ମଙ୍ଗଳାଯୋଡିରେ ଠାବ ହେଲା ବ୍ୟାଙ୍କ ସ୍ୱାଲୋ ପକ୍ଷୀ 

ଓଡିଶାକୁ ପ୍ରଥମ କରି ଆସିଲା ଏଇ ପକ୍ଷୀ 

ବିହଙ୍ଗ ଭୂସ୍ବର୍ଗ ମଙ୍ଗଳାଯୋଡି ଶୀତ ଦିନରେ ଦେଶ ବିଦେଶରୁ ଛୁଟି ଆସନ୍ତି ଅନେକ ପରିବ୍ରାଜକ ପକ୍ଷୀ । ଶୀତ ସରିବା ପର୍ଯ୍ୟନ୍ତ ମଙ୍ଗଳାଯୋଡିରେ ରହି, ଥଣ୍ଡା ଦିନ କାଟିବା ପରେ ପୁଣି ନିଜ ନିଜର ଅଞ୍ଚଳକୁ ଫେରି ଯାଆନ୍ତି । ମଙ୍ଗଳାଯୋଡିରେ ପରିବେଶ ମାଇଗ୍ରେଟୋରି ପକ୍ଷୀମାନଙ୍କ ପାଇଁ ସଠିକ ପରିବେଶ ସହିତ ଯଥେଷ୍ଟ ଖାଦ୍ୟ ଭରପୁର ମାତ୍ରାରେ ଭରି ରହିଥିବାରୁ ଲକ୍ଷ ଲକ୍ଷ ସଂଖ୍ୟକ ପକ୍ଷୀଙ୍କ ସମାଗମ ହୋଇଥାଏ । ପ୍ରତିବର୍ଷ ନୂଆ ନୂଆ ପ୍ରଜାତିର ପକ୍ଷୀ ପ୍ରଥମ ଥର ପାଇଁ ମଙ୍ଗଳାଯୋଡିକୁ ଆସିଥାନ୍ତି । ଏହି କ୍ରମରେ ଚଳିତ ବର୍ଷ ଶୀତରେ ଏଇ ନୂଆ ପକ୍ଷୀ ସାମିଲ ହୋଇଛି ଯାହାର ନାମ ହେଲା ସ୍ୟାଣ୍ଡ ମାର୍ଟିନ ବା ବ୍ୟାଙ୍କ ସ୍ୱାଲୋ । ଏହାର ବୈଜ୍ଞାନିକ ନାମ ରିପାରିଆ ରିପାରିଆ (Riparia riparia) । ଗତ ମାସଠାରୁ ମଙ୍ଗଳାଯୋଡିରେ ନୂଆ ଅତିଥି ପକ୍ଷୀଙ୍କୁ ଖୋଜିବାରେ ଲାଗିଥିଲେ ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟ ର ଟ୍ରଷ୍ଟି ତଥା ବିଖ୍ୟାତ ବାର୍ଡ ଗାଇଡ଼ ମଧୁ ବେହେରା । ଆଜି ସକାଳେ ସେ ଏକ ଖୁଣ୍ଟ ଉପରେ ଏଇ ବ୍ୟାଙ୍କ ସ୍ୱାଲୋ ପକ୍ଷୀ କୁ ଦେଖି ତାର ଫୋଟୋ ଉଠେଇଥିଲେ । ଏଇ ଫୋଟୋକୁ ସେ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ପାଖକୁ ପଠେଇଥିଲେ । ଶୁଭେନ୍ଦୁ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ଓଡ଼ିଶାରେ ବ୍ୟାଙ୍କ ସ୍ୱାଲୋ ପକ୍ଷୀ କେହି କେବେ ଦେଖି ଥିବା ପାଇନଥିଲେ । ଚଢେଇ ମାନଙ୍କ ଡିଷ୍ଟ୍ରିବ୍ୟୁସନ କ୍ଷେତ୍ରରେ ପୃଥୁବୀର ସବୁଠାରୁ ବିଶ୍ୱସ୍ତନୀୟ ଇ-ବାର୍ଡ ୱେବ ସାଇଟ ରେ ମଧ୍ୟ ଏଇ ପକ୍ଷୀକୁ ଓଡ଼ିଶାରେ କେହି ଦେଖି ନଥିବା କଥା ଜଣାପଡିଲା ।

ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଇ-ବାର୍ଡ ୱେବ ସାଇଟ ରେ ବ୍ୟାଙ୍କ ସ୍ୱାଲୋ ପକ୍ଷୀ ଓଡିଶାର ପଡୋଶୀ ରାଜ୍ୟମାନଙ୍କରେ ଦେଖାଯାଇଥିବା ଦର୍ଶାଯାଇଛି । ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ପଶ୍ଚିମବଙ୍ଗ ରାଜ୍ୟରେ ଆଗରୁ ଏଇ ପକ୍ଷୀକୁ ଠାବ କରାଯାଇଥିବା ବେଳେ ମଧୁ ବେହେରା ଏଇ ପକ୍ଷୀ ଟିକୁ ପ୍ରଥମଥର ପାଇଁ ଓଡିଶା ରେ ଠାବ କଲେ” ।
ଆଜି ସକାଳେ ମଧୁ ନିଜ ଡ଼ଙ୍ଗାରେ ଚଢେଇ ମାନଙ୍କୁ ତଦାରଖ କରୁଥିବା ବେଳେ ଏକ ସ୍ୱାଲୋ ପକ୍ଷୀକୁ ଏକ ମାଛଧରା ‘ବଜା’ ର ଏକ ଖୁଣ୍ଟି ଉପରେ ବସିଥିବା ଦେଖି ଆଶ୍ଚର୍ଯ୍ୟ ହେଇଗଲେ । ତେବେ ସେଇ ପକ୍ଷୀଟି ମଙ୍ଗଳାଯୋଡିରେ ଦେଖାଯାଉଥିବା ଅନ୍ୟ ଦୁଇଟି ସ୍ୱାଲୋ ଯଥା ବାର୍ଣ୍ଣ ସ୍ୱାଲୋ ଏବଂ streak throated ସ୍ୱାଲୋ ଆଦୌ ମିଶୁ ନଥିଲା । ମଧୁ ଆଗରୁ ମଙ୍ଗଳାଯୋଡିରେ ଏଇ ନୂଆ ଅତିଥି ପକ୍ଷୀ କୁ କେବେ ହେଲେ ଦେଖି ନଥିଲେ । ଫିଲଡ଼ ଗାଇଡ଼ ବହି ମାନଙ୍କ ରେ ମଧୁ ନିଜେ ଉଠେଇଥିବା ଫୋଟୋ କୁ ମ୍ୟାଚ କରିବା ପରେ ତାହା ଏକ ସ୍ୟାଣ୍ଡ ମାର୍ଟିନ ପକ୍ଷୀ ବୋଲି ଚିହ୍ନଟ କରିଥିଲେ । ଏହା ପରେ ଅଧିକ ଅନୁସନ୍ଧାନ ପାଇଁ ସେଇ ଫୋଟୋ ଗୁଡ଼ିକୁ ଶୁଭେନ୍ଦୁ ମଲ୍ଲିକ ଙ୍କ ନିକଟକୁ ପଠେଇବା ପରେ ଏହି ପକ୍ଷୀ ଓଡିଶାକୁ ପ୍ରଥମଥର ଆସିଥିବା କଥା ଜଣା ପଡିଥିଲା ।
ଏଇ ସ୍ୟାଣ୍ଡ ମାର୍ଟିନ କୁ ବ୍ୟାଙ୍କ ସ୍ୱାଲୋ ମଧ୍ୟ କୁହାଯାଇଥାଏ । ଏଇ ପକ୍ଷୀର ପିଠି ପଟ ଗାଢ଼ ପାଉଁସିଆ ରଙ୍ଗର ହୋଇଥିବା ବେଳେ ପେଟ ପଟ ଧଳା ରଙ୍ଗର ହୋଇଥାଏ । ତଣ୍ଟି ଏବଂ ବେକରେ ଥିବା ଅଧା କଲାର ଧଳା ରଙ୍ଗର ହେଇଥାଏ । ବେକର ଉପର ଭାଗ ଦେହ ରଙ୍ଗ ପରି ହୋଇଥାଏ ।

Comments are closed.