ଇଚ୍ଛାପୁର ପଞ୍ଚାୟତରେ ଶ୍ରମଦାନ ଓ ସଫେଇ କାର୍ଯ୍ୟକ୍ରମ

ଆଠଗଡ : ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିଥିବା ଶ୍ରମଦାନ, ରକ୍ତଦାନ ଓ ସଫେଇ ଅଭିଯାନର ଅଂଶବିଶେଷ ଭାବେ ସୋମବାର ଆଠଗଡ ବ୍ଲକର ଇଚ୍ଛାପୁର ପଞ୍ଚାୟତରେ ଶ୍ରମଦାନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଅରଖପାଟଣାସ୍ଥିତ ଲୋକନାଥ ବିଦ୍ୟାପୀଠ ପରିସରରେ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ନିଜେ ଶ୍ରମଦାନ କରି ସଫେଇ କାର୍ଯ୍ୟକ୍ରମ କରିଥିଲେ। ଏଥି ସହିତ ଇଚ୍ଛାପୁର ପଞ୍ଚାୟତ ବିଜେଡି ସଭାପତି ହରଷ ବାବାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନୀତି, ଆଦର୍ଶ, ସେବା ମନୋଭାବ ଓ ଅହିଂସା ନୀତିକୁ ଆପଣାଇ ଦଳୀୟ କର୍ମୀମାନେ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ। ଏଥିରେ କୃଷକ ନେତା ନିରାକାର ଲେଙ୍କା, ଦେବରାଜ ପ୍ରଧାନ, ଦଳୀୟ ନେତା ରାମଚନ୍ଦ୍ର ସାହୁ, ବିକ୍ରମ କୁମାର ସାହୁ, ସନ୍ତୋଷ ଖୁଣ୍ଟିଆ, କବିରାଜ ସାହୁ, ପ୍ରଦୀପ କୁମାର ସ୍ୱାଇଁ, ରଞ୍ଜନ କୁମାର ସାହୁ ଓ ପବିତ୍ର ସାହୁ ପ୍ରମୁଖ ଯୋଗଦେଇ ଇଚ୍ଛାପୁର ପଞ୍ଚାୟତକୁ ପରିଷ୍କାର ପରିଚ୍ଛନ କରି ଏକ ସ୍ୱଚ୍ଛ ପଞ୍ଚାୟତରେ ପରିଣତ କରିବା ପାଇଁ ଶପଥ ନେଇଥିଲେ।

Comments are closed.