ଦେଶରେ ଆଭିଏନ ଇନ୍‍ଫ୍ଲୁଏଞ୍ଜା (ପକ୍ଷୀଜ୍ୱର)ର ସ୍ଥିତି

ଭାରତରେ ଏଥର ଏଯାଏଁ କୌଣସି ମଣିଷ ଏହି ରୋଗରେ ଆକ୍ରାନ୍ତ ହୋଇନାହାନ୍ତି

ନୂଆଦିଲ୍ଲୀ : ଆଭିଏନ ଇନ୍‍ଫ୍ଲୁଏଞ୍ଜା (ଏଆଇ) ବା ପକ୍ଷୀଜ୍ୱର ଭୂତାଣୁ ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱବ୍ୟାପୀ ଘୁରି ବୁଲୁଛନ୍ତି। ଗତ ଶତାବ୍ଦୀରେ ଏହି ପକ୍ଷୀଜ୍ୱର ବିଶ୍ୱରେ ୪ ଥର ବଡ଼ଧରଣର ବ୍ୟାପିଥିଲା। ୨୦୦୬ରେ ଭାରତ ପ୍ରଥମେ ଆଭିଏନ ଇନ୍‍ଫ୍ଲୁଏଞ୍ଜା ସଂକ୍ରମଣ ସଂପର୍କରେ ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭାରତରେ ଏଥର ଏଯାଏଁ କୌଣସି ମଣିଷ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଖବର ମିଳିନାହିଁ। ଏହି ରୋଗଟି ଜୁନୋଟିକ୍‍ ବା ଏକ ପଶୁଜନିତ ରୋଗ। ଆହୁରି ମଧ୍ୟ ସଂକ୍ରମିତ କୁକୁଡା, ବତକ ମାଂସ ଓ ଅଣ୍ଡା ଆଦି ଖାଇଲେ ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ଏ ଯାଏଁ ମିଳିନାହିଁ। ତଥାପି ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କେତେକ ସତର୍କତା ଅବଲମ୍ବନ ଜରୁରୀ। ସେଗୁଡିକ ମଧ୍ୟରେ ରହିଛି ଜୈବ ନିରାପତ୍ତା ପାଳନ, ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ, ପରିଚ୍ଛନ୍ନତା ଓ ବିଶୋଧନ, ରୋଷେଇ କରିବାର ପ୍ରଣାଳୀ ଆଦି। ଏହାକୁ ମାନି ଚଳିଲେ ଏହି ରୋଗକୁ ଦୂରେଇ ରଖିହେବ।
ଭାରତରେ ଏହି ରୋଗ ମୁଖ୍ୟତଃ ଶୀତକାଳରେ ବ୍ୟାପୀଥାଏ। ଶୀତଦିନେ ସେପ୍‍ଟେମ୍ବରରୁ ଅକ୍ଟୋବର ଓ ଫେବୃୟାରୀରୁ ମାର୍ଚ୍ଚ
ପର୍ଯ୍ୟନ୍ତ ଆତଯାତ କରୁଥିବା ବିଦେଶ ପକ୍ଷୀଙ୍କ ଦ୍ୱାରା ଏହି ରୋଗ ମୁଖ୍ୟତଃ ବ୍ୟାପେ। ଦ୍ୱିତୀୟରେ ସଂକ୍ରମଣକାରୀ ପଦାର୍ଥ ସଂସ୍ପର୍ଶରେ ମଣିଷ ଆସିଲେ ଏହା ମଧ୍ୟ ବ୍ୟାପିଥାଏ।
ଏହି ଆଭିଏନ ଇନ୍‍ଫ୍ଲୁଏଞ୍ଜା ବିଶ୍ୱବ୍ୟାପୀ ସଂକ୍ରମିତ ହେବାର ଆଶଙ୍କା​‌ ଦେଖାଦେବା ପରେ ୨୦୦୫ରେ ଭାରତ ସରକାରଙ୍କ
ପ୍ରାଣୀ ସଂପଦ ଓ ଡାଏରୀ ବିଭାଗ ପକ୍ଷରୁ ଏକ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହାକୁ ପରିସ୍ଥିତିର ଆବଶ୍ୟକତା ଅନୁସାରେ ୨୦୦୬, ୨୦୧୨, ୨୦୧୫ ଏବଂ ୨୦୨୧ରେ ସଂଶୋଧନ କରାଯାଇ ରାଜ୍ୟ ସରକାରମାନଙ୍କୁ ଏହି ରୋଗ ରୋକିବା ପାଇଁ ନିର୍ଦେଶାବଳୀ ଜାରି କରାଯାଇଛି।

