ବିଜେଡିର ବିଜେପୁର ବିଜୟ; ଐତିହାସିକ ରେକର୍ଡ ବ୍ୟବଧାନରେ ଜିତିଲେ ରୀତା

ଭୁବନେଶ୍ଵର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ସହିତ ପୁଣି ଥରେ ବିଜେଡି ହାତକୁ ଯାଇଛି ବିଜେପୁର। ଦଳ ଏଠାରେ ନିଜର ଲୋକପ୍ରିୟତାକୁ ପୁଣି ଥରେ ପ୍ରମାଣିତ କରିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ୯୭ ହଜାର ୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ଐତିହାସିକ ରେକର୍ଡ ସହ ବିଜେପୁର ମୁକୁଟ ପିନ୍ଧିଛନ୍ତି। ଏପରି କି ପୂର୍ବଥରଠାରୁ ଏଥର ବିଜେଡିକୁ ସର୍ବାଧିକ ଭୋଟ ମିଳିଛି। ଭୋଟ ହାତେଇବାରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ପଛରେ ପକାଇ ଦେଇଛନ୍ତି।

ବିଜେପୁର ଉପନିର୍ବାଚନ ପାଇଁ ଗତ ୨୧ ତାରିଖରେ ହୋଇଥିବା ମତଦାନର ଗଣତି ଗୁରୁବାର ଚାଲିଥିଲା। ମୋଟ ୨୧ ରାଉଣ୍ଡରେ ଭୋଟ ଗଣତି ହୋଇଥିଲା। ୫ଟି ବୁଥର ଭିଭିପାଟ ଗଣତି ବାକି ଥିବାବେଳେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ମୋଟ ୧ ଲକ୍ଷ ୩୫ ହଜାର ୯୫୭ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୩୭ ହଜାର ୯୬୭ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୫୮୭୩ ଖଣ୍ଡ ଭୋଟ ମିଳିଛି। ତେବେ ୧୨ଶ ରାଉଣ୍ଡରେ ରୀତା ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇଥିଲେ। ଏହି ରାଉଣ୍ଡରେ ବିଜେପି ପ୍ରାର୍ଥୀଙ୍କଠାରୁ ତାଙ୍କର ଭୋଟ ବ୍ୟବଧାନ ୫୯ ହଜାର ଟପିଥିଲା। ଗତ ନିର୍ବାଚନରେ ନବୀନ ୫୭ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ପରାଜିତ କରିଥିଲେ। ନବୀନ ଗତ ସାଧାରଣ ନିର୍ବାଚନରେ ୧ ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ପାଇଥିବାବେଳେ ସନତ ଗଡ଼ତିଆ ୫୩ ହଜାର ୫୩ ହଜାର ୪୮୨ଟି ଭୋଟ ପାଇଥିଲେ। ଏହାବ୍ୟତୀତ ରୀତା ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବାରେ ରେକର୍ଡ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଖଣ୍ଡପଡ଼ାରୁ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ୮୧ ହଜାର ୪୩୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ରୀତା ସେହି ରେକର୍ଡକୁ କାଟି ଦେଇଛନ୍ତି।

ଅନ୍ୟପଟେ କଂଗ୍ରେସ ଏଥର ଏକପ୍ରକାର ଅମାନତ ହରାଇଛି। ଗତ ସାଧାରଣ ନିର୍ବାଚନରେ  କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ ୧୪ ହଜାର ୩୪୪ ଭୋଟ ପାଇଥିଲାବେଳେ ଏଥର କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୫୮୭୩ ଭୋଟ ପାଇଛନ୍ତି।

Comments are closed.