୨୦୨୪ରେ ରାଜ୍ୟରେ ସରକାର ଗଠନ ଲାଗି ବିଜେପିର ନକ୍ସା: ୬ ଜିଲାରେ ଦଳୀୟ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା

ଅନୁଗୁଳ, ଢେଙ୍କାନାଳ, କେଉଁଝର, ବାରିପଦା, ସୁନ୍ଦରଗଡ ଏବଂ ବରଗଡ ଠାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟିତ

ବିଜେପି କାର୍ଯ୍ୟାଳୟ କେବଳ ଏକ କୋଠା ନୁହେଁ ଏକ ସଂସ୍କାର କେନ୍ଦ୍ର
ଯେଉଁ କାର୍ଯ୍ୟାଳୟ ଘରୁ ଚାଲେ ତାକୁ ପାରିବାରିକ ଦଳ କୁହାଯାଏ 
ଦେଶର ୪୦୦ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ନିର୍ମାଣ  ଶେଷ
ଓଡିଶାରେ  ଆଉ ୬ଟି ଜିଲାରେ କାର୍ଯ୍ୟାଳୟ ନିର୍ମାଣ ହେବାକୁ ଯାଉଛି

ଭୁବନେଶ୍ୱର:ବିଜେପି କାର୍ଯ୍ୟାଳୟ ଏକ କୋଠା ନୁହେଁ ବରଂ ଏହା ଏକ ସଂସ୍କାର କେନ୍ଦ୍ର। ଏହି ଭବନ ମାଧ୍ୟମରେ ଆମେ ଦଳ ସହ ଯୋଡି ହୋଇ ରହିଥାଉ। ଦଳର ସଂସ୍କାର କାର୍ଯ୍ୟାଳୟରୁ ହିଁ ମିଳିଥାଏ। ବିଶ୍ୱର ସର୍ବବୃହତ ଦଳର ଏହି କାର୍ଯ୍ୟାଳୟଗୁଡିକ କାର୍ଯ୍ୟକର୍ତାଙ୍କ ବିକାଶରେ ଭାଗିଦାର ହେବ। କେବଳ ସେତିକି ନୁହେଁ କାର୍ଯ୍ୟାଳୟରେ କାର୍ଯ୍ୟକର୍ତାଙ୍କ ସମସ୍ୟାର ସମାଧାନ କରାଯାଏ। କିନ୍ତୁ କିଛି ଲୋକଙ୍କ କାର୍ଯ୍ୟାଳୟ ନିଜ ଘରୁ ଚାଲିଥାଏ। ଯେଉଁ କର୍ଯ୍ୟାଳୟ ଘରୁ ଚାଲେ ତାକୁ ପାରିବାରିକ ଦଳ କୁହାଯାଏ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି  ଜଗତ ପ୍ରକାଶ ନଡ୍ଡା କହିଛନ୍ତି।

