କ୍ଷମତା ବିକେନ୍ଦ୍ରୀକରଣ-ମହିଳା ସଶକ୍ତୀକରଣର ମହାନାୟକ ବିଜୁ ପଟ୍ଟନାୟକ

ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ସମବାୟ ଆନ୍ଦୋଳନ ଜରିଆରେ ଗ୍ରାମାଞ୍ଚଳ ଲୋକଙ୍କ ଅର୍ଥନୈତିକ, ସାମାଜିକ ଏବଂ ବୌଦ୍ଧିକ ବିକାଶ ପାଇଁ ସମ୍ବିଧାନରେ ଆଶା ପ୍ରକଟ କରାଯାଇଥିଲା। ଏଣୁ ପଞ୍ଚାୟତିରାଜ ବ୍ୟବସ୍ଥାର ରୂପରେଖ ନିର୍ଣ୍ଣୟ କରିବା ପାଇଁ ଏକ କମିସନ୍‌ ଗଠନ କରାଗଲା। ଦେଶରେ ତିନିଥାକିଆ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ କମିସନ୍‌ ୧୯୫୭ ମସିହାରେ ସରକାରଙ୍କୁ ସୁପାରିସ କଲେ। ଏହି ସୁପାରିସ ଆଧାରରେ ୧୯୫୯ ମସିହା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ରାଜସ୍ଥାନରେ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଶୁଭାରମ୍ଭ କଲେ। ମାତ୍ର ଉଭୟ ପଞ୍ଚାୟତିରାଜ ଏବଂ ସମବାୟ ରାଜ୍ୟ ବିଷୟ ହୋଇଥିବାରୁ ସବୁରାଜ୍ୟ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କଲେ ନାହିଁ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଯେଉଁ କେତୋଟି ରାଜ୍ୟ ଉଦ୍ୟମ ଆରମ୍ଭ କରିଥିଲେ ସେଥିମଧ୍ୟରେ ଓଡ଼ିଶା ଥିଲା ଅନ୍ୟତମ। ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳଯୋଗାଣ, କୃଷି ଏବଂ ଜଳସେଚନ ଆଦି ଅପରିହାର୍ଯ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ସେତେବେଳେ ଦେଶରେ ଉଦାହରଣ ସୃଷ୍ଟି କରିଥିଲା।

୧୯୬୪ ମସିହାରେ ବିଜୁବାବୁଙ୍କ ଦାୟିତ୍ବରେ ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ କଂଗ୍ରେସ ଅଧିବେଶନରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଘୋଷଣା କଲେ ଯେ ‘ଦେଶରେ ଯେଉଁ କେତୋଟି ରାଜ୍ୟ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ସେଥିମଧ୍ୟରେ ବିଜୁଙ୍କ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସବୁଠାରୁ ପ୍ରଗତିଶୀଳ ଏବଂ ସଫଳ ଭାବେ କାର୍ଯ୍ୟ କରୁଛି।’

୧୯୬୭ରେ ସ୍ୱତନ୍ତ୍ର ଏବଂ ଜନକଂଗ୍ରେସ ମିଳିତ ସରକାର ଗଠନ କଲେ। ମୁଖ୍ୟମନ୍ତ୍ରୀ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ହେଲେ ଅନନ୍ତ ନାରାୟଣ ସିଂହଦେଓ। ଲୋକଙ୍କ ପ୍ରତ୍ୟକ୍ଷ ସଂପୃକ୍ତିରେ ରାଜ୍ୟର ବିକାଶ ସମ୍ଭବ ନୁହେଁ ବୋଲି ବିଚାର କରି ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବାତିଲ କରିବାକୁ ସରକାର ଇଚ୍ଛା ପ୍ରକାଶ କଲେ, କିନ୍ତୁ ଅନନ୍ତନାରାୟଣ ସିଂହଦେଓଙ୍କ ବିରୋଧ ଯୋଗୁଁ କେବଳ ଜିଲା ପରିଷଦକୁ ବାତିଲ କରାଯାଇଥିଲା। ଗ୍ରାମପଞ୍ଚାୟତ ଏବଂ ପଞ୍ଚାୟତ ସମିତି ସବୁ ତିଷ୍ଠି ରହିଲେ ମଧ୍ୟ ଏହାର କ୍ଷମତାକୁ ସଂକୋଚନ କରି ଦିଆଗଲା।

