ଧାରଣାରୁ ଉଠିଲେ ବିଜେପି ବିଧାୟକ, ବାଚସ୍ପତିଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହେବେ

ଭୁବନେଶ୍ଵର: ବିଧାନସଭାରେ ବିରୋଧୀଙ୍କୁ କିଛି କହିବାକୁ ସୁଯୋଗ ଦିଆଯାଉ ନାହିଁ। ବିନା ଆଲୋଚନାରେ ବିଲ୍‌ ପାରିତ କରାଯାଉଛି। ବାଚସ୍ପତି ବିରୋଧୀଙ୍କ କଥା ଶୁଣୁ ନାହାନ୍ତି। ଅନ୍ୟ ଚାପରେ ପଡ଼ି ଏକପାଖିଆ ନିଷ୍ପତ୍ତି ନେଉଛନ୍ତି ବିଜେପି ଅଭିଯୋଗ କରିଛି। ଏ ନେଇ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଫେରାଦ କରାଯିବ ବୋଲି ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି।

ଗତକାଲି ଗୃହରେ ହଟ୍ଟଗୋଳ ଚାଲିଥିବା ବେଳେ ବିଲ୍‌ ପାରିତ ହୋଇଥିଲା। ବାଚସ୍ପତି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ୩ ସଦସ୍ୟଙ୍କୁ ନିଲମ୍ବିତ କରିଥିଲେ। ଏହା ପ୍ରତିବାଦରେ ବିଜେପି ବିଧାୟକମାନେ ଗତକାଲିଠାରୁ ବିଧାନସଭା ପରିସରସ୍ଥ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ରାତି ସାରା ବିଧାୟକମାନେ ଧାରଣାରେ ବସିଥିଲେ। ରବିବାର ପୂର୍ବାହ୍ନରେ ବିଜେପି ସହପ୍ରଭାରୀ ବିଜୟପାଲ ସିଂହ ତୋମାର ବିଧାୟକମାନଙ୍କୁ ଭେଟିବା ପରେ ସେମାନେ ଧାରଣାରୁ ଉଠିଥିଲେ।

ଏହା ପରେ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଉପସ୍ଥିତ ରହି ସମସ୍ତ ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ବାଚସ୍ପତି ଅନ୍ୟ ଚାପରେ ପଡ଼ି ଗୃହରେ ବିରୋଧୀ ସଦସ୍ୟମାନଙ୍କ କଥା ଶୁଣୁନାହାନ୍ତି। ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମକୁ ପକ୍ଷ ରଖିବାର ସୁଯୋଗ ନ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ କହୁଛନ୍ତି। ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବୁ ବୋଲି ସେ କହିଛନ୍ତି। ଏହା ସହିତ ପାରିତ ବିଲ୍‌କୁ ମଞ୍ଜୁର ନ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯିବ ବୋଲି ପ୍ରଦୀପ୍ତ କହିଛନ୍ତି।

ସେହିପରି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିରୋଧୀମାନଙ୍କୁ ବିଶୃଙ୍ଖଳ ହେବାକୁ ବାଚସ୍ପତି ବାଧ୍ୟ କରୁଛନ୍ତି। ବାଚସ୍ପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ କଥା ଚିନ୍ତା କରୁଛୁ। ଆମ ପାଖେ ଆବଶ୍ୟକ ସଂଖ୍ୟା ନ ଥିବାରୁ ତୁରନ୍ତ ପ୍ରସ୍ତାବ ଆଣିପାରୁନୁ। ମହାଭିଯୋଗ ପ୍ରସ୍ତାବରେ କଂଗ୍ରେସ ସମର୍ଥନ କଲେ ଭଲ ହୁଅନ୍ତା ବୋଲି ବିଜେପି କହିଛି।

Comments are closed.