ଜଗତ୍‌ସିଂହପୁରର ପାଣ୍ଡୁଆରେ ‘ଚିତ୍ରାଙ୍ଗଦା’ ରଚନା କରିଥିଲେ ଟାଗୋର

ଭୁବନେଶ୍ଵର: ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଓଡ଼ିଶାର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ପାଣ୍ଡୁଆ ଗାଁରେ ‘ଚିତ୍ରାଙ୍ଗଦା’ର ରଚନା କରିଥିଲେ। ଏହା ହୁଏତ କମ୍‌ ଲୋକ ଜାଣିଥିବେ। କିନ୍ତୁ ସେ ସମୟରେ ଅବିଭକ୍ତ ଓଡ଼ିଶାର ପାଣ୍ଡୁଆ ଗାଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିଲା। ଟାଗୋର ବର୍ଷକୁ ଥରେ କିମ୍ବା ଦୁଇଥର ଏଠାକୁ ଆସି ରହୁଥିଲେ। ଏଠାକାର ୩୦ ଗାଁରେ ତାଙ୍କ ପରିବାରର ଜମିଦାରି ରହିଥିଲା। ତେବେ ଟାଗୋରଙ୍କୁ ପାଣ୍ଡୁଆର ପ୍ରାକୃତିକ ପରିବେଶ ବେଶ୍‌ ପ୍ରେରିତ କରିଥିଲା। ମାତ୍ର ତାଙ୍କ ସୃଜନଶୀଳତାର ଏହି କ୍ଷେତ୍ର ଏବେ ନିଛାଟିଆ ଏବଂ ଖାଁ ଖାଁ ଅବସ୍ଥାରେ ପଡ଼ି ରହିଛି।

ନିଜ ରଚନାରେ ପୂରା ବ୍ରହ୍ମାଣ୍ଡର ବ୍ୟାଖ୍ୟା କରୁଥିବା ଟାଗୋରଙ୍କର ଆଜି ହେଉଛି ଜନ୍ମ ଦିବସ। ନୋବେଲ ପୁରସ୍କାର ପାଇବାରେ ସେ ପ୍ରଥମ ଅଣୟୁରୋପୀୟ ନାଗରିକ ଥିଲେ। ଜନ ଗଣ ମନ…ଏବଂ ଆମାର ସୋନାର ବାଂଲା… ତାଙ୍କ ଦ୍ବାରା ରଚିତ, ଯାହା ଦୁଇଟି ଦେଶର ଜାତୀୟ ସଙ୍ଗୀତ ମାନ୍ୟତା ପାଇଛି। ୧୮୬୧ ମେ ୭ରେ କଲକାତାର ଜୋରସଙ୍କୋ ମହଲରେ ସେ ଜନ୍ମଲାଭ କରିଥିଲେ। ସେ ପିଲାଦିନୁ କବିତା ଏବଂ ଗଳ୍ପ ଲେଖୁଥିଲେ। ‘ଗୀତାଞ୍ଜଳି’ କାବ୍ୟ ରଚନା ପାଇଁ ୧୯୧୩ରେ ତାଙ୍କୁ ନୋବେଲ ପୁରସ୍କାରରେ ମିଳିଥିଲା।

