ଅରୁଣଙ୍କ ପରେ ପ୍ରତାପ: ବିଜେଡ଼ି ମନ୍ତ୍ରୀଙ୍କ ଉପରେ ବିଜେପିର ଷଣ୍ଢୁଆସୀ ଆକ୍ରମଣ; ବହିଷ୍କାର ଲାଗି ୪୮ ଘଣ୍ଟିଆ ମହଲତ

ସାରା ରାଜ୍ୟରେ ଆନ୍ଦୋଳନ ଓ ମନ୍ତ୍ରୀଙ୍କୁ ବାସନ୍ଦ ଧମକ

ଭୁବନେଶ୍ବର : ନୂଆ ଦଶନ୍ଧିର ନୂଆ ବର୍ଷ ଆରମ୍ଭରୁ ଗରମ ହୋଇଛି ରାଜ୍ୟ ରାଜନୀତି । ଗତବର୍ଷ ଶେଷ ଭାଗରେ ନୟାଗଡ଼ ଯଦୁପୁର ଗାଁର ପରୀ ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧୀ ନିଶାଣ କରିଥିବାବେଳେ ଏବେ ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ବିଜେପି । ଅରୁଣଙ୍କ ବିରୋଧରେ ସିଧାସଳଖ କିଛି ଅଭିଯୋଗ ନ ଥିଲା, ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବାବୁଲି ନାୟକଙ୍କୁ ସେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଥିଲା । ମାତ୍ର ମାହାଙ୍ଗା ହତ୍ୟା ମାମଲାରେ ପୁଲିସ ନିକଟରେ ଦାଖଲ ଏଫଆଇଆରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଉଲ୍ଲେଖ ଥିବାରୁ ସେ ଇସ୍ତଫା ଦେବା ଆବଶ୍ୟକ ବୋଲି ବିଜେପି କହିଛି ।

କେବଳ ସେତିକି ନୁହେଁ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟିଆ ମହଲତ ଦେଇଛି ବିଜେପି । କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାରେ ଅଭିଯୁକ୍ତଙ୍କୁ ଗିରଫ ଏବଂ  ପ୍ରତାପ ଜେନାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ନ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ତୀବ୍ର କରାଯିବ । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ବାସନ୍ଦ କରାଯିବ ଏବଂ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଜେପି ବିରୋଧ କରିବ ବୋଲି ଦଳ ଧମକ ଦେଇଛି । ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏବର ବିଜେଡ଼ି ସରକାରକୁ ପୂର୍ବର କଂଗ୍ରେସ ସରକାର ସହ ସମାନ ବୋଲି ଉଲ୍ଲେଖ କରି କଂଗ୍ରେସ ଧାରାରେ ବିଜେଡ଼ି ଗୁଣ୍ଡାରାଜ ଚଳାଇଛି ଏବଂ ବିରୋଧ କରୁଥିବା ଲୋକଙ୍କୁ ହତ୍ୟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ।

ସେହିପରି ଦଳର  ରାଷ୍ଟ୍ରୀୟ ମୁଖପାତ୍ର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସମ୍ବିତ ପାତ୍ର ମଧ୍ୟ ମାହାଙ୍ଗା କୁଳମଣି ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେଡ଼ି ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ ନିର୍ବାଚନ ଜିତିବା ସକାଶେ ଶାସକ ଦଳ ହତ୍ୟାକାଣ୍ଡ  ଘଟାଉଛି।  ଏହି ସରକାର ଅମଳରେ ରାଜ୍ୟରେ ୧୭ଟି ରାଜନୈତିକ ହତ୍ୟା ଘଟିଛି । କେବଳ  ଗତ ପଞ୍ଚାୟତ ନିର୍ବାଚନ ବେଳେ ୧୪ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଯୋଗୁଁ କୁଳମଣିଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ କରି ଅପରାଜିତ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଚିଠି ଲେଖିବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ସମ୍ବିତ ପାତ୍ର କହିଛନ୍ତି  ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ରାଜନୈତିକ ହିଂସା ବୃଦ୍ଧି ପାଉଥିବା ଇଙ୍ଗିତ ଦେଇ ସମ୍ବିତ ପାତ୍ର ଏତଲାରେ ମନ୍ତ୍ରୀଙ୍କ ନାଁ ଥିବାରୁ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ କୁଳମଣିଙ୍କୁ ହତ୍ୟା କରାଯାଇଥିବା ସମ୍ବିତ କହିଛନ୍ତି ।

ଡବଲ ମର୍ଡର ଏତଲାରେ ନାଁ ଆସିବା ପରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ମୋ’ ନାଁରେ ଏତଲା ହୋଇଛି, ତଦନ୍ତରୁ ସତ ଜଣାପଡ଼ିବ। ଘଟଣାକୁ ବିଜେପି ରାଜନୈତିକ ରୂପ ଦେବାକୁ ଚାହୁଁଛି ବୋଲି ପ୍ରତାପ କହିଛନ୍ତି।

Comments are closed.