ଅଦମ୍ୟ ସାହସର ପ୍ରତୀକ ଥିଲେ ବିଜୁ ପଟ୍ଟନାୟକ

ଆଠଗଡ ବିଜେପି ପକ୍ଷରୁ ବିଜୁ ପଟ୍ଟନାୟକ ଜୟନ୍ତୀ

ଆଠଗଡ : ଆଠଗଡ ବିଜୁ ଜନତା ଦଳ ଆନୁକୁଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଜନନାୟକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୫ତମ ଜନ୍ମ ଜୟନ୍ତୀ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ମହୋତ୍ସବ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ବିଜୁ ବାବୁ ଅଦମ୍ୟ ସାହସିକତାର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ। ବ୍ରିଟିଶ ଶାସନ ବିରୁଦ୍ଧରେ ତାଙ୍କର ନିର୍ଣ୍ଣାୟକ ଲଢେଇ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ। ଓଡିଆ ଜାତିର ଉନ୍ନତି ଏବଂ ଓଡିଶାର ବିକାଶ ଲାଗି ବିଜୁବାବୁଙ୍କର ଜୀବନ ବ୍ୟାପୀ ଉଦ୍ୟମ ତାଙ୍କୁ ପ୍ରତ୍ୟେକ ଓଡିଆଙ୍କ ଜନମାନସରେ ଶ୍ରେଷ୍ଠ ଜନନାୟକ ଭାବେ ସ୍ଥାନିତ କରିଛି। ବିଜୁବାବୁ ଧର୍ମ ନାମରେ ରାଜନୀତି ଭେଦଭାବକୁ ଘୃଣା କରୁଥିଲେ ଏବଂ ସିଏ ଥିଲେ ଧର୍ମ ନିରପେକ୍ଷ ରାଜନୀତିର ପଥ ପ୍ରଦର୍ଶକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ମହିଳା ମାନଙ୍କୁ ଆଗକୁ ଆଣିବା, ସେମାନଙ୍କୁ ସଶକ୍ତ ସ୍ୱାବଲମ୍ବୀ କରିବା ବିଜୁବାବୁଙ୍କର ସ୍ୱପ୍ନ ଥିଲା। ଭାରତରେ ବିଜୁବାବୁ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏକି ମହିଳାମାନଙ୍କ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାରେ ୩୩% ସ୍ଥାନ ସଂରକ୍ଷଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଥିଲେ। ବିଜୁବାବୁଙ୍କ ଆଦର୍ଶକୁ ପାଥେୟ କରି ତାଙ୍କର ସୁପୁତ୍ର ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ୭୦ଲକ୍ଷ ମହିଳାଙ୍କୁ ସାମିଲ କରି ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବାରେ ଅନେକାଂଶରେ ସଫଳ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହ ଜନ୍ମଜୟନ୍ତୀ ଅବସରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ବିଜେଡି ଉପସଭାପତି ନୃସିଂହ ମହାପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡା, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ବାସନ୍ତି ରାଉଳ, ଏନଏସି ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତା, ଜିଲ୍ଲା ପରିଷଦ ସଭ୍ୟା ଜାନକୀଲତା ନାୟକ, ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ପ୍ରଦୀପ୍ତ ଦାସ, ଶ୍ରମିକ ନେତା ଅଶୋକ ରାଉତ, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ବଳଭଦ୍ର ବାଘ, ସମବାୟବିତ୍ ଲଳିତେନ୍ଦୁ ସେନାପତି, ଏନଏସି ବିଜେଡି ସଭାପତି ଶିଶିର ମାନସିଂହ, ମହିଳା ନେତ୍ରୀ ସୌଦାମିନି ସାହୁ, ନଦୀକୂଳ ଅଞ୍ଚଳ ବିଜେଡି ନେତା ଦେବରାଜ ପ୍ରଧାନ ପ୍ରମୁଖ ଉଦ୍ବୋଧନ ଦେଇ ବିଜୁବାବୁଙ୍କର ଘଟଣା ବହୁଳ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଠଗଡ ବ୍ଲକର ପ୍ରାୟ ୫ହଜାର ବିଜେଡି କର୍ମୀ ଏହି ସମାବେଶରେ ଯୋଗ ଦେଇଥିଲେ। ଶେଷରେ ବିଜୁବାବୁଙ୍କ ରାଜନୈତିକ ଜୀବନ ଉପରେ ପର୍ଯ୍ୟବେସିତ ଏକ ବୃତ୍ତ ଚିତ୍ର ପ୍ରଦର୍ଶିତ କରାଯାଇଥିଲା।

Comments are closed.