୧୯୭୭ ମସିହାରେ ମୋରାରାଜୀ ଦେଶାଇ ପ୍ରଧାନମନ୍ତ୍ରିତ୍ବରେ ଜାତୀୟସ୍ତରରେ ଅଣ-କଂଗ୍ରେସ ସରକାର ପ୍ରତିଷ୍ଠା ହେଲା। ବିଜୁବାବୁ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ଭାବେ ଯୋଗଦେଲେ। ସେଇ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ବିଜୁବାବୁ ପଞ୍ଚାୟତିରାଜ ବ୍ୟବସ୍ଥାର ଦୃଢ଼ୀକରଣ ପାଇଁ ପ୍ରସ୍ତାବ ଦେଲେ। ଏକ କ୍ରିୟାଶୀଳ ପଞ୍ଚାୟତିରାଜ ବ୍ୟବସ୍ଥା ଚାଲୁ କରିବା ପାଇଁ ଅଶୋକ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ପୁଣି ଏକ କମିସନ୍‌ ଗଠିତ ହେଲା। ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସ୍ୱୟଂ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରୁ ବୋଲି କମିଶନ୍‌ ସୁପାରିସ କଲେ। ମାତ୍ର ମେହେଟ୍ଟା କମିସନ ରିପୋର୍ଟକୁ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ରର ଜନତା ପାର୍ଟି ସରକାରର ପତନ ଘଟିଲା।

କଂଗ୍ରେସର ନେତୃତ୍ୱ ନେଇ ପୁଣି ପ୍ରଧାନମନ୍ତ୍ରୀ ହେଲେ ଇନ୍ଦିରା ଗାନ୍ଧୀ। ସେ ମେହେଟ୍ଟା କମିସନ ରିପୋର୍ଟକୁ ବିଚାରକୁ ନ ନେଇ ଦାରିଦ୍ର୍ୟ ଦୂରୀକରଣ ନାଁରେ ବିଂଶସୂତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କଲେ। ଏହି ଯୋଜନାରେ ୫ ବର୍ଷରେ ପୁଞ୍ଜି ବିନିଯୋଗ ହେଲା ୨୫ ହଜାର କୋଟି ଟଙ୍କା ଏବଂ ଆଇ.ଆର୍‌.ଡି.ପି ଯୋଜନାରେ ପୁଞ୍ଜି ବିନିଯୋଗ ହେଲା ୧୦ ହଜାର କୋଟି ଟଙ୍କା। ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ତାଙ୍କର ପୁତ୍ର ରାଜୀବ ଗାନ୍ଧୀ ବିଂଶସୂତ୍ରୀ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ଆଇ.ଆର୍‌.ଡି.ପି ଯୋଜନାର ସଫଳତା ବିଷୟରେ ସମୀକ୍ଷା କଲେ। ଅର୍ଥନୈତିକ, ସାମାଜିକ ଏବଂ ବୌଦ୍ଧିକ ବିକାଶରେ ବିଶେଷ ଜ୍ଞାନଥିବା ସଭ୍ୟମାନଙ୍କୁ ନେଇ ଯୋଜନା କମିସନ ଆକଳନ କଲା ପରେ ଯେଉଁ ରିପୋର୍ଟ ମିଳିଲା ତାହା ଥିଲା ଉଦ୍‌ବେଗ ଏବଂ ହତାଶାର ଏକ ପ୍ରତିଫଳନ। କାରଣ ଲୋକଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ନ ଥାଇ କେବଳ ଅମଲା ଏବଂ ଅଧିକାରୀଙ୍କ ଦ୍ୱାରା ବ୍ୟୟ କରାଯାଇଥିବା ୨୫ ହଜାର କୋଟି ଟଙ୍କାର ବିଂଶସୂତ୍ରୀ କାର୍ଯ୍ୟକ୍ରମରେ ପ୍ରାୟ ଶତକଡ଼ା ୮୫ ଭାଗ ଅର୍ଥ ବାଟମାରଣା ହୋଇଥିବା ଜଣାପଡ଼ିଲା।

