ସରକାରଙ୍କ ଦୃଷ୍ଟି ଆଢୁଆଳରେ ସୌନ୍ଦର୍ଯ୍ୟପୂର୍ଣ୍ଣ ବୀଜାଖମନ ଡ୍ୟାମ୍

ଇକୋ ଟୁରିଜିମ ପାଇଁ ରହିଛି ଉକୃଷ୍ଟ ଭିତ୍ତିଭୂମି

ବଲାଙ୍ଗିର : ସବୁଜିମା ଭରା ବଲାଙ୍ଗିର ଜିଲା। କିନ୍ତୁ ଆଜି ମଧ୍ୟ ଏମିତି ଅନେକ ଜାଗା ରହିଛି ଯେଉଁଠି ବିକାଶ ହୋଇପାରି ନାହିଁ। ଯେଉଁ ଅଞ୍ଚଳକୁ ଟିକିଏ ସଜେଇ ଦେଲେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷଣ କରିପାରନ୍ତା। ଲୋକଙ୍କ ପାଇଁ ସବୁଦିନିଆ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରନ୍ତା। ହେଲେ ଉଭୟ ରାଜନୈତିକ, ପ୍ରଶାସନିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ସବୁ କିଛି ଭିତ୍ତିଭୂମି ଥାଇ ସୁଦ୍ଧା ଅବହେଳାର ଶିକାର ହୋଇଛି।

ବଲାଙ୍ଗିର ସହରର ଟିଟିଲାଗଡ ରାସ୍ତାରେ ପ୍ରାୟ ୪ କିମି ଦୂରରେ ରହିଛି ବିଜାଖମନ ଡ୍ୟାମ୍ । ଡ୍ୟାମ୍ ଦୁଇ ପାର୍ଶ୍ବ ସବୁଜିମାରେ ପରିପୂର୍ଣ୍ଣ। ଅତାଳ ତାଳ ପାଣି। ଖରା ଦିନରେ ମଧ୍ୟ ଶୁଖେ ନାହିଁ। ଡ୍ୟାମରୁ ଆଗକୁ ଚାହିଁଲେ ମଧ୍ୟ କେବଳ ପାଣି ହିଁ ପାଣି ଦିଶୁଛି। ସୁଲୁସୁଲିଆ ପବନ ସାଙ୍ଗକୁ ସବୁଜିମା ମାହୋଲରୁ ଜମା ଆସିବାକୁ ଇଚ୍ଛା ହୁଏନି। ମଠଖାଇ ପାଦ ଦେଶର ବିସ୍ତିର୍ଣ୍ଣ ସଂରକ୍ଷିତ ଜଙ୍ଗଲ ଯାଏଁ ଲମ୍ବି ଯାଇଥିବା ଡ୍ୟାମ କୌଣସି ଆକର୍ଷଣର କେନ୍ଦ୍ର ବିନ୍ଦୁ ଠାରୁ କମ ନୁହେଁ। ଏହା ସହ ଡ୍ୟାମର ସମ୍ମୁଖ ଭାଗରେ ଥିବା ଶିଳା ପଥରରେ ବହି ଆସୁଥିବା ପାଣିର କୁଳୁ କୁଳୁ ନାଦ ହରିଶଙ୍କରର ଝରଣାକୁ ମନେ ପକେଇ ଦିଏ। ଏହାର ସମ୍ମୁଖ ଭାଗ ଯେଉଁ ଭଳି ରହିଛି, ଯଦି ଏହାକୁ ଏକ ସୁନ୍ଦର ବଗିଚାରେ ପରିଣତ କରାଯାଏ। ତାହା ହେଲେ ଏହା ମଧ୍ୟ ଏକ ପର୍ଯ୍ୟଟନସ୍ଥଳୀ ହେବାରେ ବେଶି ସମୟ ଲାଗିବ ନାହିଁ। ଏହା ସହ ନଷ୍ଟ ହେଉଥିବା ପାଣିକୁ ସୁନ୍ଦର କୃତିରେ ଡେମ ନିର୍ମାଣ କରାଗଲେ ଏହା ଆଉ ଆକର୍ଷଣୀୟ ହୋଇ ପାରିବ ବୋଲି ପରିବେଶବିଦ୍‌ମାନେ ମତ ଦିଅନ୍ତି। ଡେମର ଉପର ଅଂଶରେ ପ୍ରାୟ ଦେଢ କିଲୋମିଟର ଯାଏଁ ସିଧା ଗାଢ ପାଣିର ଧାର ରହିଛି। ଏଠାରେ ଏକ ବୋଟିଂ ପାର୍କ ନିର୍ମାଣ କରାଯାଇ ପାରନ୍ତା ବୋଲି ଅରୁଣ କୁମାର ମିଶ୍ର ମତ ଦିଅନ୍ତି। ଏଠି ବିଶେଷ କରି ଅନେକ ପ୍ରକାର ଦେଶୀ ଓ ବିଦେଶୀ ପକ୍ଷୀ ଦେଖାଯାଉଛନ୍ତି। ମୋର ଜାଣିବାରେ ପ୍ରାୟ ଦେଢ ଶହରୁ ଉର୍ଦ୍ଧ୍ବ  ପ୍ରକାର ପକ୍ଷୀଙ୍କୁ ଚିହ୍ନଟ କରିଛି। ଏଥିରୁ ଅଧିକ ବି ହୋଇପାରନ୍ତି। ଶୀତ ଦିନରେ ଏମାନଙ୍କ ସଂଖ୍ୟା ବେଶୀ ରହିଥାଏ। ତେଣୁ ଏହାକୁ ଏକ ପକ୍ଷୀ ବିହାର କହିଲେ ଭୁଲ ହେବ ନାହିଁ। ଯଦି ଏହାକୁ ଇକୋ ପର୍ଯ୍ୟଟନସ୍ଥଳ ଭାବେ ପରିଣତ କରାଯାଇପାରନ୍ତା ତାହା ହେଲେ ବଲାଙ୍ଗିର ସହରର ଅନେକ ବେକାରୀ ଯୁବକ ନିଯୁକ୍ତିର ସୁଯୋଗ ପାଇପାରନ୍ତେ ବୋଲି ସହରର ଜଳାଶୟମାନଙ୍କ ପାଇଁ କାର୍ଯ୍ୟ କରୁଥିବା କରଙ୍ଗା କଟା ବଞ୍ଚାଅ ସମିତିର ଆବାହକ ପ୍ରଶାନ୍ତ ମହାକୁର ତାଙ୍କ ପ୍ରତିକ୍ରିୟାରେ କୁହନ୍ତି।

