ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଚୌଦ୍ୱାର : ବିଜୁ ଜନତା ଦଳର ଆଠଗଡ଼ ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ୬ଟି ଗାମ ପଞ୍ଚାୟତ ପାଇଁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦଳର କଟକ ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ରଙ୍କ ପୌରାହିତ୍ୟରେ ବ୍ଲକର ମଙ୍ଗରାଜପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦବୋଧନ ଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ଏବଂ ଦଳର ସମସ୍ତ କର୍ମୀ ଓ ଜନ ସାଧାରଣଙ୍କୁ ସଂଗଠିତ କରିବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ବୋଲି ସୂଚନା ଦେଇଥିଲେ । କଟକ ସାଂସଦ ଭତ୍ତୃହରି ମହତାବ ଏଥିରେ ଅତିଥି ଭାବେ ଯୋଗଦେଇ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଜାରି ରଖିଥିବା ପ୍ରୟାସକୁ ସମସ୍ତେ ଏକଜୁଟ ହୋଇ ସହଯୋଗ କରିବା ସହିତ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଜେଡ଼ି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୀତା ବେହେରା, ଟାଙ୍ଗୀ ବ୍ଲକ୍ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, ପର୍ଯ୍ୟବେକ୍ଷକ ଲଲାଟେନ୍ଦୁ ସେନାପତି,ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମଧୁସ୍ମିତା ସେଠୀ ପ୍ରମୁଖଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ନେତା, ଯୁବନେତା, ଛାତ୍ରନେତା, ମହିଳା ନେତ୍ରୀ ,ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର ଓ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ତିଗିରିଆ ଡି.ଏମ. ମ୍ୟୁଜିକ ତରଫରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ରଚିତ ଦଳିୟ ସଂଗୀତ ପରିବେଷଣ କରାଯାଇଥିଲା । ପ୍ରାରମ୍ବରେ କରୋନାରେ ପିଡୀତ ୬ଟି ପଞ୍ଚାୟତର  ୭ଜଣ ବିଜେଡି କର୍ମୀଙ୍କ ବିୟୋଗରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ କଟକ ଜିଲ୍ଲା ବିଜେଡି ସଂପାଦକ ସେକ୍ ସାହାଜାନ ବିବବରଣୀ ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.