ଆଜି ଦିଲ୍ଲୀ ଠାରେ ଶ୍ରୀ ନଡ୍ଡା ଭିଡିଓ କନଫରେନ୍ସରେ ରାଜ୍ୟର ୬ଟି ଜିଲ୍ଲା ଅନୁଗୁଳ, ଢେଙ୍କାନାଳ, କେଉଁଝର, ବାରିପଦା, ସୁନ୍ଦରଗଡ ଏବଂ ବରଗଡ ଠାରେ ବିଜେପିର ନୂତନ କାର୍ଯ୍ୟାଳୟ ଭବନକୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନ ସଭାରେ ଶ୍ରୀ ନଡ୍ଡା କାର୍ଯ୍ୟକର୍ତାଙ୍କୁ ଉଦବୋଧନ କରି କହିଛନ୍ତି ଯେ, ଓଡିଶା ବିଜେପି ପାଇଁ ଆଜି ଖୁସିର ଦିନ। ୨୦୧୪ ମସିହାରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ବିଜେପିର କାର୍ଯ୍ୟାଳୟ ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳ୍ପନା କରିଥିଲେ। ବିଜେପିର ତତ୍କାଳୀନ ଅଧ୍ୟକ୍ଷ ଅମିତ ଶାହା ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସ୍ୱପ୍ନକୁ ସାକାର କରିବା କାର୍ଯ୍ୟରେ ସାମିଲ ହୋଇ ଏହି କାର୍ଯ୍ୟକୁ ଆଗକୁ ବଢାଇଥିଲେ। ଏବେ ସୁଦ୍ଧା ଦେଶର ୪୦୦ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ନିର୍ମାଣ ହୋଇସାରିଥିବା ସମୟରେ ୨୦୦ ଜିଲ୍ଲାରେ ନିର୍ମାଣ କାମଚାଲିଛିିି ଏବଂ ବାକି ଅନ୍ୟାନ୍ୟ ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁରହିଛି। କେବଳ ବିଜେପି ଏମିତି ଏକ ଦଳ ଯିଏ କି କାର୍ଯ୍ୟାଳୟ ନିର୍ମାଣକୁ ମଧ୍ୟ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। ଓଡିଶାରେ ଆଗାମୀ ଦିନରେ ଆଉ ୬ଟି କାର୍ଯ୍ୟାଳୟ ନିର୍ମାଣ ହେବ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଏହି ଅବସରରେ ଶ୍ରୀ ନଡ୍ଡାଜୀ ରାଜ୍ୟର ସମସ୍ତ କାର୍ଯ୍ୟକର୍ତାଙ୍କ ସମେତ କାର୍ଯ୍ୟାଳୟ ନିର୍ମାଣ ସମିତିର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ଉଦ୍‍ଘାଟିତ ହୋଇଥିବା ୬ଟି ନୂତନ କାର୍ଯ୍ୟାଳୟରେ ଆଧୁନିକ ବ୍ୟବସ୍ଥା ରହିଛି। ଏହା ଭିତରେ କନଫରେନ୍ସ ହଲ୍‍, ମିଟିଙ୍ଗ ହଲ୍‍, ଡିଜିଟାଲ କାର୍ଯ୍ୟ ପାଇଁ ଉପକରଣ, ଇ-ଲାଇବ୍ରେରୀ ଆଦି ରହିଛି। କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟାଳୟକୁ ବ୍ୟବହାର କରି ନିଜର ବିକାଶ କରିବା ସହ ତୃଣମୂଳସ୍ତରରେ ଦଳକୁ ଆଗକୁ ବଢାଇବା କାର୍ଯ୍ୟ କରିବେ। ଓଡିଶାରେ ମୋଦି ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ଦୀଘା – ଗୋପାଳପୁର ୪୫୧ କିମି ଉପକୂଳ ରାଜପଥ ୯ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଛି। ଖୋର୍ଦ୍ଧା- ବଲାଙ୍ଗିର ରେଳ ଲାଇନ ୩୭୯୧ କୋଟି ବ୍ୟୟରେ କାମ ଚାଲିଛି। କଟକ-ଅନୁଗୁଳ–ସମ୍ବଲପୁର ଜାତୀୟ ରାଜପଥ ୪୫୦୦ କୋଟି ବ୍ୟୟରେ ଚାଲୁ ରହିଛି। ଭାରତମାଳା ପ୍ରୋଜକ୍ଟ ଅଧୀନରେ ଭୁବନେଶ୍ୱର ରିଙ୍ଗ ରୋଡ କାର୍ଯ୍ୟ ଆରମ୍ଭ ହୋଇଛି। ପାରାଦୀପ ବନ୍ଦରରେ ୧୧,୩୦୦ କୋଟି ବ୍ୟୟରେ ଗ୍ୟାସ ପ୍ଲାଂଟ କାର୍ଯ୍ୟ ଚାଲିଛି। ଓଡିଶାରେ ମୋଦି ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଆଜି ପୁଣିଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଜ୍ଜା ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି।

