୧୩ ରାଜ୍ୟରେ ୫୦%ରୁ ଊର୍ଦ୍ଧ୍ଵ ଭୋଟ ପାଇଛି ବିଜେପି

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇସାରିଛି। ଏଥିରେ ବିଜେପି କ୍ଲିନ ସୁଇପ୍‌ କରିଛି। ତେବେ ଗତ ୨୦୧୪ ନିର୍ବାଚନ ତୁଳନାରେ ଏଥର ଦଳକୁ ଅଧିକ ଜନସମର୍ଥନ ମିଳିଥିବା ସ୍ପଷ୍ଟ ହୋଇଛି। ଚଳିତଥର ୧୩ଟି ରାଜ୍ୟରେ ବିଜେପିକୁ ୫୦%ରୁ ଊର୍ଦ୍ଧ୍ଵ ଭୋଟ ମିଳିଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ଅନ୍ୟପଟେ ୨୦୧୪ରେ ଜାତୀୟ ସ୍ତରରେ ବିଜେପିକୁ ୩୧.୩୪% ଭୋଟ ମିଳିଥିଲା ବେଳେ କଂଗ୍ରେସକୁ ୧୯.୫% ଭୋଟ ମିଳିଥିଲା।

ଚଳିତ ନିର୍ବାଚନରେ କଂଗ୍ରେସ କେବଳ ପୁଡୁଚେରୀରେ ୫୦% ଭୋଟ ପାଇବାରେ ସଫଳ ହୋଇଛି। ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଭଳି ଗୁରୁତ୍ଵପୂର୍ଣ୍ଣ ରାଜ୍ୟଗୁଡ଼ିକରେ କଂଗ୍ରେସର ଭୋଟ ହାର ଏକ ଅଙ୍କ ଡେଇଁନାହିଁ। ନିର୍ବାଚନ ଆୟୋଗଙ୍କ ୱେବସାଇଟ୍‌ରୁ ମିଳିଥିବା ପ୍ରାରମ୍ଭିକ ତଥ୍ୟ ଅନୁସାରେ କଂଗ୍ରେସ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୬% ଭୋଟ ପାଇଥିବାବେଳେ ବିହାରରେ ୭%, ଆନ୍ଧ୍ରପ୍ରଦେଶ, ସିକ୍କିମରେ ୧% ଲେଖାଏ ଭୋଟ ପାଇଛି। ତେବେ ପଞ୍ଜାବରେ କଂଗ୍ରେସକୁ ୪୦% ଏବଂ ପୁଡୁଚେରୀରେ ୫୭% ଭୋଟ ମିଳିଛି।

ଅପରପକ୍ଷେ ଉତ୍ତରପ୍ରଦେଶ ସମେତ ହରିୟାଣା, ରାଜସ୍ତାନ, ଉତ୍ତରାଖଣ୍ଡ, ଗୁଜରାଟ, ହିମାଚଳ ପ୍ରଦେଶ, ଗୋଆ, କର୍ନାଟକ, ଚଣ୍ଡିଗଡ଼, ଦିଲ୍ଲୀ, ଅରୁଣାଚଳ ପ୍ରଦେଶ ଏବଂ ଝାଡ଼ଖଣ୍ଡ ଭଳି ହିନ୍ଦୀ ରାଜ୍ୟରେ ବିଜେପି ୫୦% ଭୋଟ ପାଇଛି। ସେହିପରି ଦଳକୁ ପଶ୍ଚିମବଙ୍ଗରେ ୪୦% ଏବଂ  ଜାମ୍ମୁ-କାଶ୍ମୀରରେ ୪୬% ଭୋଟ ମିଳିଛି।

Comments are closed.