କେନ୍ଦ୍ର ବିରୋଧରେ ବିଜେଡି ଛାତ୍ର-ଯୁବ-ମହିଳା ସାମ୍ମୁଖ୍ୟର ଶକ୍ତି ପ୍ରଦର୍ଶନ

ମୋଟର ସାଇକଲ ଶୋଭାଯାତ୍ରା ସହ ବିକ୍ଷୋଭ, ପ୍ରତିବାଦ ସଭାରେ ବର୍ଷିଲେ ନେତା

ଭୁବନେଶ୍ବର : କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ପୁଣି ରାସ୍ତାକୁ ଓହ୍ଲାଇଛି ଶାସକ ବିଜେଡି। ଗୁରୁବାର ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ଅପାରଗତାକୁ ନେଇ ଶୋଭାଯାତ୍ରା, ମୋଟରସାଇକେଲ ରାଲି କରାଯିବା ସହ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ବିଜେଡିର ଛାମୁଆ ସଙ୍ଗଠନ ଛାତ୍ର, ଯୁବ ଓ ମହିଳା ସାମ୍ମୁଖ୍ୟ ପକ୍ଷରୁ ପ୍ରତିବାଦ ସଭା କରାଯାଇଥିଲା। ବିଜେଡି ଆନ୍ଦୋଳନ ଯୋଗୁଁ ଆଚାର୍ଯ୍ୟବିହାରଠାରୁ ବିଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ଜମିଥିଲା। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବହୁ ଛାତ୍ର, ଯୁବକ ଶୋଭଯାତ୍ରାରେ ପ୍ରତିବାଦସ୍ଥଳକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ଅବହେଳା, ବେକାରୀ ସମସ୍ୟା ଓ ରନ୍ଧନ ଗ୍ୟାସ୍‌ ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ ବିଷୋଦଗାର କରିଥିଲେ ବିଜେଡି ନେତା। ବିଜେଡି କାର୍ଯ୍ୟାଳୟରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମୋଟର ସାଇକେଲ ଶୋଭାଯାତ୍ରା ସମୟରେ କେନ୍ଦ୍ର ବିରୋଧରେ ‌େ‌ସ୍ଲାଗାନ ଦେଇଥିଲେ ଦଳୀୟ ନେତା। ବିଜେଡି କାର୍ଯ୍ୟାଳୟଠାରୁ ଏଜି ଛକ ଓ ରାଜଭବନ ଦେଇ ସହର ପରିକ୍ରମା କରିଥିଲା ଶେଭାଯାତ୍ରା। ଯୁବ, ଛାତ୍ର ଓ ମହିଳା ନେତା ଶୋଭାଯାତ୍ରାରେ ଯାଇ ପ୍ରତିବାଦସଭା ସ୍ଥଳରେ ପହଞ୍ଚିଥିଲେ। ବିଜେଡି ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବିଜେଡି ସାଧାରଣ ସମ୍ପାଦକ(ଛାତ୍ର-ଯୁବ ବ୍ୟାପାର)ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳ ସଭାପତି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଜେଡି ମହିଳା ସମ୍ମୁଖ୍ୟ ସଭାନେତ୍ରୀ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବିଡିଏ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାସ କହିଥିଲେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଅପାରଗତା ପ୍ରସଙ୍ଗକୁ ତୀବ୍ରତର କରାଯିବ। ପଟ୍ରୋଲ ଓ ଡିଜେଲ ଦର ହ୍ରାସ୍ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ନିର୍ବାଚନରେ ବିଜୟୀ ହୋଇଥିବାବେଳେ ଏବେ ଦର ବଢ଼ାଇଚାଲିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବେକାରୀ ସମସ୍ୟା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ମଣ୍ଡିରୁ ଚାଉଳ ଉଠାଣ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳାକୁ ନେଇ ସମାଲୋଚନା କରିଥିଲେ ଦଳୀୟ ନେତା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ବିଜେଡି ନେତା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ବିଧାୟକ ପ୍ରୀତିରଞ୍ଜନ ଘଡେଇ, ଲତିକା ପ୍ରଧାନ, ରୀତା ସାହୁ, ଉଷା ଦେବୀ, ସୌଭିକ ବିଶ୍ବାଳ, ଚନ୍ଦ୍ରସାରଥି ବେହେରା, ପ୍ରଶାନ୍ତ ବେହେରା, ଧ୍ରୁବ ସାହୁ, ରାଜେନ୍ଦ୍ର ସାହୁ, ଜିତୁ ମିତ୍ର, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ,ରମେଶଚନ୍ଦ୍ର ବେହେରା ସମେତ ଦଳର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.