ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଲେ ନବୀନ

ଭୁବନେଶ୍ଵର: ବିଜୁ ଜନତା ଦଳ (ବିଜେଡି)ର ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ମହିଳା ସଶକ୍ତୀକରଣକୁ ବିଜେଡି ଅଗ୍ରାଧିକାର ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେଇ ନବୀନ କହିଥିଲେ, ମା’ମାନେ ଆଗେଇଲେ ସମାଜ ଓ ଦେଶ ଆଗେଇବ। ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ବିଜେଡି ୫୦% ସଂରକ୍ଷଣ କରିଛି। ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ପାଇଁ ବିଜେଡି ଲଢୁଛି।

ନବୀନ କହିଥିଲେ, ନିର୍ବାଚନ ଆସିଲେ ଜାତୀୟ ଦଳଗୁଡ଼ିକ ଇସ୍ତାହାରରେ ପ୍ରତିଶ୍ରୁତି ଦିଅନ୍ତି, ନିର୍ବାଚନ ସରିଗଲେ ସେମାନେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି। କିନ୍ତୁ ଆମେ କଥା ନୁହେଁ, କାମରେ ବିଶ୍ଵାସ କରୁ। ୨୦୧୯ ନିର୍ବାଚନରେ ବିଜେଡି ମହିଳାଙ୍କୁ ଅଗ୍ରାଧିକାର ଦେଇଥିଲା। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ୩୩% ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲା। ଲୋକସଭା, ରାଜ୍ୟସଭା, ବିଧାନସଭା ଅଧିବେଶନରେ ଦାବି ଦୃଢ଼ କରିବୁ। ପ୍ରତି ଅଧିବେଶନରେ ମହିଳାଙ୍କୁ ସଂରକ୍ଷଣ ନେଇ ବିଜେଡି ସ୍ବର ଦୃଢ଼ କରିବ। ମହିଳାଙ୍କୁ ସେମାନଙ୍କ ହକ୍‌ ମିଳିବା ଯାଏ ବିଜେଡି ଲଢ଼େଇ ଜାରି ରଖିବ। ଏହାକୁ ଆମେ ଏକ ଆନ୍ଦୋଳନର ରୂପ ଦେବୁ ବୋଲି ନବୀନ କହିଛନ୍ତି।

ସୂଚନାଯୋଗ୍ୟ, କ୍ରମାଗତ ଭାବେ ପଞ୍ଚମଥର ପାଇଁ ରାଜ୍ୟ ଶାସନ ଗାଦିରେ ଥିବା ବିଜୁ ଜନତା ଦଳ ସରକାର ଶନିବାର ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଦଳର ନେତା ଓ କର୍ମୀମାନେ ପ୍ରତିଷ୍ଠା ଦିବସରୁ ଜନସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ପ୍ରମୁଖ ଦଳୀୟ ସଙ୍ଗଠନର ରାଜ୍ୟ ସଭାପତି, ଜିଲା, ବ୍ଲକ ଓ ନଗର ସଭାପତିଙ୍କୁ ପତ୍ର ଲେଖି ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟବାସୀଙ୍କ ସେବାରେ ନିଜକୁ ପୁନଃ ସମର୍ପିତ କରି ରାଜ୍ୟ ପାଇଁ ପ୍ରତିବଦ୍ଧତା ଦୋହରାଇବାକୁ ସେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ଜନସେବାକୁ ଆମ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି।

Comments are closed.