ବିଜେପିର ’ମିଶନ ଓଡ଼ିଶା‘: ଖୁବ୍ ଶୀଘ୍ର ଓଡ଼ିଶା ଆସିବେ ରାଷ୍ଟ୍ରୀୟ ସଭାପତି

ଭୁବନେଶ୍ୱର: ଆସନ୍ତା ବର୍ଷ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ବିଧାନସଭା ନିର୍ବାଚନ । ସେଥିପାଇଁ ବିଜେପି ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି । ଏହି କ୍ରମରେ ଆସନ୍ତା ୨୦୨୧ରେ ରାଜ୍ୟରେ ଅନୁଷ୍ଠିତ ହେବାକୁଥିବା ପୌର ନିର୍ବାଚନ, ୨୦୨୨ ପଞ୍ଚାୟତ ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ଼୍ଡ଼ା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି । ବିହାର ନିର୍ବାଚନରେ ଦଳର ସଫଳତା ପରେ ଓଡ଼ିଶାରେ ଜେ.ପି. ନଡ଼୍‌ଡ଼ାଙ୍କ ରଣନୀତି ସଫଳ ହୋଇଥିବା କୁହାଯାଉଛି । ତେଣୁ ଓଡ଼ିଶା ଉପରେ ଶ୍ରୀ ନଡ଼୍ଡ଼ା ବିଶେଷ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି ।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଭିନ୍ନ ଓଡ଼ିଶାରେ ଆଉ କିଛି ନେତାଙ୍କୁ ଜାତୀୟସ୍ତରରେ ଦାୟିତ୍ବ ଦିଆଯାଇଛି । ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀ ଥିବାବେଳେ ବୈଜୟନ୍ତ ପଣ୍ଡାଙ୍କୁ ଜାତୀୟ ସଭାପତି, ବିଶ୍ବେଶ୍ବର ଟୁଡ଼ୁଙ୍କୁ ଜାତୀୟ ସମ୍ପାଦକ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସମ୍ବିତ ପାତ୍ରଙ୍କୁ ଜାତୀୟ ମୁଖପାତ୍ର ଭାବରେ ଦଳ ନିଯୁକ୍ତି ଦେଇଛି । ଅନ୍ୟପକ୍ଷରେ କିଛି ପ୍ରସଙ୍ଗକୁ ନେଇ କଂଗ୍ରେସ ଉଭୟ ବିଜେଡ଼ି-ବିଜେପି ମଧ୍ୟରେ ରହିଥିବା ସମ୍ପର୍କକୁ ନେଇ ଉଠାଉଥିବା ପ୍ରଶ୍ନକୁ ନେଇ ମଧ୍ୟ ଦଳ ଭାରାକ୍ରାନ୍ତ ହୋଇଥିବାରୁ ଏ ସମ୍ପର୍କରେ ଚୂଡ଼ାନ୍ତ ରଣନୀତିର ରୂପରେଖ ପ୍ରସ୍ତୁତ ନିମନ୍ତେ ଦଳ ପ୍ରସ୍ତୁତ ହେଉଛି ।

ଗତ ୨୦୧୯ ସାଧାରଣ ନିର୍ବାଚନ ପରେ କିଛି ସମୟ ଲାଗି ବିଜେପି ଓ ବିଜେଡ଼ି ମଧ୍ୟରେ ଦୂରତା ଦୂରେଇ ଯାଇଥିବା ଚର୍ଚା ଚାଲିଥିବାବେଳେ କୃଷି ବିଲକୁ ନେଇ ବିଜେଡ଼ିର ଆଭିମୁଖ୍ୟ​‌ରେ ବିଜେପି ଅସୁଖୀ । ରାଜ୍ୟସଭାରେ କୃଷି ବିଲକୁ ବିଜେଡ଼ି ବିରୋଧ କରିବା ପରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସ୍ମିତ ହୋଇଥିବା ଏହି ସୂତ୍ରରୁ ସୂଚନା ମିଳିଛି । ଦଳର କୋର କମିଟିରେ ଏ ସମ୍ପର୍କରେ ଆଲୋଚନା  ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା, ଦଳର ଅଧ୍ୟକ୍ଷ ଜେ.ପି.ନଡ଼୍ଡ଼ା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସହ ଆଉ କିଛି ବରିଷ୍ଠ ନେତା ବିଜେଡ଼ିର କୃଷି ବିଲ୍ ଆଭିମୁଖ୍ୟରେ ଅସୁଖୀ ଥିବା କୁହାଯାଉଛି ।

