କରୋନା ମୁକାବିଲାରେ ରାଜ୍ୟ ସରକାର ଏବଂ ମହାନଗର ନିଗମ ବିଫଳ: ବିଜେପି

ଅସ୍ଥାୟୀ ଓ ଉଠାଦୋକାନୀଙ୍କୁ ବୀମା ଭୃକ୍ତ କରାଇ ପ୍ରିମିୟମରାଶି ଖୋଦ୍‍ ରାଜ୍ୟସରକାର ଭରଣା କରନ୍ତୁ

-ବସ୍ତିମାନଙ୍କରେ କରୋନା ସଂକ୍ରମଣର ଆଶଙ୍କା ଅଧିକା ଥିବାରୁ ସମସ୍ତ ବସ୍ତିକୁ ସାନିଟାଇଜ କରାଯାଉ
-ବସ୍ତି ବାସିନ୍ଦା ଓ ସାଧାରଣ ଲୋକମାନଙ୍କୁ ମାଗଣା ମାସ୍କ, ସାନିଟାଇଜେସନ ଯୋଗାଇ ଦିଆଯାଉ
-ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାରେ ଉଠା ଦୋକାନୀ ମାନଙ୍କ ପାଇଁ ୧୦ ହଜାର ଟଙ୍କାର ବିନା ବନ୍ଧକରେ ଋଣର ବ୍ୟବସ୍ଥା କରିଛନ୍ତି
-ନିମ୍ନ ମଧ୍ୟବିତ ଆୟ ବର୍ଗକାରୀଙ୍କ ପାଇଁ ଆର୍ଥୀକ ପ୍ୟକେଜ ଘୋଷଣା କରନ୍ତୁ ରାଜ୍ୟସରକାର
-ରାଜ୍ୟସରକାର କିମ୍ବା ମହାନଗର ନିଗମ ବସ୍ତିବାସିନ୍ଦାଙ୍କ ପାଇଁ କୌଣସି ଠୋସ୍‍ ପଦକ୍ଷେପ ନେଉ ନାହାଁନ୍ତି

ଭୁବନେଶ୍ୱର: ରାଜ୍ୟ ସମେତ ବିଭିନ୍ନ ମହାନଗର ନିଗମ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମ ସମେତ କଟକ ମହାନଗର ନିଗମ ଏବଂ ଖୋର୍ଦ୍ଧା, ଗଂଜାମ, ଯାଜପୁର ଓ କଟକ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାର କେବଳ ସଟଡାଉନ ଘୋଷଣା କରି ସବୁ ଦାୟିତ୍ୱ ସରିଗଲା ବୋଲି ଭାବୁଛନ୍ତି। ଏହି ସମସ୍ତ ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦା, ଉଠାଦୋକାନୀ, ବୁଲା ବେପାରି ଆଦି ଯେଉଁ ସମସ୍ୟା ଭୋଗୁଛନ୍ତି ତାହା ବୋଧେ ରାଜ୍ୟସରକାରଙ୍କ ଦେଖିପାରୁନାହାଁନ୍ତି। କରୋନା ନାଁରେ ରାଜ୍ୟସରକାର ଓ ମହାନଗର ନିଗମ ସେମାନଙ୍କ ପେଟକୁ ଲାତ ମାରୁଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାରେ ଉଠା ଦୋକାନୀ ମାନଙ୍କ ପାଇଁ ୧୦ ହଜାର ଟଙ୍କାର ବିନା ବନ୍ଧକରେ ଋଣର ବ୍ୟବସ୍ଥା କରିଛନ୍ତି। ରାଜ୍ୟସରକାର ଏହି ଯୋଜନାର ଫେସିଲିଟେଟର ଭୂମିକାରେ ରହିବା କଥା। ହେଲେ ରାଜ୍ୟସରକାର ତାହା କରୁନାହାନ୍ତି। କେବଳ ଭୁବନେଶ୍ୱରରେ ଅସ୍ଥାୟୀ ଦୋକାନୀ ୨୪୪୦, ଉଠା ଦୋକାନି ୧୯୦୪୩ (୧୭,୭୬୭ ଷ୍ଟେସନର ଉଠାଦୋକାନୀ, ୧୨୭୬  ଫେରିବାଲା) ଅଛନ୍ତି। ସରକାର ରାଜନୀତିର ଉପରକୁ ଉଠି ଏମାନଙ୍କ କଥା ଚିନ୍ତା କରିବା ଦରକାର। କିପରି ଏମାନେ ଆତ୍ମନିର୍ଭର ଭାରତ ଯୋଜନାରେ ସାମିଲ ହୋଇ ପୁଣି ସେମାନଙ୍କ ବେପାର ଆରମ୍ଭ କରି ଗୁଜୁରାଣ ମେଣ୍ଟାଇବେ ତାହା ରାଜ୍ୟସରକାର ଚିନ୍ତା କରିବା ସହ ସେମାନଙ୍କୁ ବୀମାଭୁକ୍ତ କରି ବୀମାର ପ୍ରିମିୟମ ରାଶି ଖୋଦ୍‍ ରାଜ୍ୟସରକାର ଭରଣା କରିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, କେବଳ ଭୁବନେଶ୍ୱରରେ ୪୩୬ ବସ୍ତିରେ ରହୁଛନ୍ତି ୮୦,୬୬୫ ପରିବାର ଏବଂ ୩ ଲକ୍ଷରୁ ଅଧିକ ଲୋକ। ସେହିପରି କଟକ ମହାନଗରରେ ୩୦୯ ବସ୍ତି ଅଛି ଯେଉଁଥିରେ ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ସଟଡାଉନ ହୋଇଥିବା ଅନ୍ୟ ସମସ୍ତ ସହରାଞ୍ଚଳରେ ଜନସଂଖ୍ୟାକୁ ମିଶାଇଲେ ଏହା ୧୫ ଲକ୍ଷ ହେବ। ଏମାନଙ୍କ ସମସ୍ୟାକୁ ମହାନଗର ନିଗମର ଅଧିକାରୀମାନ ବୁଝି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଦରକାର।