ଓଡ଼ିଶା ସହିତ ଏହି ମହାମାନବଙ୍କ ସମ୍ପର୍କ ବେଶ୍‌ ନିବିଡ଼। ତାଙ୍କ ଜୀବନରେ ସୃଜନଶୀଳତାର କିଛି ଅଂଶ ଓଡ଼ିଶାର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ପାଣ୍ଡୁଆ ଗାଁ ସହିତ ଜଡ଼ିତ ରହିଛି। ପ୍ରକାଶ ଥାଉକି, ଗୁରୁଦେବଙ୍କ ୧୫୦ ତମ ଦିବସରେ ପାଣ୍ଡୁଆକୁ ନବଜୀବନ ଦେବା ଏବଂ ଏହାକୁ ଏକ ଐତିହ୍ୟ ସ୍ଥଳୀରେ ପରିଣତ କରିବା ପାଇଁ ରବୀନ୍ଦ୍ର ସଂଗ୍ରହାଳୟ ନିର୍ମାଣ ଲାଗି ଏକ ରାଜନୈତିକ ସଂକଳ୍ପ ନିଆଯାଇଥିଲା। କିନ୍ତୁ ଏହି ସ୍ଥାନ ଏବେ ଜନଶୂନ୍ୟ ହୋଇପଡ଼ିଛି। ସୂଚନାଯୋଗ୍ୟ, ପ୍ରାୟ ୧୦୦ ବର୍ଷ ତଳେ ଟାଙ୍ଗୋର ପାଣ୍ଡୁଆରେ ଚିତ୍ରାଙ୍ଗଦାର ରଚନା କରିଥିଲେ। ଏହି ରଚନା ମହାଭାରତ କାହାଣୀର ଏକ ଅଂଶ। ଟାଗୋର ଏହାକୁ ନାଟ୍ୟ ରୂପ ଦେଇଛନ୍ତି।

ପ୍ରାୟ ୧୦ବର୍ଷ ତଳେ ପଶ୍ଚିମବଙ୍ଗରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଓଡ଼ିଶାରେ ଥିଲେ ନବୀନ ପଟ୍ଟନାୟକ। ଟାଗୋରଙ୍କ ଅନୁଗାମୀମାନେ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡୁଆରେ ଟାଗୋର ମେମୋରିଆଲ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ। ଏଥିପାଇଁ କମିଟି ମଧ୍ୟ ଗଠନ କରାଯାଇଥିଲା। କମିଟିର ପଦାଧିକାରୀମାନେ ଜିଲାପାଳ ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଫଳ ଶୂନ। ଏବେ ପାଣ୍ଡୁଆ ସ୍ଥିତ ଟାଗୋରଙ୍କ ଘର ଭୂତକୋଠିରେ ପରିଣତ ହେଲାଣି। ସେହି ସ୍ଥାନ ନିଛାଟିଆ ହୋଇପନିଛି।

ଲୋକେ କୁହନ୍ତି, ସେତେବେଳେ ପଶ୍ଚିମବଙ୍ଗ-ଓଡ଼ିଶା-ବିହାର ଗୋଟିଏ ପ୍ରଦେଶ ଥିଲା। ଟାଗୋର ପରିବାର ଏହି ଉପକୂଳବର୍ତ୍ତୀ ଗାଁ ପାଣ୍ଡୁଆ ସମେତ ୩୦ ଗାଁରେ ଜମିଦାର ଥିଲେ। ପ୍ରତି ଗ୍ରୀଷ୍ମଋତୁ ଏବଂ ଅନ୍ୟାନ୍ୟ ସମୟରେ ଟାଗୋର ଏଠାକୁ ଆସୁଥିଲେ। ଗୁରୁଦେବଙ୍କ ପ୍ରକୃତି ପ୍ରେମ ଓଡ଼ିଶାରେ ଜଣାଶୁଣା। ତାଙ୍କ ଆତ୍ମଜୀବନିରେ ପାଣ୍ଡୁଆ ବିଷୟରେ ବର୍ଣ୍ଣନା କରାଯାଇଛି। ସମ୍ପୂର୍ଣ୍ଣ ଶାନ୍ତ ପ୍ରାକୃତିକ ବାତାବରଣରେ ସେ ‘ଚିତ୍ରାଙ୍ଗଦା’ର ରଚନା କରିଥିବା ଲେଖାଯାଇଛି। ତାଙ୍କ ଜୀବନି ଲେଖିଥିବା ପ୍ରଭାତ ମୁଖାର୍ଜୀ ବି ନିଜ ପୁସ୍ତକରେ ପାଣ୍ଡୁଆ ଲେଖାଯାଇଥିବା ଚିତ୍ରାଙ୍ଗଦା ବିଷୟରେ ଉଲ୍ଲେଖ କରିଛନ୍ତି। ୧୯୯୮ରେ କିଛି ଅନୁଗାମୀ ପାଣ୍ଡୁଆରେ ଟାଗୋରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ତାଙ୍କ ଜନ୍ମ ଶତବାର୍ଷିକୀରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ପାଣ୍ଡୁଆ ଯାଇ ରାଜ୍ୟରେ କଳା ଓ ସଂସ୍କୃତି ତଥା ରବୀନ୍ଦ୍ର କାଳା ନାଟ୍ୟ ଏବଂ ସଙ୍ଗୀତକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଡିଟୋରିୟମ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ତାଙ୍କର ଏହି ଘୋଷଣା କେତେଦୂର କାର୍ଯ୍ୟକାରୀ ହୋଇଛି ତାହା ପାଣ୍ଡୁଆର ବର୍ତ୍ତମାନର ସ୍ଥିତି ବୟାନ କରୁଛି।

