କରୋନା ମୁକାବିଲାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି

ରାଜ୍ୟ ଓ ଗଞ୍ଜାମ ଜିଲା ପ୍ରଶାସନ ବିଫଳ

ସରକାରୀ ସଙ୍ଗରୋଧ କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ନାହିଁ।  ଅସ୍ୱାସ୍ଥ୍ୟକର ପରିବେଶରେ ସଂକ୍ରମିତ
  ଛତ୍ରପୁର, ବ୍ରହ୍ମପୁର, ଭଂଜନଗରରେ ୧୦୦୦ଟି ବେଡ୍‍ର ୩ଟି ପୂର୍ଣ୍ଣାଙ୍ଗ କୋଭିଡ ହସ୍ପିଟାଲ ସ୍ଥାପନ ଦାବି
 ପ୍ରତିଦିନ ଗଂଜାମ ଜିଲ୍ଲାରେ ୫୦୦୦ ସ୍ୱାବ ଟେଷ୍ଟ କରାଯାଇ ଟେଷ୍ଟ ରିପୋର୍ଟ ପ୍ରଦାନ କରାଯାଉ
 ଓପିଡି ବନ୍ଦ ଥିବା କାରଣରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦେବାର ବନ୍ଦୋବସ୍ତ କରାଯାଉ
 ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପିପିଇ କିଟ୍‍ ଯୋଗାଇ ଦିଆଯାଉ

ଭୁବନେଶ୍ୱର:  କରୋନା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।  ରାଜ୍ୟରେ କରୋନା ବର୍ତମାନ ଏକ ଭୟଙ୍କର ରୂପ ନେଇସାରିଲାଣି। ଓଡିଶାରେ ଆଜି ସୁଦ୍ଧା ସର୍ବମୋଟ ୧୩ ହଜାର କରୋନା ପଜିଟିଭି ବାହାରିଲାଣି, ଯେଉଁଥିରୁ ଗଂଜାମ ଜିଲ୍ଲାରୁ କେବଳ ୪ ହଜାରରୁ ଉର୍ଦ୍ଧ। ବର୍ତମାନ ରାଜ୍ୟରେ ଆକ୍ଟିଭ ଥିବା ୪୮୯୬ କେସରୁ ଗଂଜାମରେ କେବଳ ହେଉଛି ୧୯୧୭। ଏଥିରୁ ଅନୁମାନ କରାଯାଇପାରେ ଯେ, ଗଂଜାମରେ କରୋନାର ସ୍ଥିତି କେତେ ଭୟଙ୍କର ଅଛି। କରୋନା
ମୁକାବିଲାକୁ ନେଇ ରାଜ୍ୟସରକାର ନାନା ପ୍ରକାର ଭାଷଣବାଜି କରୁଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ  ଓଲଟା। କରୋନା ମୁକାବିଲାରେ ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ; ବିଭିନ୍ନ ସରକାରୀ କ୍ୱାରେଂଟାଇନ ସେଂଟର, ଆଇସୋଲେସନ ସେଂଟର ମାନଙ୍କରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ନିମ୍ନମାନର ଖାଇବା ମିଳୁଛି ଏବଂ ଆକ୍ରାନ୍ତକାରୀମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି। ପ୍ରଥମ ଦିନରୁ ଏ ଅବ୍ୟବସ୍ଥା ଚାଲିଆସିଛି। ଯେତେବେଳେ ପ୍ରବାସୀମାନେ ରାଜ୍ୟକୁ ଫେରିଲେ ସେତେବେଳେ ବିନା ସୁବିଧା ଓ ବିନା ବ୍ୟବସ୍ଥାରେ ବିଭିନ୍ନ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଗଲା । ଯାହା ଫଳରେ କିଛି ଲୁଚିକି ଘରକୁ ପଳାଇଲେ ଓ ଆହୁରି ଅନେକ ସମସ୍ୟା ତିଆରି ହେଲା, ଏହି କାରଣ  ପାଇଁ ଗଂଜାମରେ ଆଜି ଏହି ଅବ୍ୟବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ଜିଲ୍ଲାରେ କରୋନା ରୋଗୀଙ୍କ  ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ ।  ଯେଉଁ ୩୦ଟି ବେଡ ତାହା ଆବଶ୍ୟକତାକୁ ପୁରଣ
କରିପାରୁନାହିଁ। ତେଣୁ ରାଜ୍ୟ ସରକାର ତୁରନ୍ତ ଜିଲ୍ଲାର ୩ଟି ସବଡିଭିଜନ (ଛତ୍ରପୁର, ବ୍ରହ୍ମପୁର, ଭଂଜନଗର)ରେ ୧୦୦୦ଟି ବେଡର ୩ଟି ପୂର୍ଣ୍ଣାଙ୍ଗ କୋଭିଡ ହସ୍ପିଟାଲ ସ୍ଥାପନା କରିବାକୁ ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି। ପ୍ରତିଦିନ ଗଂଜାମ ଜିଲ୍ଲାରେ ୫୦୦୦ ସ୍ୱାବ ଟେଷ୍ଟ କରାଯାଉ। ଯାହାର ସ୍ୱାବ ସଂଗ୍ରହ କରାଯାଉଛି ତାକୁ ତାହାର  ବିବରଣୀ ଦିଆଯାଉ। ଟେଷ୍ଟିଙ୍ଗକୁ କେବଳ
ବ୍ରହ୍ମପୁରରେ ସୀମିତ ନକରି ଜିଲ୍ଲାର ଅନ୍ୟ ଭାଗରେ ବି କରାଯାଉ। ସରକାର କହିଥିଲେ ରାଜ୍ୟରେ ସେରେଲୋଜିକାଲ ଟେଷ୍ଟିଙ୍ଗ କରିବା ପାଇଁ। ତାହା ଗଂଜାମ ଜିଲ୍ଲାରୁ ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ। ହେଲେ ତାହାଏବେ ସୁଦ୍ଧା ହେଲା ନାହିଁ। ପ୍ରାଇଭେଟ ଟେଷ୍ଟିଙ୍ଗକୁ ସରକାର ଅନୁମତି ଦେବାକୁ ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି।

