ବାଇକ ଦୁର୍ଘଟଣାରେ ଚାଳକ ମୃତ

ମୋହନା : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ନିମନ୍ତେ ବାରମ୍ବାର ଜନ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ମୋହନା ବ୍ଲକ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଥମିବାର ନା ଧରୁନି । ସୋମବାର ସକାଳ ପ୍ରାୟ ୯ଟା ସମୟରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଶଙ୍କର ସ୍ୱାଇଁ(୩୧) ବାଇକରେ ନିଜ ଇଟାଭାଟି ପାଇଁ କୁଣ୍ଡା ନେବା ସକାଶେ ମୋହନା ଅଞ୍ଚଳକୁ ଆସୁଥିଲେ। ସେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ଯୋଗୁଁ ଭାରସାମ୍ୟ ହରାଇ ମୋହନା ଥାନା ଅନ୍ତର୍ଗତ ପଥରଗଡ଼ ନିକଟ ବୁଲାଣିଠାରେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ସେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ବେଳେ ଅଡବା ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପରିବର୍ତ୍ତେ ଦ୍ଵରାନ୍ତରେ ରହିଥିବା ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।