ବିକ୍ରି ହୋଇନଥିବା ସମସ୍ତ ଧାନ କିଣାଯାଉ, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ବିଜେପି ସାଂସଦ

ଆଜି ନୂଆଦିଲ୍ଲୀ ଠାରେ ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାକ୍ଷାତ କରି ଓଡ଼ିଶାରେ ବିକ୍ରି ହୋଇନଥିବା ସମସ୍ତ ଧାନକୁ ତୁରନ୍ତ କିଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଧାନ ସଂଗ୍ରହ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଧାନ କିଣା ବିଳମ୍ବର ସତ୍ୟତା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ପାଇଁ ମଧ୍ୟ ସାଂସଦମାନେ ଅନୁରୋଧ କରିଛନ୍ତି। ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲ ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି।

ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି ଯେ ଧାନ କିଣା ନେଇ ଥିବା ଆନୁଷଙ୍ଗିକ ସମସ୍ୟା ତଥା ଓଡ଼ିଶାରେ ଧାନ କିଣା ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବରେ କରିବା ପାଇଁ ମଧ୍ୟସ୍ଥିଙ୍କୁ ସମ୍ପୃକ୍ତି ନେଇ ଥିବା ସମସ୍ୟା, ଏମଏସପି ମୂଲ୍ୟ ଆଧାରରେ ସ୍ୱଚ୍ଛ ଏବଂ ଶୀଘ୍ର ଧାନ କ୍ରୟ କରିବା ଦିଗରେ ସାଂସଦମାନେ ଶ୍ରୀ ଗୋଏଲଙ୍କ ସହାୟତା ଲୋଡିଛନ୍ତି। ଅନୁକୂଳ ମୌସୁମୀ କାରଣରୁ ଧାନ ଅମଳର ଆଶା କରାଯାଉଥିବା ଅପେକ୍ଷା ଚଳିତ ବର୍ଷ ରାଜ୍ୟ ସରକାର ପ୍ରତ୍ୟେକ ଏକର ଜଳସେଚିତ ଜମି ପାଇଁ ୧୯ କ୍ୱିଂଟାଲ ଏବଂ ପ୍ରତ୍ୟେକ ଏକର ଅଣଜଳସେଚିତ ଜମି ପାଇଁ ୧୩ କ୍ୱିଂଟାଲ ଧାନ କ୍ରୟ ସର୍ବୋଚ୍ଚ ମୂଲ୍ୟର ସଂଶୋଧନ କରିନାହାଁନ୍ତି।


ଏହି କାରଣରୁ ହଜାର ହଜାର ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି। ଟୋକନ ନିର୍ଧାରିତ ସମୟ ଶେଷ ହୋଇଯିବା କାରଣରୁ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବାରୁ ବଂଚିତ ହେଉଛନ୍ତି। ଗରିବ ଚାଷୀମାନେ କଟନୀ ଛଟନୀର ଶିକାର ହେଉଛନ୍ତି। ପରିବହନ ଖର୍ଚ୍ଚ ଏବଂ ମହଜୁଦ୍ କରି ରଖିବା ପାଇଁ ଅର୍ଥାଭାବରୁ ଧାନ ଚାଷୀମାନେ ବହୁତ୍ କମ ମୂଲ୍ୟରେ ନିଜର ଉତ୍ପାଦିତ ସାମଗ୍ରୀକୁ ଏପିଏମସି ମଣ୍ଡିରେ ବିକ୍ରି କରୁଛନ୍ତି।

Comments are closed.