ସେହିଭଳି ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତି ପ୍ରଦାନ ପାଇଁ ଯେଉଁ ଆଇ.ଆର୍‌.ଡି.ପି. ଯୋଜନାରେ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇଥିଲା ସେଥିରୁ ସଫଳତା ମିଳିଥିଲା ମାତ୍ର ୫ ପ୍ରତିଶତରୁ କମ୍‌। ଏହା ରାଜୀବ ଗାନ୍ଧୀଙ୍କୁ ବେଶ୍‌ ବିଚଳିତ କରିଥିଲା। ଏଥିପାଇଁ ସେ ସବୁ ରାଜ୍ୟର କେବଳ ଜିଲାପାଳମାନଙ୍କୁ ନେଇ ଆଲୋଚନା କରିଥିଲେ। ଅନେକ ଆଲୋଚନା ଓ ପରାମର୍ଶ ପରେ ତାଙ୍କର ହୃଦ୍‌ବୋଧ ହୋଇଥିଲା ଯେ ଗାନ୍ଧୀ ବିଶ୍ୱାସଧାରା ଉପରେ ପ୍ରତିଷ୍ଠିତ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ କାର୍ଯ୍ୟକାରୀ ନ କଲେ ଗ୍ରାମାଞ୍ଚଳରେ ବସବାସ କରୁଥିବା ୮୭ ପ୍ରତିଶତ ଜନତାଙ୍କର ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିକାଶ ସମ୍ଭବ ନୁହେଁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବାକୁ ସେ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍‌ ଆଣିଥିଲେ। ଏହି ବିଲ୍‌ ଲୋକସଭାରେ ପାରିତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ କାଟ୍‌ ଖାଇଗଲା। କାରଣ ଥିଲା-ପଞ୍ଚାୟତିରାଜ ବ୍ୟବସ୍ଥା ଏକ ରାଜ୍ୟ ବିଷୟ ଏବଂ ଏହି ବିଲ୍‌ରେ କେନ୍ଦ୍ର ସରକାର ରାଜ୍ୟର କିଛି କ୍ଷମତାକୁ ହଡ଼ପ କରିବାକୁ ଚାହିଁଥିଲେ।
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭି .ପି. ସିଂହ ଉପରୋକ୍ତ ବିଲ୍‌ରେ ଆଉ କିଛି ସଂଶୋଧନ ଆଣି ୧୯୯୦ ମସିହା ସେପ୍ଟେମ୍ବର ୯ ତାରିଖରେ ସଂସଦରେ ଉପସ୍ଥାପନ କଲେ। ମାତ୍ର ଏହା ବିଚାର ନହୋଇ ସିଲେକ୍ଟ କମିଟିକୁ ପଠାଇ ଦିଆଗଲା।

ସେହି ସମୟରେ ବିଜୁବାବୁ ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ପଞ୍ଚାୟତିରାଜ ବ୍ୟବସ୍ଥା ଓ ଗ୍ରାମ ଶାସନରେ ଲୋକଙ୍କ ହାତକୁ କ୍ଷମତା ପ୍ରଦାନ କରିବାରେ ଆଉ ବିଳମ୍ବ କରିବାକୁ ସେ ଚାହୁଁନଥିଲେ। ତେଣୁ ରାଜ୍ୟ ଆଇନ୍‌ରେ ବ୍ୟାପକ ପରିବର୍ତ୍ତନ କରି ସଂଶୋଧିତ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କଲେ। ଦେଶର ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାରେ ଶତକଡ଼ା ୩୩ ଭାଗ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ବିଜୁବାବୁ ସେହି ସମୟରେ ଐତିହାସିକ ନିଷ୍ପତ୍ତି ନେଲେ। ମହିଳା ବ୍ୟାଙ୍କ୍‌, ମହିଳା ସମବାୟ ବିକାଶ ନିଗମ, ମହିଳା ଥାନା, ଛାତ୍ରୀମାନଙ୍କ ପୋଷ୍ଟ ଗ୍ରାଜୁଏଟ୍‌ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ ଆଦି ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷମାନଙ୍କୁ ନିର୍ଦଳୀୟ ଭାବେ ନିର୍ବାଚିତ କରିବା ପାଇଁ ରାଜ୍ୟ ଆଇନ୍‌ରେ ବ୍ୟବସ୍ଥା ରଖିଲେ। ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରି ଦଳୀୟ ବିଚାର ନ କରି ଭଲ ଲୋକ ଦେଖି ଭୋଟ ଦେବାକୁ ଆହ୍ୱାନ ଦେଲେ। ତାଙ୍କର ବିଚାର ଥିଲା ଗରିବର ଜାତି ନାହିଁ। ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ସମ୍ବେଦନଶୀଳ ଏବଂ ଦରଦୀହୃଦୟର ଅଧିକାରିଣୀ। ଦାରିଦ୍ର୍ୟ ହଟାଇବା, ମାନବିକ ସମ୍ବେଦନଶୀଳତାକୁ ପାଥେୟ କରି ଗ୍ରାମାଞ୍ଚଳର ବିକାଶ ପାଇଁ ଏହା ହେବ ଉତ୍ତମ ବ୍ୟବସ୍ଥା। ଏହି ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ମହିଳାମାନଙ୍କ ଜରିଆରେ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ, ନିରକ୍ଷରତା ଏବଂ ବ୍ୟାଧି ନିରାକରଣ କରିବାରେ ସହାୟକ ହୋଇପାରିବ। ଅବଶ୍ୟ ବାଧ୍ୟବାଧକତାରେ ଜିଲା ପରିଷଦ ନିର୍ବାଚନକୁ ଦଳୀୟ ଭିତ୍ତିରେ କରାଯିବା ପାଇଁ ନିଜର ଅନିଚ୍ଛା ସତ୍ତ୍ବେ ସେ ନିଷ୍ପତ୍ତି ନେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ମୁଁ ଯେମିତି ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରତ୍ୟେକ ସରପଞ୍ଚ ସେହି ପଞ୍ଚାୟତର ଜଣେ ଜଣେ ମୁଖ୍ୟମନ୍ତ୍ରୀ। ପୁନଶ୍ଚ ପଞ୍ଚମ ପଞ୍ଚବାର୍ଷିକ ଯୋଜନା ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ବିକାଶ ପାଇଁ ବଜେଟ ମାତ୍ର ଶତକଡ଼ା ୧୮ ରୁ ୨୨ ଭାଗ ଅନୁଦାନ ବ୍ୟବସ୍ଥା କରାଯାଉଥିଲା। ବିଜୁବାବୁ ତାକୁ ୫୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ବଧୂ ନିର୍ଯାତନାକୁ ରୋକିବା ପାଇଁ ‘ଗାଁକୁ କାମ, ମାଆକୁ ସମ୍ମାନ’ ଏବଂ ‘ଶାଶୂ ହାତକଡ଼ି ନଣନ୍ଦ ବେଡ଼ି’ ଭଳି ସ୍ଲୋଗାନ ଦେଇ ନାରୀ ନିର୍ଯାତନା ଭଳି ସାମାଜିକ ବ୍ୟାଧି ଦୂର କରିବାରେ କଠୋର ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଥିଲେ।

