କଂଗ୍ରେସ ଟିକଟରେ ନିର୍ବାଚନ ଜିତିଥିଲେ। ଗତବର୍ଷ ସେ ଟିଏମସିରେ ଯୋଗଦେଇଥିଲେ। ଏବେ ସେ ବିଜେପିକୁ ଡେଇଁଛନ୍ତି।

Comments are closed.