୧୬ ନଂ. ଜାତୀୟ ରାଜପଥ: ଟ୍ରକ୍‌ ୟୁ ଟର୍ଣ୍ଣ ବେଳେ ଘଟିଲା ଦୁର୍ଘଟଣା, ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ଯାଁଳା: ୧୬ ନଂ ଜାତୀୟ ରାଜପଥର ଏକ କଟ୍‌ରେ ଟ୍ରକ୍‌ ୟୁ ଟର୍ଣ୍ଣ କରୁଥିବାବେଳେ ଦୁର୍ଘଟଣା ଘଟାଇଥିଲା। ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଚାଲି ଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଜବତ କରି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ଛଅଟା ସମୟରେ ୧୬ ନଂ. ଜାତୀୟ ରାଜପଥର ରେତଙ୍ଗ କଟ୍‌ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଦଣ୍ଡପାଣି ଦାସଙ୍କ ପୁଅ ସୂର୍ଯ୍ୟକାନ୍ତ ଦାସ(୫୧)। ତାଙ୍କ ଘର ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ରେଡକ୍ରସ ସାହିରେ ବୋଲି ଜଣାପଡିଛି।

ଆଜି ସଂଧ୍ୟା ପ୍ରାୟ ଛଅଟା ସମୟରେ ସୂର୍ଯ୍ୟକାନ୍ତ ନିଜ ବାଇକ୍ ଯୋଗେ ଖୋର୍ଦ୍ଧାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ରେତଙ୍ଗ କଟ୍‌ ନିକଟରେ ଏକ ଟ୍ରକ୍ ୟୁ ଟର୍ଣ୍ଣ କଲାବେଳେ ସୂର୍ଯ୍ୟକାନ୍ତଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସୂର୍ଯ୍ୟକାନ୍ତ ଗାଡିରୁ ଛିଟିକି ପଡିଥିଲେ। ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଘଟଣା ସ୍ଥଳରେ ହିଁ ସୂର୍ଯ୍ୟକାନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ୍ ହସପିଟାଲ୍ ପଠାଇଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ ଅଧିକ ତଦନ୍ତ ଜାରି ରଖିଛି।

Comments are closed.