ବିଜାଖମନ ଓ ତୁଷୁରା କାମ ନେଇ ଠିକାଦାରଙ୍କ ଅଡୁଆ ବଢୁଛି!

-କାମ ବନ୍ଦ କରାଇବା ନେଇ ସଂଘ ବିରୋଧରେ ଅଭିଯୋଗ 

ବଲାଙ୍ଗିର : ବଲାଙ୍ଗିର ପୌରାଞ୍ଚଳ ଓ ତୁଷୁରା ଏନ୍ଏସି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ କରାଯାଉଛି। ତେବେ ଏହି ଦୁଇ ଅଞ୍ଚଳରେ ଏବେ ବି କିଛି ଅଞ୍ଚଳ ଏମିତି ରହିଛି ଯେଉଁଠି ପାନୀୟ ଜଳ ପହଞ୍ଚି ପାରୁ ନାହିଁ। ତେଣୁ ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ତୁଷୁରା ଏନ୍ଏସିରେ ଓଭର୍ ହେଡ୍ ଟେଙ୍କ ଓ ପାଇପ୍ ଲାଇନ୍ ବିଛାଇବା ପାଇଁ ୧କୋଟି ୫୮ଲକ୍ଷ ଟଙ୍କା ଓ ବଲାଙ୍ଗିର ସହରର ବିଜାଖମନରେ ୧କୋଟି ୭୭ଲକ୍ଷ ଟଙ୍କାରେ ଓଭର୍ ହେଡ୍ ଟେଙ୍କ, ପାଇପ୍ ବିଛାଇବା ଭଳି କାମ ପାଇଁ ମଞ୍ଜୁର ହୋଇଥିଲା। ଏହି କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା।

ବଲାଙ୍ଗିର ଠିକାଦାର ସଂଘର ନିଷ୍ପତ୍ତି ଅନୁସାରେ, ନିର୍ମାଣ କାମରେ ବ୍ୟବହାର ହେଉଥିବା ଲୁହା ଛଡ, ଚିପ୍ସ, ବାଲି ଏଭଳି ବିଭିନ୍ନ ସାମଗ୍ରୀର ଦାମ୍ ବୃଦ୍ଧି ହୋଇଛି। ହେଲେ ୨୦୧୪ ମସିହାରୁ ସାମଗ୍ରୀର ଦାମ୍ ସରକାରୀ ହିସାବରେ ଯାହା ଥିଲା ତାହା ଅଛି। ସଂଶୋଧନ କରାଯାଉ ନାହିଁ। ତେଣୁ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଲେ କେହି ବ୍ୟୟ ଅଟକଳଠାରୁ କମ୍ରେ ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନର ଦାମ୍ ଅନୁସାରେ ହିଁ ଟେଣ୍ଡରରେ ସାମିଲ ହେବାକୁ ସ୍ଥିର ହୋଇଥିଲା। ତେବେ ଜିଲା ବାହାରର ‘ବି’ କ୍ଲାସ୍ ଠିକାଦାର ତପସ୍ୱିନୀ ବିଶ୍ୱାଳ ବ୍ୟୟ ଅଟକଳଠାରୁ କମ୍ ରେଟ୍ରେ ଟେଣ୍ଡର ପକାଇ ତୁଷୁରା ଓ ବିଜାଖମନର କାମ ପାଇଥିଲେ। ତେବେ ଏହି କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ୨ ଦିନ ତଳେ ବଲାଙ୍ଗିର ଠିକାଦାର ସଂଘର କର୍ମକର୍ତ୍ତା ଅଭିଯୋଗ କରିଥିଲେ। ନିୟମ ଅନୁସାରେ, ସରକାରୀ ଅନୁମୋଦିତ ପ୍ରକଳ୍ପ କାମରେ ଆଇଏସ୍ଆଇ ମାର୍କ ଲାଗିଥିବା ପ୍ରତିଷ୍ଠିତ କମ୍ପାନୀର ଲୁହା ଛଡ଼ ବ୍ୟବହାର କରାଯିବା କଥା। ପାଇପ୍ ଲାଇନ୍ ବିଛାଇବା ପାଇଁ ୩ ଫୁଟ ଗଭୀର କରାଯିବାର ନିର୍ଦ୍ଦେଶନାମା ରହିଛି। କିନ୍ତୁ ଏସବୁକୁ ଅଣଦେଖା କରି ମନଇଚ୍ଛା କାମ କରାଇ ନେବାକୁ ଯୋଜନାବଦ୍ଧ ଭାବେ ଉଦ୍ୟମ କରିଥିଲେ ଠିକା ପାଇଥିବା ତଥା କାମ ଦେଖା ରେଖା କରୁଥିବା ଶ୍ରୀମତୀ ବିଶ୍ୱାଳଙ୍କ ସ୍ୱାମୀ ତପନ ବିଶ୍ୱାଳ ବୋଲି ଜିଲା ଠିକାଦାର ସଂଘ ଅଭିଯୋଗ କରିଛି। ତେବେ ଏହି ପ୍ରକଳ୍ପ କାମ ଦେଖୁଥିବା ମୁନ୍ସି ଭିନ୍ନ କଥା କହିଛନ୍ତି। ତାଙ୍କ କହିବା ଅନୁସାରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ବେହେରା ସେମାନଙ୍କ ଖର୍ଚ୍ଚ ଆଦି ବୁଝନ୍ତି। ସହକାରୀ ଯନ୍ତ୍ରୀ ହେଲେ ସରକାରୀ ବାବୁ। ସେ କାମ କେମିତି ମାନ ଓ ଗୁଣବର୍ତ୍ତା ଦେଖିବେ। ସେ କେମିତି ଖର୍ଚ୍ଚ ବୁଝନ୍ତି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ଅନ୍ୟପଟେ ଯନ୍ତ୍ରୀ ଶ୍ରୀ ବେହେରା କହୁଛନ୍ତି ଯେ, ମୁନ୍ସି କହୁଥିବା କଥା ସବୁ ମିଛ। ସେ ଦାୟିତ୍ୱରେ ଥିବାରୁ କାମ ତଦାରଖ କରନ୍ତି। ମୁନ୍ସି ଠିକ୍ ନା ସହକାରୀ ଯନ୍ତ୍ରୀ ଶ୍ରୀ ବେହେରା ଠିକ୍ ତାହା ମା’ ଗଙ୍ଗେ ଜାଣନ୍ତି!

