ଆମେରିକା ନିର୍ବାଚନରେ ବ୍ୟବହାର ହେବ ନାହିଁ ବିଜେପି ପ୍ରତୀକ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ଚିହ୍ନ ବ୍ୟବହାର ନ କରିବାକୁ ବିଜେପି ପକ୍ଷରୁ ଏହାର ଦରିଆପାରି ଶାଖାକୁ ପରାମର୍ଶ ଦିଆଯାଇଛି। ଆମେରିକାର ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜେପି ଏବଂ ଏହାର ଦରିଆପାରି ଶାଖା ‘ଓଭରସିଜ୍‌ ଫ୍ରେଣ୍ଡସ୍‌ ଅଫ୍‌ ବିଜେପି’ (ଓଏଫ୍‌ବିଜେପି)ଉପରେ ତଦନ୍ତ ଜାରି ରହିଛି; ତେଣୁ ଓଏଫ୍‌ବିଜେପିର ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ ନିର୍ଦେଶ ଦିଆଯାଇଛି। ସେ ଦୃଷ୍ଟିରୁ ଚଳିତ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଓଏଫ୍‌ବିଜେପି ମୂଳ ବିଜେପିର ପ୍ରତୀକ ବା ଚିହ୍ନ କରାଯିବା ଅନୁଚିତ ବୋଲି ପରାମର୍ଶ ଦିଆଯାଇଛି।

ଦଳର କର୍ମକର୍ତ୍ତା ବା ସଦସ୍ୟମାନେ ଚାହିଁଲେ ବ୍ୟକ୍ତିଗତ ଭାବେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ ହୋଇପାରିବେ; କିନ୍ତୁ ସେମାନେ ଦଳୀୟ ପରିଚୟ ଦେବେ ନାହିଁ। ବିଜେପି ଦରିଆପାରି ସଂଗଠନର ଆମେରିକା ଶାଖା ମୁଖ୍ୟ ବିଜୟ ଚୌତାଇୱାଲେ ଏ ସମ୍ପର୍କିତ ଏକ ବିବୃତ୍ତି ଜାରି କରିଛନ୍ତି। ବୁଧବାର ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ଭାରତୀୟ ବଂଶୋଦ୍ଭବ ମତଦାତାଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ଫୋର୍‌ ମୋର୍‌ ଇୟର୍ସ’ ଶୀର୍ଷକ ଭିଡିଓ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହାଓଦି ମୋଦୀ’ ଓ ‘ନମ‌େ​‌ସ୍ତ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ନେଇ ଆପତ୍ତି ଉଠିବା ପରେ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆମେରିକାର ଫରେନ୍‌ ଏଜେଣ୍ଟସ୍‌ ରେଜିଷ୍ଟ୍ରେସନ୍‌ ଆକ୍ଟ ବା ଫାରା ଅନୁଯାୟୀ, ଦେଶର କୌଣସି ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବାକୁ ହେଲେ ବିଦେଶୀମାନଙ୍କୁ ସୋନଙ୍କର ରାଜନୈତିକ କାର୍ଯ୍ୟକଳାପ, ସମ୍ପୃକ୍ତ ଦଳ ତଥା ପ୍ରାର୍ଥୀଙ୍କ ସମ୍ପର୍କ, ଆର୍ଥିକ ସହଯୋଗ ଇତ୍ୟାଦି ପଞ୍ଜୀକରଣ କରିବାକୁୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିବିଶେଷ କୌଣସି ଦଳ ବା ପ୍ରାର୍ଥୀଙ୍କୁ ସମର୍ଥନ କରି ପଚାର ଅଭିଯାନରେ ବାହାରିଲେ ବିଜେପିର ନାମ ନେବେ ନାହିଁ ବୋଲି ଚୌତାଇୱାଲେ ପରାମର୍ଶ ଦେଇଛନ୍ତି।

Comments are closed.