ବର୍ତମାନ ଗଂଜାମ ସମେତ ରାଜ୍ୟର ଅନ୍ୟ ଭାଗରେ ସରକାରୀ ଡାକ୍ତରଖାନାମାନଙ୍କରେ ଓପିଡି ସେବା ବନ୍ଦ ହେବାରୁ ଏକ ଗୁରୁତର ସମସ୍ୟା ଭାବେ ଠିଆ ହୋଇଛି। ଓପିଡି ବନ୍ଦ ହୋଇଯିବା ଫଳରେ ଅନ୍ୟ   ରୋଗୀମାନେ ନାହିଁ ନଥିବା ଅସୁବିଧାର
ସମ୍ମୁଖିନ ହେଉଛନ୍ତି। ତେଣୁ ରାଜ୍ୟ ସରକାର ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦେବାର ବନ୍ଦୋବସ୍ତ କରାଯିବାର ଆବଶ୍ୟକତା ରହିଛି ।  ଘରକୁ ଘର ବୁଲି ସର୍ଭେ କରୁଥିବା ସରକାରୀ କର୍ମଚାରୀମାନଙ୍କର ସୁରକ୍ଷା କଥା ସରକାର
ଚିନ୍ତା କରୁନାହାନ୍ତି। ସେମାନଙ୍କ ପାଖରେ ପିପିଇ କିଟ ନାହିଁ। ଯେଉଁଠି ବି ଦିଆଯାଉଛି ତାହା ଅତ୍ୟନ୍ତ ନିମ୍ନମାନର। ଅଙ୍ଗନଓାଡି କର୍ମୀ ହୁଅନ୍ତୁ ବା ସ୍କୁଲ ଶିକ୍ଷକ ହୁଅନ୍ତୁ, ଯେଉଁମାନେ ଫିଲ୍ଡ ସର୍ଭେ କରିବା ପାଇଁ ଯାଉଛନ୍ତି ସେମାନଙ୍କର କରୋନା ପରୀକ୍ଷା
କରାଯାଉନାହିଁ। ଯାହା ଫଳରେ ଦୁଇଟା ସମସ୍ୟା ହେଉଛି। ଗୋଟିଏ ହେଲା ସେମାନେ ଯଦି ନିଜେ ପଜିଟିଭ ଥିବେ ତାହେଲେ ଅନ୍ୟମାନଙ୍କୁ ହେବାର ସମ୍ଭାବନା ରହିଛି ବା ଯଦି ନିଜେ ସର୍ଭେ କରୁ କରୁ କାହା ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଯାଆନ୍ତି, ତାହେଲେ ତାଙ୍କ ପରିବାରବି ସଂକ୍ରମିତ ହେବାର ଡର ଅଛି। ତେଣୁ ଯେଉଁମାନେ ସେହି କାମରେ ନିୟୋଜିତ ଅଛନ୍ତି ସେମାନଙ୍କର ସ୍ୱାବ ଟେଷ୍ଟ ହେବା ନିହାତି ଆବଶ୍ୟକ। ଗତକାଲି ସରକାର ଘୋଷଣା କରିଛନ୍ତି ଯେ ସେମାନଙ୍କର କରୋନା ପଜିଟିଭ ପରୀକ୍ଷା କରାଯିବ ବୋଲି। ଏହା ଅନେକ ବିଳମ୍ବ ହେଲେ ବି ସ୍ୱାଗତଯୋଗ୍ୟ। କିନ୍ତୁ ସରକାର ଖାଲି ଘୋଷଣା କରି ବସିଗଲେ ହେବ ନାହିଁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଶ୍ରୀ ବକ୍ସିପାତ୍ର ଦାବି  କରିଛନ୍ତି।