ବସ୍ତିଗୁଡିକରେ ରହୁଥିବା ଲୋକମାନେ ମୁଖ୍ୟତଃ କିଏ ଦିନ ମଜୁରିଆ ଭାବେ କାମକରୁଥିଲା, କିଏ ଅଟୋ ଚଲାଉଥିଲା, କିଏ ଠେଲା ଗାଡି ଲଗାଉଥିଲା ଓ ଅନ୍ୟାନ୍ୟ କାମ ଧନ୍ଦା କରି ଚଳୁଥିଲେ। ସଟଡାଉନ ଯୋଗୁଁ ଏବେ ସବୁ ବନ୍ଦ ହୋଇଛି। ଏବେ ନା ଦିନ ମଜୁରିଆଙ୍କ ପାଇଁ କାମ ଅଛି ନା ଅଟୋ ଚାଲୁଛି ନା ଉଠା ଦୋକାନୀ ତାର ଦୋକାନ ଖୋଲି ପାରୁଛି। ହାତକୁ କାମ ନାହିଁ କି ରୋଜଗାର ନାହିଁ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାସକୁ ୫ କିଲୋ ଚାଉଳ, ୧ କିଲୋ ଡାଲି, ଅଗ୍ରିମ ସାମାଜିକ ସୁରକ୍ଷା ଭତ୍ତା, ଜନଧନ ଖାତା ଧାରି ମହିଳାମାନଙ୍କୁ ୧ ହଜାର ଟଙ୍କା ଆଦିର ସାହାଯ୍ୟ ଯୋଗାଇ ଦେଇଛନ୍ତି। କିନ୍ତୁ ରାଜ୍ୟସରକାର କିମ୍ବା ମହାନଗର ନିଗମ ସେମାନଙ୍କ ପାଇଁ କୌଣସି ଠୋସ୍‍ ପଦକ୍ଷେପ ନେଉ ନାହାଁନ୍ତି। ରାଜ୍ୟସରକାର ନିମ୍ନ ମଧ୍ୟବିତ ଆୟ ବର୍ଗକାରୀଙ୍କ ପାଇଁ ଆର୍ଥୀକ ପ୍ୟକେଜ ଘୋଷଣା କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି।
ଭୁବନେଶ୍ୱର ହେଉ ବା ଅନ୍ୟ ସହରାଞ୍ଚଳ ହେଉ ବସ୍ତିଗୁଡିକ ଅତ୍ୟନ୍ତ ଜନବହୁଳ ଅର୍ଥାତ କମସ୍ଥାନରେ ଅଧିକ ଲୋକ ରହୁଛନ୍ତି। ଗୋଟିଏ ଗୋଟିଏ ବଖରାଘରେ ୪ରୁ ୫ ଜଣ ଲେଖାଏଁ ସଦସ୍ୟ ରହୁଛନ୍ତି। ବର୍ତମାନ ଭୁବନେଶ୍ୱରରେ ଦୈନିକ ଯାହା କରୋନା ପଜିଟିଭ ବାହାରୁଛି ସେଥିରୁ ଅଧିକ ହେଉଛି ଲୋକାଲ କେସ। ଅନେକ ଦିନ ବସ୍ତିର କରୋନା ପଜିଟିଭ ସଂଖ୍ୟା ଅନ୍ୟ ଅଞ୍ଚଳ ଠାରୁ ବଳିଯାଉଛି। ଏପରି ସ୍ଥିତିରେ ବସ୍ତିରେ କରୋନା ସ୍ଥାନୀୟ ସଂକ୍ରମଣ ଗୋଷ୍ଠିସଂକ୍ରମଣର ଆଶଙ୍କା ବି ସୃଷ୍ଟିହେଲାଣି। କୌଣସି ବସ୍ତି ସାନିଟାଇଜେସନ ହେଉନାହିଁ। ତେଣୁ ସମସ୍ତ ବସ୍ତିକୁ ଯଥାଶିଘ୍ର ସାନିଟାଇଜେସନ କରାଯାଉ। ଏହା ସହ ବସ୍ତି ବାସିନ୍ଦାମାନଙ୍କୁ ମାଗଣା ମାସ୍କ ଓ ସାନିଟାଇଜେସନ ଯୋଗାଇ ଦିଆଯାଉ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂହ, ଜଗନ୍ନାଥ ପ୍ରଧାନ ଏବଂ ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.