Image credit : India.com

୨୦୨୦ରେ ଏହି ଇନ୍‍ଫ୍ଲୁଏଞ୍ଜା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ତଦାରଖ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହି ତଦାରଖ ବ୍ୟବସ୍ଥା ପରେ ଦେଶରେ ଆଭିଏନ ଇନ୍‍ଫ୍ଲୁଏଞ୍ଜାର ଭୟ ନାହିଁ ବୋଲି ୨୦୨୦ ସେପ୍‍ଟେମ୍ବର ୩୦ରେ ଘୋଷଣା କରାଯାଇଥିଲା।
ଏହି ଶୀତକାଳୀନ ରୋଗର ପୁରୁଣା ଅଭିଜ୍ଞତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ
ନିୟମିତ ବ୍ୟବଧାନରେ ନିର୍ଦେଶାବଳୀ ଓ ସତର୍କତାମାନ ଜାରି କରାଯାଉଛି। ଶୀତଦିନ ଆରମ୍ଭ ପୂର୍ବରୁ ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ସହ ସମ୍ଭାବ୍ୟ ରୋଗ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପିପିଇ କିଟ୍ସ ଓ ଅନ୍ୟାନ୍ୟ ଉପକରଣ ଆଦି ପ୍ରସ୍ତୁତକରି ରଖୁଛନ୍ତି। ଏ କ୍ଷେତ୍ରରେ ରାଜ୍ୟମାନଙ୍କୁ ମଧ୍ୟ କେନ୍ଦ୍ର ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ରାଜ୍ୟମାନଙ୍କୁ ଭୋପାଳସ୍ଥିତ ଆଇସିଏଆର-ନିହିସାଦ ରେଫରାଲ ଲ୍ୟାବ୍‍ ପକ୍ଷରୁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। କୁକୁଡା, ବତକ ଆଦିଙ୍କୁ ମାରିବା ଏବଂ ସେ ବାବଦରେ ମାଲିକମାନଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ଅର୍ଥ ଯୋଗାଉଛି। ଏଏସ୍‍ସିଏଡି ଯୋଜନାରେ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି। କେନ୍ଦ୍ର ପକ୍ଷରୁ ମଧ୍ୟ ବିଭିନ୍ନ ରାଜ୍ୟର ପଶୁଧନ ଚିକିତ୍ସା କର୍ମୀ ଓ ଡାକ୍ତରମାନଙ୍କୁ ଆବଶ୍ୟକ ତାଲିମ ଓ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଉଛି। ଆରଡିଡିଏଲ-ସିଡିଡିଏଲ୍‍କୁ ସୁଦୃଢ କରିବା ନିମନ୍ତେ ସମର୍ଥନ ଓ ସହାୟତା ଯୋଗାଣ ବ୍ୟବସ୍ଥା ହୋଇଛି। ୨୦୨୦ ଅକ୍ଟୋବର  ୨୨ ତାରିଖରେ ଏହି ରୋଗ ସଂପର୍କରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ପ୍ରସ୍ତୁତ ରହିବାକୁ ଶେଷ ନିର୍ଦେଶାବଳୀ ଜାରି କରାଯାଇଥିଲା।
ବର୍ତ୍ତମାନର ସଂକ୍ରମଣ ଆଇସିଏଆର ନିହିସାଦ ଦ୍ୱାରା ଏହି ପକ୍ଷୀ ଇନ୍‍ଫ୍ଲୁଏଞ୍ଜାର ପଜିଟିଭ ସାମ୍ପୁଲ ମିଳିବା ନିଶ୍ଚିତ ହେବା ପରେ ଦେଶର ବିଭିନ୍ନ ରାଜ୍ୟର ୧୨ଟି ସ୍ଥାନରେ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ସେଗୁଡିକ ହେଲା ରାଜସ୍ଥାନର ବାରନ୍‍, କୋଟା ଓ ଝଲୱାର; ମଧ୍ୟପ୍ରଦେଶର ମଣ୍ଡସୋର, ଇନ୍ଦୋର ଓ ମାଲୱା; ହିମାଚଳ ପ୍ରଦେଶର କାଙ୍ଗଡା; କେରଳର କୋଟାୟମ ଓ ଆଲ୍‍ପୁଝା। ଏହି ୪ଟି ରାଜ୍ୟ ମଧ୍ୟରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କାଉମଡକ ଦେଖାଦେଇଥିବାବେଳେ ହିମାଚଳ ପ୍ରଦେଶରେ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ କେରଳରେ କୁକୁଡା