ଜିଲ୍ଲା ପ୍ରଶାସନ କେବଳ କଂଟେନମେଂଟ ଘୋଷଣା କରୁଛନ୍ତି ହେଲେ କଂଟେନମେଂଟ ଅଂଚଳକୁ ସାନିଟାଇଜେସନ କରାଯାଉନାହିଁ। କଂଟେନମେଂଟ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ସରକାର ପହଂଚାଇବା କଥା। ହେଲେ ତାହା ହେଉନାହିଁ। ବର୍ତମାନ ଗାଁ ପୋଖରୀ ସଂକ୍ରମଣ ବ୍ୟାପିବାର କେନ୍ଦ୍ର ପାଲଟିଛି। ଗାଁ ପୋଖରୀର ସାନିଟାଇଜେସନ ହେବା ନିହାତି
ଆବଶ୍ୟକ ରହିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।
ଜିଲ୍ଲା ପ୍ରଶାସନ କରୋନା ମୁକାବିଲାରେ ସ୍ଥାନୀୟ ସାମାଜିକ ସଂଗଠନ,ରାଜନୈତିକ ସଂଗଠନ, ସ୍ୱେଛାସେବୀମାନଙ୍କୁ ସାମିଲ କରୁନାହାନ୍ତି। କରୋନା ବିରୋଧରେ ଏ ଲଢାଇ କେବଳ ସରକାର ଲଢୁ ନାହାନ୍ତି। ଏହି ମୁକାବିଲାରେ ସରକାର ସମସ୍ତଙ୍କୁ ସାମିଲ କରନ୍ତୁ। ରାଜ୍ୟସରକାର କରୋନା ମୁକାବିଲାରେ ଗାଁ କମିଟିର ପରାମର୍ଶ ଅନୁସାରେ ପଦକ୍ଷେପ ନେବେ ବୋଲି ଘୋଷଣା କରିଥିଲେ। ହେଲେ ତାହା ହେଉନାହିଁ। ତୁରନ୍ତ ଗଂଜାମ ପାଇଁ ଏକ ଡିଷ୍ଟ୍ରିକ୍ଟ କୋଭିଡ ମ୍ୟାନେଜମେଣ୍ଟ ଟିମର ଗଠନ କରାଯାଉ ଯେଉଁଥିରେ ଅଭିଜ୍ଞ ଭାଇରୋଲୋଜିଷ୍ଟ ଓ ବିଶେଷଜ୍ଞଙ୍କୁ  ସାମିଲ କରାଯାଉ। ସେମାନଙ୍କର ପରାମର୍ଶ ଅନୁସାରେ କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗଂଜାମ ଜିଲ୍ଲା ସଭାପତି ବିଭୁତି ଜେନା, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଶିଶିର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.