ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନା ଆଗରେ ବିକ୍ଷୋଭ; ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ

ବିଜେପି ନେତାଙ୍କ ହତ୍ୟା ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ

ବୌଦ୍ଧ : ବିଜେପିର ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀଙ୍କୁ ଗତ ଜାନୁୟାରୀ ୨ ତାରିଖଦିନ ହତ୍ୟା ମାମଲାରେ ବିଜେଡିର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରି ତୁରନ୍ତ ତାଙ୍କୁ ଗିରଫ କରିବା ଓ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବୌଦ୍ଧ ଆଦର୍ଶଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହିତ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଳା ବିଜେପି ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ବାଘଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭ ସମାବେଶରେ ବିଜେଡି ଶାସନରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଷୁଡି ପଡିବା ସହ ଅପରାଧୀମାନଙ୍କୁ ଶାସକ ଦଳ ପକ୍ଷରୁ ସୁରକ୍ଷା ଯୋଗାଇଦିଆଯାଉଥିବା ଅଭିଯୋଗ କରାଯାଇଛି। ଖୋଦ୍‍ ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଅନେକ ସମ୍ବେଦନଶୀଳ ଅପରାଧରେ ସଂପୃକ୍ତ ଥିବା ଜଣାପଡିବା ପରେ ସରକାର ସେମାନଙ୍କୁ ଆଇନ ଜାଲରୁ ସୁରକ୍ଷା ପ୍ରଦାନ କରୁଛନ୍ତି। ଫଳରେ ସାଧାରଣଲୋକଙ୍କ ପାଇଁ ରାଜ୍ୟରେ ନ୍ୟାୟ ମିଳିବା କଷ୍ଟକର ହୋଇପଡିଲାଣି। ତେଣୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ତାଙ୍କର ସହଯୋଗୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ମନ୍ତ୍ରୀ ଶ୍ରୀଜେନାଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯିବାକୁ ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି।

ଏହି ବିକ୍ଷୋଭରେ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ମାଗୁଣି ଚରଣ ଗାଇଗୌରିଆ, ମନୋରଂଜନ ଦାଶ, ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତା ରାଣୀ ଦାଶ, ଶ୍ୟାମସୁନ୍ଦର ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ, ତାପସ ମହାପାତ୍ର, କୈବଲ୍ୟ ପ୍ରଧାନ, ସୁନୀଲ କ୍ଷେତି, ଅରୁପା ଦୀପ, ସୁଶାନ୍ତ ଧଳ, ଶେଷ ଛନ୍ଦ ଆନନ୍ଦ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଜିଲ୍ଲାର କଂଟାମାଳ ଥାନା ସମ୍ମୁଖରେ ଯୁବମୋର୍ଚ୍ଚାର ରାଜ୍ୟ ସଂପାଦକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନାରାୟଣ କର୍ମୀ, ମଣ୍ଡଳ ସଭାପତି ପିନାକଧର ରଣା, ନିରଞ୍ଜନ କର୍ଣ୍ଣ, ଅନିଲ ପ୍ରଧାନ, ଅଟଳ ପ୍ରଧାନ, ଦାମୋଦର ମିଶ୍ର, ଶଙ୍କର ସାହୁ, ଶିବ କମ୍ପ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.