ନିମ୍ନମାନର ରାସ୍ତାକାମକୁ ନେଇ ବିଜେପି ବିଜେଡି ମଧ୍ୟରେ ଟଣାଓଟରା, ଥାନାରେ ମାମଲା 

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ସଙ୍କୁଲୋଇଠାରୁ ସୁରୁଣ୍ଡି ପର୍ଯ୍ୟନ୍ତ ରାସ୍ତାକାମକୁ ନେଇ ବିଜେଡି ଓ ବଜେପି ମଧ୍ୟରେ ଟଣାଓଟରା ଆରମ୍ଭ ହୋଇ ମାମଲା ଥାନାରେ ପହଞ୍ଚି ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଏହି ରାସ୍ତାକାମ ନିମ୍ନମାନର କରାଯାଉଥିବା ଅଭିଯୋଗ ପାଇବାପରେ ବିଜେପି ଯୁବମୋର୍ଚ୍ଚାର ହରଭଙ୍ଗା ମଣ୍ଡଳ ସଭାପତି ଅରୂପା ଦୀପ ସେଠାରେ ପହଞ୍ଚିଥିଲେ। ବିନା ଭାଇବ୍ରେଟରରେ ନିମ୍ନମାନର ରାସ୍ତାକାମ ହେଉଥିବା ଓ ଶ୍ରମିକମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରାଯାଉନଥିବା ସେ ପଚାରି ବୁଝିଥିଲେ। ଶ୍ରୀ ଦୀପ ସେଠାରୁ ଫେରିବା ପରେ ହରଭଙ୍ଗାର ପୂର୍ବତନ ସରପଂଚ ତଥା ଜଣାଶୁଣା ବିଜେଡି ନେତା ସୁବୋଧ କୁମାର ପ୍ରଧାନ ଅରୂପାଙ୍କୁ ଫୋନରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ହରଭଙ୍ଗା ଥାନାରେ ଅଭିଯୋଗ ହୋଇଛି। ପୂର୍ବରୁ ତାଙ୍କ ପ୍ରତି ଆକ୍ରୋଶ ରହିଥିବା ଯୋଗୁଁ ତାଙ୍କର ଓ ପରିବାରର ଜୀବନ ପ୍ରତି ବିଜେଡି ନେତାଙ୍କ ପକ୍ଷରୁ ଭୟ ରହିଥିବାରୁ ସେ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଇଛନ୍ତି। ଅପରପକ୍ଷରେ ରାସ୍ତାକାମ ଚାଲିଥିବାବେଳେ ଅରୂପା ସେଠାରେ ପହଂଚି ଚାନ୍ଦା ମାଗିବା ମିମ୍ନମାନର କାମ କହି ଫଟୋ ଭାଇରାଲ ପାଇଁ ଧମକ ଦେଇଥିବା ନେଇ ଠିକାଦାରଙ୍କ ମୁନସୀ ଦିଲ୍ଲିପ କୁମାର ସାହୁଙ୍କ ପକ୍ଷରୁ ହରଭଙ୍ଗା ଥାନାରେ ଅଭିଯୋଗ କରାଯାଇଛି। ଏନେଇ ହରଭଙ୍ଗା ପୋଲିସ ପକ୍ଷରୁ ଉଭୟ ମାମଲାରେ ଦୁଇଟି ପୃଥକ ମୋକଦ୍ଦମା ରୁଜୁ କରାଯାଇଥିବା ଜଣାଯାଇଛି। ତେବେ ମଙ୍ଗଳବାର ସନ୍ଧ୍ୟାରେ ବିଜେପିର ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏସପି ଭି.ରଘୁନାଥ ରାଓଙ୍କୁ ସାକ୍ଷାତ କରି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତେଳନ କରି ଜିଲ୍ଳାରେ ଜଣେ ବିଜେପି କର୍ମୀଙ୍କ ହତ୍ୟା ହୋଇସାରିଥିବାବେଳେ ଯୁବମୋର୍ଚ୍ଚା ହରଭଙ୍ଗା ମଣ୍ଡଳ ସଭାପତି ଶ୍ରୀ ଦୀପଙ୍କ ସୁରକ୍ଷା ଦୃଷ୍ଟିରୁ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Comments are closed.