ଏବେ ସରକାର ବି ପାରମ୍ପରିକ ଢଙ୍ଗରେ ମନ୍ତବ୍ୟ ଦେଇ କହୁଛନ୍ତି ଯେ, ହେରିଟେଜ ପ୍ଲାନ ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଇବୁ। ପାଣ୍ଡୁଆରେ ବର୍ତ୍ତମାନ ରାଜପଥକୁ ଯୋଡ଼ୁଥିବା ଏକ ରାସ୍ତା ଟାଗୋରଙ୍କ ନାମରେ ନାମିତ କରାଯାଇଛି। ଟାଗୋରଙ୍କୁ ତାଙ୍କର ମାତୃଭୂମି ଏବଂ ଜନ୍ମଭୂମି ପ୍ରତି ବହୁତ ଭଲପାଇବା ଥିଲା ତାଙ୍କ ରଚନାବଳୀରୁ ଜଣାପଡୁଛି। ସେତେବେଳେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗୋଟିଏ ରାଜ୍ୟ ଥିଲା। ଗୁରୁ ରବୀନ୍ଦ୍ରନାଥ ଟାଗୋର ବିଦ୍ୟାଳୟ ଶିକ୍ଷା ଗ୍ରହଣ କରି ନ ଥିଲେ। ସେ ପ୍ରକୃତିର ସୌନ୍ଦର୍ଯ୍ୟ, ଗଛ, ଉଦ୍ଭିଦ, ଉଦ୍ୟାନ, କ୍ଷେତ, ଅମାର ମଧ୍ୟରେ ଖେଳିବାରେ ବଢ଼ିଥିଲେ।ବୋଧହୁଏ ସେଇଥିପାଇଁ ସେ ପାଣ୍ଡୁଆକୁ ତାଙ୍କ ଜୀବନରୁ ଅଲଗା କରିପାରି ନ ଥିଲେ। କାରଣ ଗୁରୁଦେବ ଯାହା ପସନ୍ଦ କରନ୍ତି, ପାଣ୍ଡୁଆରେ ସବୁକିଛି ରହିଥିଲା। ତାଙ୍କର ସ୍ମୃତି ପାଣ୍ଡୁଆର ପବନରେ ସୃଷ୍ଟି ହୋଇଥିଲା। ବିଶ୍ଵର ଏହି ବୌଦ୍ଧିକ ନେତାଙ୍କ ରଚନାଗୁଡ଼ିକ ଓଡିଆ କଳାକାରମାନଙ୍କ ମଧ୍ୟରେ ଏବେ ବି ଜୀବନ୍ତ ରହିଛି।

ଇନଟାକ୍‌ର ଓଡ଼ିଶା ସଂଯୋଜକ ଅମୀୟ ବି. ତ୍ରିପାଠୀ କୁହନ୍ତି, ଟାଗୋରଙ୍କ ସ୍ମୃତିରେ ସରକାର ଯଦି ପାଣ୍ଡୁଆରେ କିଛି ବି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତା’ହେଲେ ତାହା ସ୍ବାଗତଯୋଗ୍ୟ। ସରକାରଙ୍କ ପକ୍ଷରୁ ଯଦି ଆମ ନିକଟକୁ ଚିଠି କରାଯାଏ ତେବେ ଇନ୍‌ଟାକ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଯିବ।

Comments are closed.