ନବୀନଙ୍କୁ ବିଜେପିର ପ୍ରଶ୍ନ – ଏନଆରସି’କୁ ମନା କରୁଛ କାହିଁକି?

ଭୁବନେଶ୍ବର: ଭାରତର ନାଗରିକ କିଏ? ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବା ଲୋକଙ୍କୁ ନାଗରିକତ୍ବ ଦେବା କଣ ଭୁଲ? ଏ ଦେଶର ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ କରିବା କଣ ଭୁଲ? ଏମିତି କିଛି ପ୍ରଶ୍ନ କରିଛି ବିଜେପି ଖୋଦ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ। ସମ୍ପ୍ରତି ଦେଶରେ ନାଗରିକତ୍ବ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ପରେ ବିଭିନ ଅଂଚଳରେ ଦେଖାଦେଇଥିବା ହିଂସା ଓ ପରବର୍ତ୍ତୀ ସମୟରେ ଓଡ଼ିଶାରେ ମଧ୍ୟ କିଛି ସ୍ଥାନରେ ବିରୋଧାଭାସ ସୃଷ୍ଟି ହେବା ପରେ ଆଜି ଅର୍ଥାତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ନେଇ ରାଜ୍ୟ ବିଜେପି ସମାଲୋଚନା କରିଛି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ମହାମେଘ ବାହନ ଐରଖାରବେଳ ସ୍ବାଇଁ ବୁଧବାର ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରଶ୍ନ କରିଛନ୍ତି।

ସେ ଦେଶର ସଂସଦ ଭବନରେ ହୋଇଥିବା ଆକ୍ରମଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆକ୍ରମଣର ଉଦାହରଣ ଦେଇ କହିଛନ୍ତି ଯେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ କରିବା ପାଇଁ କେବଳ ଯେ ଅଧ୍ୟାଦେଶ ଜାରି କରାଯାଇଛି ତାହା ନୁହେଁ, ବରଂ ସଂସଦ ମଧ୍ୟ ଏଥି ପାଇଁ ଅନୁମୋଦନ ଦେଇଛି। ନବୀନ ବାବୁ କାହିଁକି ରାଜି ହେଉନାହାନ୍ତି ବୋଲି ପ୍ରଶ୍ନ କରିବା ସହ ସେ କହିଛନ୍ତି ଯେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ ନେଇ ଅନେକ ଗୁଜବ ସୃଷ୍ଟି ହେଉଛି କିନ୍ତୁ ଭବିଷ୍ୟତରେ କିଏ ଭାରତର ନାଗରିକ ତାହା ସ୍ପଷ୍ଟ ହେବା କଣ ଉଚିତ ନୁହେଁ କି? ସାମ୍ବାଦିକ ସମ୍ମିଳନୀର ଭିଡିଓ ଦେଖନ୍ତୁ –

ନାଗରିକତା ସଂଶୋଧନ ଆଇନର ବୈଧତା ପ୍ରମାଣ କରିବାକୁ ଯାଇ ସେ କହିଛନ୍ତି, ବିଭିନ୍ନ ଧର୍ମର ଲୋକେ ଯେଉଁମାନେ ଆଜି ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଶରଣାର୍ଥୀ ଭାବେ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତ୍ବ ଦେବାରେ ଅସୁବିଧା କେଉଁଠି ବୋଲି ପଚାରିଛନ୍ତି। ଲେଖିକା ତସଲିମା ନାଶରୀନ ଏବଂ ଗାୟକ ଅଦନାନ ସାମୀଙ୍କ ଉଦାହରଣ ରଖି ଖାରବେଳ କହିଛନ୍ତି ଯେ ଦେଶରେ ଏକ ଦୃଢ ଚିହ୍ନଟ ବ୍ୟବସ୍ଥା ସୃଷ୍ଟି କରିବାର ଆବଶ୍ୟକତା ନାହିଁ।

Comments are closed.