ଓ ବତକ ବହୁସଂଖ୍ୟାରେ ମରିଛନ୍ତି। ତଦନୁସାରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାରଙ୍କୁ ୨୦୨୧ ଜାନୁୟାରୀ ପହିଲାରେ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରାଯାଇଥିଲା। ରୋଗ ଯେପରି ଅଧିକ ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର କେନ୍ଦ୍ରୀୟ ନିର୍ଦେଶାବଳୀ ଅନୁସାରେ ଏହି ସଂକ୍ରମଣକୁ ରୋକିବାକୁ ପଦକ୍ଷେପମାନ ନେଉଛନ୍ତି। ସେହିଭଳି ହିମାଚଳ ପ୍ରଦେଶରେ ଏହି ରୋଗ ଦେଖାଦେବା ପରେ ସେଠା ସରକାରଙ୍କୁ ୨୦୨୧ ଜାନୁୟାରୀ ୫ରେ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରାଯାଇଥିଲା। ଏହି ରୋଗ ଯେପରି କୁକୁଡା, ବତକଙ୍କୁ ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। କେରଳରୁ ମିଳିଥିବା ତଥ୍ୟ ଅନୁସାରେ ସେଠା ସରକାର ଗତ ୫ ତାରିଖଠାରୁ ଏହି ରୋଗର ନିୟନ୍ତ୍ରଣ ପଦକ୍ଷେପ ଆରମ୍ଭ କରିଛନ୍ତି। ଯେଉଁଠି ବ୍ଳାର୍ଡ ଫ୍ଲୁ ଦେଖାଦେଇଛି ସେଠାରେ କୁକୁଡା, ବତକ ମାରିବା କାମ ଆରମ୍ଭ କରାଯାଇଛି। କେନ୍ଦ୍ର ପଶୁଧନ ଓ ଡାଏରି ବିଭାଗ ମଧ୍ୟ ଏହି ରୋଗ ପାଇଁ ନୂଆଦିଲ୍ଲୀରେ ନିୟନ୍ତ୍ରଣକକ୍ଷ ସ୍ଥାପନ କରି ଦୈନିକ ଗ୍ରହଣ କରାଯାଉଥିବା ସଂକ୍ରମଣ ବିରୋଧୀ କାର୍ଯ୍ୟାନୁଷ୍ଠାନର ତଦାରଖ କରୁଛି। ଏଥିପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରାଯାଉଛି।
ଯେଉଁସବୁ ରାଜ୍ୟରେ ଏହି ରୋଗ ସଂକ୍ରମଣ ଆରମ୍ଭ ହୋଇଛି ସେଠାରେ ଏହା ଯେପରି ଅଧିକ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦେବା ସହିତ ନିରାକରଣ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ନିର୍ଦେଶାବଳୀ ଅନୁସାରେ କାମ ଚାଲିଛି। ସଂକ୍ରମିତ ଅଞ୍ଚଳରେ କୁକୁଡା, ବତକ ଆଦିକୁ ହତ୍ୟାକରି ସେଗୁଡିକୁ ପୋତି ଦିଆଯାଉଛି। ଯେଉଁ ପକ୍ଷୀମାନେ ଆକ୍ରାନ୍ତ ହୋଇ ଏଠିସେଠି ମରି ପଡୁଛନ୍ତି ସେ ସବୁକୁ ସଫା କରାଯାଇ ପୋତି ଦିଆଯାଉଛି। ସଂକ୍ରମିତ ଅଞ୍ଚଳରେ ବିଶୋଧନ ଓ ସଫେଇ କାର୍ଯ୍ୟ କରାଯାଉଛି।
ନିୟମିତ ବ୍ୟବଧାନରେ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇ ସଂକ୍ରମଣ ଉପରେ ନଜର ରଖାଯାଇଛି। ଲୋକମାନଙ୍କୁ କୁକୁଡା, ବତକ ମାଂସ ଓ ଅଣ୍ଡା ଆଦି ଖାଇବାବେଳେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଉଛି। ସବୁଠୁ ବଡ଼ କଥା ହେଲା ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସଂକ୍ରମିତ ପକ୍ଷୀ ଏବଂ ମଣିଷଙ୍କଠାରୁ ନିରାପଦ ଦୂରତା ରକ୍ଷା କରିବାକୁ କୁହାଯାଉଛି। ଯଦି କେଉଁଠି ଅସ୍ୱାଭାବିକ ପକ୍ଷୀ ମୃତ୍ୟୁର ଖବର ମିଳୁଛି ସେ ସଂପର୍କରେ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଙ୍ଗଲ ବିଭାଗକୁ ନିର୍ଦେଶ ଦିଆଯାଇଛି।

Comments are closed.