ପଡୋଶୀ ରାଜ୍ୟମାନେ ଇକୋ-ଟୁରିଜିମକୁ ବିଶେଷ ଭାବେ ଧ୍ୟାନ ଦେଉଥିବାରୁ ସେଠାକୁ ବିଭିନ୍ନ ଋତୁରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଯେଉଁ ଅଞ୍ଚଳରେ ଏଭଳି ବିକାଶ କରାଯାଉଛି ସେ ଅଞ୍ଚଳ ଓ ସେହି ଅଞ୍ଚଳରେ ବାସ କରୁଥିବା ବାସିନ୍ଦାଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ଜୀବନଧାରଣ ଶୈଳୀରେ ପରିବର୍ତ୍ତନ ହେଉଛି। ଠିକ ସେହିପରି ବଲାଙ୍ଗିର ସହରର ମାତ୍ର ଚାରି ପାଞ୍ଚ କିମି ଦୂରରେ ଏଭଳି ଅନେକ ସ୍ଥାନ ରହିଥିବା ବେଳେ ତାହା ସରକାରଙ୍କ ନଜର ଅଢୁଆଳରେ ରହି ଯାଉଛି। ବଲାଙ୍ଗିର ପୌର ପରିଷଦ, ଜଙ୍ଗଲ ବିଭାଗ, ଏମଆଇ ବିଭାଗ, ଜିଲା ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମ ହେଲେ ଏଭଳି ଅନେକ ଜାଗାର ବିକାଶ ହୋଇପାରନ୍ତା। ସମନ୍ୱୟ ଓ ସହଭାଗିତା ଅଭାବ ଯୋଗୁଁ ବଲାଙ୍ଗିର ଇକୋ-ଟୁରିଜିମ କ୍ଷେତ୍ରରେ ପଛେଇ ଯାଉଛି ବୋଲି ସଚେତନ ମହଲରେ ମତପ୍ରକାଶ ପାଉଛି।

Comments are closed.