କେନ୍ଦ୍ର ଗ୍ରାମବିକାଶ ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ : ରାଜ୍ୟର ୧୩.୯୫ ଲକ୍ଷ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଯୋଜନା ସ୍ଥାୟୀ ୱେଟଲିଷ୍ଟ ତାଲକାରେ ସାମିଲ କରିବାକୁ ବିଜେଡି ସାଂସଦଗଣ ଆଜି କେନ୍ଦ୍ର ଗ୍ରାମ ବିକାଶ ରାଷ୍ଟ୍ରମନ୍ତ୍ରୀ ସ୍ୱାଧି ନିରଞ୍ଜନ ଜ୍ୟୋତିଙ୍କୁ ଭେଟି ଦାବି କରିଛନ୍ତି। ସାଂସଦଗଣ ଦର୍ଶାଇଛନ୍ତି ଯେ ସାମୁଦ୍ରିକ ବାତ୍ୟା ଫଣି ପ୍ରଭାବିତ ୭.୮୭ ଲକ୍ଷ ପରିବାର ଏବଂ ଅନ୍ୟ ଜିଲାର ୩୫ ହଜାର ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଜିଓ ଟ୍ୟାଗିଂ ଓ ଆଧାର ସଂଯୋଗ କାର୍ଯ୍ୟ ସଂପୂର୍ଣ୍ଣ କରିଛନ୍ତି। ଏହି ୮.୨୨ ଲକ୍ଷ ପରିବାରକୁ ନୂତନ ହିତାଧିକାରୀ ଭାବେ ଚିହ୍ନଟ କରିଥିଲେ ମଧ୍ୟ ଅଦ୍ୟାବଧି ଏମାନଙ୍କୁ ସ୍ଥାୟୀ ୱେଟଲିଷ୍ଟ ତାଲିକାରେ ଯୋଡ଼ା ଯାଇନାହିଁ। ଏବାବଦରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ୧୫ ନଭେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ମାତ୍ର କେନ୍ଦ୍ର ସରକାର ଏହି ବିଷୟରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ସେହିପରି ସ୍ଥାୟୀ ୱେଟଲିଷ୍ଟ ତାଲିକାରୁ ମାତ୍ର ୫.୩୫ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରୁ ବାସଗୃହ ପାଇବା ଲାଗି ବାକି ଅଛନ୍ତି। ତେଣୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଯୋଜନାରେ ବାସଗୃହ ପାଇବାକୁ ଚିହ୍ନଟ ସମସ୍ତ ୧୩.୯୫ ହିତାଧିକାରୀଙ୍କୁ ସ୍ଥାୟୀ ବାସଗୃହ ତାଲିକାରେ ସାମିଲ କରି ବାସଗୃହ ଯୋଗାଇ ଦେବାକୁ ବିଜେଡି ସାଂସଦ ଦାବି କରିଥିଲେ।

Comments are closed.