ବିହାର ସମେତ ଅନେକ ଉପନିର୍ବାଚନରେ ବିଜେପିକୁୁ ଦେଶର ଜନତା ଆର୍ଶୀବାଦ କରିଛନ୍ତି। ବିହାରର ବିଜେପିର ଷ୍ଟ୍ରାଇକ ରେଟ୍‍ ୬୭ ପ୍ରତିଶତ ରହିଛି। ବିହାରରେ ବିକାଶରାଜକୁ ବିହାରବାସୀ ସମର୍ଥନ ଦେଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ଓଡିଶାରେ ୩୩ ଟି ଜନଜାତି ସିଟ୍‍ ରୁ ୧୧ଟି ସିଟ୍‍ ରେ ବିଜେପି ବିଜୟୀ ହୋଇଥିଲା। ୨୦୧୪ରେ ବିଜେପିର ଭୋଟ ସେୟାର ୨୧ ପ୍ରତିଶତ ଥିବାବେଳେ ୨୦୧୯ରେ ଏହା ୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୪ରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଶ୍ରୀ ନଡ୍ଡା କହିଛନ୍ତି।

ଏହି ଅବସରରେ ଶ୍ରୀ ନଡ୍ଡାଜୀ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସର ନୀତିକୁ ପ୍ରଶଂସା କରିଛନ୍ତି। ମୋଦି ସରକାର କୋରୋନା ପରିଚାଳକୁ ସୁବନ୍ଦୋବସ୍ତ କରିଛନ୍ତି। ଦେଶରେ ୧୫ ଲକ୍ଷ କୋଭିଡ ଟେଷ୍ଟିଂ, ସାଢେ ୪ ଲକ୍ଷ କୋଭିଡ ଉତ୍ସର୍ଗୀକୃତ ଶର୍ଯ୍ୟା, ୩ଲକ୍ଷ ଭେଂଟିଲେଟର ଓ ସାଢେ ୪ ଲକ୍ଷ ପିପିଇ କିଟ୍‍ ପ୍ରତିଦିନ ତିଆରି ହେଉଛି ଏବଂ ବିଦେଶକୁ ପଠାଯାଉଛି। କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲାଗୁ କରି ୮୦କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା କାର୍ଯ୍ୟ କରିଛନ୍ତି। ସାଢେ ୮ କୋଟି ଲେକଙ୍କୁ ମାଗଣାରେ ଗ୍ୟାସ ପ୍ରଦାନ କରାଯାଇଛି ବୋଲି ଶ୍ରୀ ନଡ୍ଡା କହିଥିଲେ।

ଓଡିଶା ବିଜେପି କାର୍ଯ୍ୟକର୍ତାଙ୍କ ବହୁ ଦିନର ସ୍ୱପ୍ନ ଆଜି ସାକାର ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀଙ୍କ ନେତୃତ୍ୱରେ ୬ଟି ନୂଆ ଭବନ ନିର୍ମାଣ ହୋଇଛି।ଆଜିର ଦିନ ସ୍ମରଣୀୟ ହୋଇ ରହିବ। କରୋନା ସମୟରେ ଅନେକ କାର୍ଯ୍ୟକର୍ତାଙ୍କ ଦେହାନ୍ତ ହୋଇଛି। ଏହି ଭବନଗୁଡିକୁ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଛି। ରାଜ୍ୟରେ ୬ ଜିଲ୍ଲାରେ ୬ଟି ନୂତନ କାର୍ଯ୍ୟାଳୟଉଦଘାଟନ ହୋଇଥିବାରୁ ଓଡିଶା ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ପୂର୍ବତନ ଅଧ୍ୟକ୍ଷ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି।

ଭୁବନେଶ୍ୱର ଠାରେ ରାଜ୍ୟ ସଭାପତି ସମୀର ମହାନ୍ତି ସମୀର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଠାରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ଠାରେବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ,ରାଷ୍ଟ୍ରୀୟ ସହ ସଙ୍ଗଠନ ମନ୍ତ୍ରୀ ସୌଦାନ ସିଂ ଏବଂ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ,କାର୍ଯ୍ୟାଳୟ ନିର୍ମାଣ ରାଜ୍ୟ ସଂଯୋଜକ ତଥା କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସରେ ସୁନ୍ଦରଗଡର ସାଂସଦ ଜୁଏଲ ଓରାମ, ବାରିପଦା ସାଂସଦ ବିଶେଶ୍ୱର ଟୁଡୁ, ବରଗଡ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ୬ ଟି ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.