ଅନ୍ୟପକ୍ଷରେ ରାଷ୍ଟ୍ରୀୟ ସଭାପତି ଜେପି. ନଡ଼୍ଡ଼ାଙ୍କ ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲେ ହେଁ ତାରିଖ ଚୂଡ଼ାନ୍ତ ହୋଇନାହିଁ ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଛି । ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତି ସୁଦୃଢ଼ ରହିଛି ଓ ଦଳ ଏକ ନିର୍ଦିଷ୍ଟ ଭୋଟ ବ୍ୟାଙ୍କ ହାସଲ କରି ପାରିଛି । ମାତ୍ର ଉପକୂଳ ଓଡ଼ିଶାରେ ଦଳର ସ୍ଥିତି ତୃଣମୂଳସ୍ତରରୁ ମଜବୁତ ହୋଇପାରି ନାହିଁ । ଏହାକୁ ଦୃଷ୍ଟିରେ ରଖି ଦଳ ନିର୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିଛି ଓ ୨୦୨୧ ଆରମ୍ଭରୁ ଏହାକୁ କାର୍ଯ୍ୟକାରୀ କରିବାକୁ ପଥ ପ୍ରସ୍ତୁତ କରାଯିବ ବୋଲି ଏହି ବିଜେପି ନେତା କହିଛନ୍ତି ।

ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସଭାରେ ସଂଖ୍ୟା ଗରିଷ୍ଠତା ଅଭାବରୁ ବିଜେପି ଓ ଏନଡ଼ିଏ ପକ୍ଷାନ୍ତରେ ବିଜେଡ଼ି ଉପରେ ଆଉ ନିର୍ଭର କରିବାକୁ ଚାହୁଁନାହିଁ । ଉତ୍ତରପ୍ରଦେଶରେ ୮ ଓ ଉତ୍ତରାଖଣ୍ଡରେ ଗୋଟିଏ ରାଜ୍ୟସଭା ଆସନରେ ଦଳ ବିଜୟୀ ହୋଇଛି । ସେହିପରି ଖାଲି ହୋଇଥିବା ରାମବିଳାସ ପାଶ୍ବାନଙ୍କ ଆସନ ମଧ୍ୟ ବିଜେପି ଖାତାକୁ ଆସିବାର ସମ୍ଭାବନା ରହିଛି । ରାଜ୍ୟସଭାରେ ୨୪୫ ସଦସ୍ୟ ଥିବାରୁ କୌଣସି ବିଲକୁ ପାସ୍ କରିବା ପାଇଁ ସରକାରଙ୍କୁ ଅନ୍ୟୂନ ୧୨୨ ଭୋଟର ଆବଶ୍ୟକତା ରହିଛି । ଏବେ ଏନଡ଼ିଏ ନିକଟରେ ୧୧୨ ଜଣ ସଦସ୍ୟ ରହିଛନ୍ତି । ଏହାବ୍ୟତୀତ  ତାମିଲନାଡ଼ୁର ଏଆଇଡ଼ିଏମକେ ସହ ବିଜେପିର ସମ୍ଭାବ୍ୟ ମେଣ୍ଟ ସୂଚନା ପରେ ଏହି ଭୋଟ ବିଜେପି ଖାତାକୁ ଆସିବାର ସମ୍ଭାବନା ରହିଛି । ପୁନଶ୍ଚ ଆନ୍ଧ୍ରପ୍ରଦେଶର ୱାଇଏସଆର୍ କଂଗ୍ରେସ ସମର୍ଥନ ବିଜେପି ପାଇବ ବୋଲି ଆଶା ରଖିଛି । ଏହି ସ୍ଥିତିରେ ଆଗକୁ ରାଜ୍ୟ ରାଜନୀତି ପାଣିପାଗ ଓ ଗଣିତ କି ରୂପ ନେବ ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ରାଜନୈତିକି ପର୍ଯ୍ୟବେକ୍ଷକମାନେ ମନେକରୁଛନ୍ତି ।

Comments are closed.