ଦୁର୍ନୀତିଶୂନ୍ୟ ଓଡ଼ିଶାକୁ ପ୍ରାଥମିକତା; ରାଜ୍ୟ ପରିଷଦ ବୈଠକରେ କର୍ମକର୍ତ୍ତା ଓ କର୍ମୀଙ୍କୁ ନବୀନଙ୍କ ‘ଗୁରୁ ମନ୍ତ୍ର’

ଭୁବନେଶ୍ବର: ଓଡ଼ିଶା ଦୁର୍ନୀତିମୁକ୍ତ ହେବ । ଦୁର୍ନୀତି ରହିଲେ ରାଜ୍ୟର ବିକାଶ ହେବ ନାହିଁ । ଆମ ସରକାର ଆରମ୍ଭରୁ ଦୁର୍ନୀତି ବିରୋଧରେ ଲଢ଼େଇ କରି ଆସିଛି । ଗରିବୀ, ରୋଗ, ଆଞ୍ଚଳିକ ବୈଷମ୍ୟ, ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା, ଅନ୍ୟାୟ ଓ ଅପାରଗତା ବିରୋଧରେ ଲଢ଼େଇ କରୁଥିବାବେଳେ ଦୁର୍ନୀତି ରହିଲେ ଲଢ଼େଇ ମୂଲ୍ୟହୀନ ହୋଇଯିବ । ତେଣୁ ଦୁର୍ନୀତି ଦୂର କରି ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବାକୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ।

ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦୁର୍ନୀତି ବିରୋଧୀ ଲଢ଼େଇ ଆହୁରି ଜୋରଦାର କରାଯିବ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ଲୋକପ୍ରତିନିଧି, ତଳଠାରୁ ଉପର ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀ ସେମାନଙ୍କର ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟତାମୂଳକ ହେବ । ଏହାକୁ ଲୋକାୟୁକ୍ତଙ୍କ ନିକଟକୁ ପଠାଯିବ।  ଦୁର୍ନୀତି ବିରୁଦ୍ଧରେ ଆମର ସାଲିସବିହୀନ ଲଢେଇ ହିଁ ଆମ ପାଇଁ ସାରା ଭାରତରେ ସୁନାମ ଆଣିଦେଇଛି। ଦୁର୍ନୀତି ମାମଲା ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଉ ବା ଦୁର୍ନୀତିରେ ଲିପ୍ତ ମାନଙ୍କର ସଂପତ୍ତିର ବ୍ୟାଜାପ୍ତି। ଏ ସବୁଥିରେ ଆମ ରାଜ୍ୟ ହିଁ ସବୁଠାରେ ଆଗରେ ଅଛି ।

ଓଡ଼ିଶାରେ ଏକ ଶକ୍ତିଶାଳୀ ଲୋକାୟୁକ୍ତ ଅଛନ୍ତି । ଦୁର୍ନୀତି କରୁଥିବା କର୍ମଚାରୀ ଯେତେ ଉଚ୍ଚପଦରେ ଥାଆନ୍ତୁ ବା କାହିଁକି, ସେମାନଙ୍କ ବିରୁଦ୍ଧରେ ଆମେ ସବୁବେଳେ ଦୃଢ଼ ଓ ଉଦାହରଣୀୟ ନିଷ୍ପତ୍ତି ନେଇଆସିଛୁ । ଅନେକ କ୍ଷେତ୍ରରେ ସେମାନଙ୍କୁ ଚାକିରୀରୁ ବରଖାସ୍ତ ମଧ୍ୟ କରାଯାଉଛି । ଗତ ୧ ବର୍ଷ ମଧ୍ୟରେ ଆମେ ୯୧ଜଣ ଦୁର୍ନୀତିରେ ଲିପ୍ତ ଅଫିସରଙ୍କୁ ଚାକିରୀରୁ ବିଦା କରିଛୁ, କିଛି ଅଧିକାରୀଙ୍କ  ପେନସନ ବନ୍ଦ କରିଛୁ । ସରପଞ୍ଚଙ୍କ ଠାରୁ ଆରମ୍ଭ କରି, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ ସଭାପତି, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତି ବର୍ଷ ସେମାନଙ୍କର ସଂପତ୍ତି ତାଲିକା (Property Statement) ଦେବେ ଏବଂ ଏହା ଜନସାଧାରଣଙ୍କ ସୂଚନା ନିମନ୍ତେ public domainରେ ରଖାଯିବ।  ରାଜ୍ୟର ସାଂସଦମାନେ ମଧ୍ୟ ସ୍ବତଃପ୍ରବୃତ୍ତ ଭାବରେ ଏଥିରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି ।  ସେହିପରି ସବୁ ସରକାରୀ କର୍ମଚାରୀ ସମସ୍ତେ ପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ଏବଂ ଏହାକୁ ମଧ୍ୟ ଜନସାଧାରଣଙ୍କ ସୂଚନା ନିମନ୍ତେ public domainରେ ରଖାଯିବ। ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧି ମାନଙ୍କର ସଂପତ୍ତି ତାଲିକା ପ୍ରତି ବର୍ଷ ଲୋକାୟୁତଙ୍କ ପାଖରେ submit କରାଯିବ ।ଦୁର୍ନୀତି ରୋକିବା ପାଇଁ ଏଭଳି କଡା ପଦକ୍ଷେପ ନେବାରେ ଓଡିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ ଏବଂ ଅନ୍ୟ ରାଜ୍ୟ ମାନଙ୍କୁ ଏ ଦିଗରେ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Comments are closed.