ଓଡ଼ିଆ ସ୍ୱାଭିମାନର ପ୍ରତୀକ ଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ

ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର: ମହାନ ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ବାରା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନରେ ଆୟୋଜିତ ଉତ୍ସବରେ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିକୃତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

 

ଏହି ଅବସରରେ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ କହିଥିଲେ ଯେ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ଆଧୁନିକ ଓଡିଶାର ନିର୍ମାତା, ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ମୋର ଭାବପୂର୍ଣ୍ଣ ବିନମ୍ର ଶ୍ରଦ୍ଧାଞ୍ଜଳି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ, ଓଡିଶା ବାହାରେ ଓଡ଼ିଶାର ଅନ୍ୟ ଏକ ପରିଚୟ। ସେ ଏବେ ବି ଆମ ପାଇଁ ଚିରନ୍ତନ ପ୍ରେରଣାର ଉତ୍ସ। ଓଡିଶା ପ୍ରଗତିର ନକ୍ସା ସେ ଆଙ୍କି ଥିଲେ ତାହା ଚିର ପ୍ରାସଙ୍ଗିକ। ଯୁବ ଶକ୍ତି ରେ ଅଗାଧ ଆସ୍ଥା ରଖୁଥିବା ସେହି ମହାନାୟକଙ୍କ ଜୀବନାଦର୍ଶ ଆମ ସମସ୍ତଙ୍କର ଧେୟ ହେଉ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ତଥା ରାଜ୍ୟ ଯୁବ କଲ୍ୟାଣ ପରିଷଦ ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରବାଦ ପୁରୁଷ ଙ୍କ ସ୍ମୃତିଚାରଣ କରିଥିଲେ।

Comments are closed.