ପରପାରିରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ

ଭୁବନେଶ୍ବର: ବରିଷ୍ଠ ବିଜେଡ଼ି ନେତା ତଥା ତିର୍ତ୍ତୋଲର ବିଧାୟକ ବିଷ୍ଣୁଚରଣ ଦାସଙ୍କ ୬୬ବର୍ଷରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ୬ଥର ବିଧାୟକ, ଥରେ ମନ୍ତ୍ରୀ ଓ ଥରେ ସାଂସଦ ଥିଲେ ବିଷ୍ଣୁ ଦାସ। ଜଗତସିଂହପୁରରୁ ୫ଥର ଏବଂ ତିର୍ତ୍ତୋଲର ଥରେ ବିଧାୟକ ଥିଲେ। ସ୍ବଳ୍ପକାଳ ପାଇଁ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

୧୯୫୪ରେ ଜନ୍ମ ଗ୍ରହଣ କରିଥିବା ବିଷ୍ଣୁ ଚରଣ ଦାସ ଜଗତସିଂହପୁର ଏସ୍‌ଭିଏମ୍‌ କଲେଜ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏହାପରେ ଜଗତସିଂହପୁର ବିଧାନସଭା ଆସନରୁ ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ଜଗତସିଂହପୁର ବିଧାନସଭା ଆସନରେ ରଞ୍ଜୀବ ବିଶ୍ବାଳଙ୍କଠାରୁ ପରାସ୍ତ ହୋଇଥିଲେ। ଏହାପରେ ବିଧାନସଭା ଆସନ ସୀମା ନିର୍ଦ୍ଧାରଣ ପରେ ତିର୍ତ୍ତୋଲ ଆସନରେ ବିଜେଡ଼ି ପ୍ରାର୍ଥୀ ଭାବେ ବିପୁଳ ଭୋଟରେ ବିଧାୟକ ଭାବେ ବିଷ୍ଣୁ ଚରଣ ଦାସ ନିର୍ବାଚିତ ହୋଇଥିଲେ। ଜଣେ ଟାଣୁଆ ନେତା ଓ ଦୃଢ଼ ସଗଠକ ଭାବେ ଜଣାଶୁଣା ବିଷ୍ଣୁ ଦାସ ୨୦୧୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଥିଲେ। ତିର୍ତ୍ତୋଲ ବିଧାୟ ବିଷ୍ଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଷ୍ଣୁ ଦାସ ଦଳିତ ଓ ଅବହେଳିତଙ୍କ ପାଇଁ ଜୀବନ ଉତ୍ସର୍ଗ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.