ପୋଷ୍ଟାଲ ବାଲାଟ ତଥ୍ୟ ଦିଅ: ବିଜେପି

ଭୁବନେଶ୍ୱର: ସରକାରୀ ଅଫିସରମାନଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ଅଧିକ ପୋଷ୍ଟାଲ ବାଲାଟ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ନିର୍ବାଚନ ଦାୟୀତ୍ୱରେ ଥିବା କିଛି ଅଧିକାରୀ ବୁଥରେ ଭୋଟ ଦେବା ସହ ପୋଷ୍ଟାଲ ବାଲାଟ ମାଧ୍ୟମରେ ମଧ୍ୟ ଭୋଟ ଦେଇଥିବା ନେଇ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣି ଅଫିସରମାନେ ନିର୍ବାଚନ ଦାୟୀତ୍ୱ ତୁଳାଉଥିବା ସରକାରୀ ଅଧିକାରୀମାନଙ୍କୁ ସେମାନଙ୍କ ସଂଖ୍ୟା ଅନୁସାରେ ଅଧିକ ପୋଷ୍ଟାଲ ବାଲାଟ ପ୍ରଦାନ କରିଛନ୍ତି।

ଏଭଳି କାର୍ଯ୍ୟର ପ୍ରତିବାଦରେ ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେଉଁ କେଉଁ ଜିଲ୍ଲାମାନଙ୍କରେ ଏହି ଘଟଣା ଘଟିଛି ତାହାର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁଧ୍ୟାନ କରନ୍ତୁ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି।

ପୋଷ୍ଟାଲ ବାଲାଟ ମାଧ୍ୟମରେ କେଉଁ ଅଧିକାରୀ କେଉଁ ନିର୍ବାଚନ କାର୍ଯ୍ୟରେ କେଉଁଠି ମୁତୟନ ହୋଇଛନ୍ତି ଓ କେତେ ପ୍ରତିଶତ ପୋଷ୍ଟାଲ ବାଲାଟର ଭୋଟିଂ ହୋଇଛି ତାହାର ସଂପୂର୍ଣ୍ଣ ବିବରଣୀ ଆଜି (ବୁଧବାର) ସୁଦ୍ଧା ପ୍ରଦାନ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି।

Comments are closed.