ବିଜୁବାବୁ ରାଜ୍ୟ ପଞ୍ଚାୟତ ଆଇନକୁ ସଂଶୋଧନ କରି ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ ଏବଂ ୧୯୬୨ ମସିହାରେ ଯେଉଁ ଢାଞ୍ଚାରେ ତ୍ରି-ସ୍ତରୀୟ ପଞ୍ଚାୟତିରାଜକୁ କାର୍ଯ୍ୟକାରୀ କରି ଦେଶର ସୁନାମ ଅର୍ଜନ କରିଥିଲେ, ତାକୁ ଆହୁରି ଫଳପ୍ରଦ ଏବଂ କ୍ରିୟାଶୀଳ କରି ୧୯୯୨ ମସିହା ବେଳକୁ ପଞ୍ଚାୟତ ଓ ପଞ୍ଚାୟତ ସମିତିର ନିର୍ବାଚନ ଶେଷ କଲେ। ତାହାର ବର୍ଷକ ପରେ ୧୯୯୩ ମସିହାରେ କେନ୍ଦ୍ର ସରକାର ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ କଲେ, କିନ୍ତୁ ସମ୍ବିଧାନର ସନ୍ନିବେଶିତ ଏକାଦଶ ପରିଚ୍ଛେଦରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲା ପଞ୍ଚାୟତକୁ ଯେଉଁ ୨୯ଟି ବିଷୟରେ କ୍ଷମତା ବଣ୍ଟନ ପାଇଁ ଧାର୍ଯ୍ୟ ହୋଇଛି, ତାହା ମଧ୍ୟ ସାରା ଦେଶରେ ଅନୁକରଣ କରାଯାଉନାହିଁ। ସାଧାରଣଲୋକେ ଦଳମତ ନିର୍ବିଶେଷରେ ଭଲ ଲୋକ ଗ୍ରାମାଞ୍ଚଳ ଲୋକଙ୍କୁ ସେବା ଯୋଗାଇବାର ପଥ ପ୍ରାୟତଃ ସଙ୍କୁଚିତ ହୋଇଯାଇଛି। ଏହାର ପରିଣତି କ’ଣ ହେବ, ତାହା ଭବିଷତ୍ୟ ହିଁ କହିବ।

ଦାମୋଦର ରାଉତ(ପୂର୍ବତନ ମନ୍ତ୍ରୀ)

Comments are closed.