ବିଷୁବ ମିଳନର ସମାବର୍ତ୍ତନ ଉତ୍ସବ : ନାଟ୍ୟକାର ହରିହର ମିଶ୍ର ପାଇଲେ ‘ବିଷୁବ ପୁରସ୍କାର’

କଟକ  : ସଂସ୍କୃତି, ଭାଷା ଓ ସାହିତ୍ୟ କ୍ଷେତ୍ରରେ ଓଡ଼ିଶାର ନିଜସ୍ୱ ଶୈଳୀ ରହିଛି। ଓଡ଼ିଶାରେ ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଡକ୍ଟର ହରେକୃଷ୍ଣ ମହତାବଙ୍କର ଉଦ୍ୟମ ଚିରସ୍ମରଣୀୟ। ଲେଖକ ସଚେତନ ହେଲେ ସମାଜର ପ୍ରତ୍ୟେକ ଦିଗରେ ସ୍ୱଚ୍ଛତା ଆସିବ ବୋଲି ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ରବିବାର ଆୟୋଜିତ ୭୦ତମ ବିଷୁବ ମିଳନ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ବୈଦେହୀ ଜାନକୀ ଶ୍ରୀନିବାସ ମୂର୍ତ୍ତି କହିଛନ୍ତି।
ସାହିତ୍ୟିକ ଡକ୍ଟର ରାଜେନ୍ଦ୍ର କିଶୋର ପଣ୍ଡା ଅଧ୍ୟକ୍ଷତା କରି କହିଲେ, ବିଷୁବ ମିଳନର ଐତିହ୍ୟ ଦୀର୍ଘ ଦିନର। ସାହିତ୍ୟ ମଣିଷ ମଣିଷ ଭିତରେ ଭାବ ବିନିମୟର ମାଧ୍ୟମ ସାଜିଛି। ବିଭିନ୍ନ ପ୍ରାନ୍ତୀୟ ଭାଷାଗୁଡ଼ିକ ମଧ୍ୟରେ ସମନ୍ୱୟ ସ୍ଥାପନ କରାଗଲେ ଭାରତର ବିଭିନ୍ନ ରାଜ୍ୟର ସାହିତ୍ୟିକମାନେ ପରସ୍ପରର ରଚନା ସମ୍ପର୍କରେ ଅବଗତ ହେବେ। କେନ୍ଦ୍ର ସାହିତ୍ୟ ଏକାଡେମୀ, ବୁକ୍‍ ଟ୍ରଷ୍ଟ ଅଫ୍‍ ଇଣ୍ଡିଆ ଏବଂ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ସାହିତ୍ୟ ସମ୍ବନ୍ଧୀୟ ସଂସ୍ଥାଗୁଡ଼ିକ ଏ ଦିଗରେ ଆଗେଇ ଆସିବା ଉଚିତ।
ଏହି ଅବସରରେ ହରିହର ମିଶ୍ରଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ବିଷୁବ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତର ଶ୍ରୀ ମିଶ୍ର କହିଲେ, ପାରମ୍ପରିକ ପର୍ବପର୍ବାଣୀରେ ସାହିତ୍ୟ ସଂସ୍କୃତି ନିହିତ ରହିଛି। ପରିପକ୍ୱତା ନଆସିଲେ ଶବ୍ଦ ଓ ଭାଷା ସୃଷ୍ଟି ହେବନାହିଁ। ସମାଜରେ ସାହିତ୍ୟିକର ମର୍ଯ୍ୟାଦା ଅକ୍ଷୁଣ୍ଣ ରହୁ। ସେହିପରି ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା ପାଇଁ ପ୍ରଫେସର କୁମୁଦ ଚନ୍ଦ୍ର ଦାଶ, କବିତା ପାଇଁ ପ୍ରସନ୍ନ କୁମାର ମହାନ୍ତି ଓ ଗଳ୍ପ ପାଇଁ ଶ୍ୟାମାପ୍ରସାଦ ଚୌଧୁରୀଙ୍କୁ ଚଳିତ ବର୍ଷର ‘ଝଙ୍କାର ପୁରସ୍କାର’ ପ୍ରଦାନ କରାଯାଇଥିଲା। ଅନୁବାଦ-ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ନିମନ୍ତେ ଭୂପେନ ମହାପାତ୍ରଙ୍କୁ ‘ଝଙ୍କାର ଅନୁବାଦ-ଭାରତୀ ପୁରସ୍କାର’, ଧନେଶ୍ୱର ସାହୁଙ୍କୁ ‘ଝଙ୍କାର ଲଳିତ ନିବନ୍ଧ ପୁରସ୍କାର’ ପ୍ରଦାନ କରାଯାଇଥିଲା।
ଜଷ୍ଟିସ୍‍ ହରିହର ମହାପାତ୍ରଙ୍କ ପ୍ରଦତ୍ତ ଧନରାଶିରୁ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ‘ହରିହର ମହାପାତ୍ର ସ୍ମାରକୀ’ ନାଟ୍ୟ ସାହିତ୍ୟ ପୁରସ୍କାର ବିଶିଷ୍ଟ ନାଟ୍ୟକାର ପ୍ରାଧ୍ୟାପକ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଥିଲା। ‘ଝଙ୍କାର’ର ମୁଖ୍ୟ ସମ୍ପାଦକ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ପାଦକ ତରୁଣ କୁମାର ସାହୁ ଅତିଥି ପରିଚୟ ଏବଂ ଅନ୍ୟତମ ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ନବକଳିକା ଅନୁଷ୍ଠାନ ପକ୍ଷରୁ ଭାରତ ବନ୍ଦନା ଗାନ କରାଯାଇଥିଲା। ଡ. ବାବାଜୀ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.