ବଲାଙ୍ଗିର ବିଜାଖମନ ଓଭର୍ହେଡ୍ ଟ୍ୟାଙ୍କ କାମରେ ବଲାଙ୍ଗିର ଠିକାଦାର ସଂଘ ହସ୍ତକ୍ଷେପ କରି କାମ ବନ୍ଦ କରାଇଥିବା ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କଠାରେ ଅଭିଯୋଗ ହୋଇଛି। ଆଗାମୀ ଦିନରେ ଠିକାଦାରଙ୍କ ମଧ୍ୟରେ ଥିବା ଲେସ୍ ଓ ରେଟ୍କୁ ନେଇ ଛକାପଂଝା ଜୋରଦାର ହେବାର ସମ୍ଭାବନା ରହିଛି। ତୁଷୁରା ଓ ବିଜାଖମନରେ ହେଉଥିବା ପ୍ରକଳ୍ପ କାମ ସରକାରୀ ନିୟମ ଅନୁସାରେ ହେଉଛି କି ନାହିଁ ତା’ ଉପରେ ସବୁଠୁ ବେଶୀ ଆଖି ସ୍ଥାନୀୟ ଠିକାଦାରଙ୍କର। ତାହା କାମ ପାଇଥିବା ଠିକାଦାର ତଥା ବୋଲହାକ କରୁଥିବା ବାବୁମାନଙ୍କ ପାଇଁ ଅଡୁଆ ହେବ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଠିକାଦାରଙ୍କ ଏହି ବିବାଦରେ ରାଜନେତାଏ ବି ନୀରବ। ପ୍ରକଳ୍ପ କାମ ଠିକ୍ ଭାବେ ହେଉଛି କି ନାହିଁ ତାହା ନିର୍ବାଚିତ ପ୍ରତିନିଧିମାନେ ତଦାରଖ କରିବାକୁ ଦାବି ହେଉଛି। କେବଳ ସେତିକି ନୁହେଁ, କାମ ପାଇଥିବା ଠିକା ସଂସ୍ଥା ପୂର୍ବରୁ ମଧ୍ୟ ଅନେକ କାମ କରିଛି। ସେହି କାମ ବି ନିମ୍ନମାନର। ସରକାରୀ ଗାଇଡ୍ ଲାଇନ୍ କ’ଣ କହୁଛି ଓ ପୂର୍ବ କାମ କେମିତି କରାଯାଇଛି ତାହା ଯାଞ୍ଚ କରାଯାଉ ବୋଲି ଦାବି ହେଲାଣି ଠିକାଦାର ମହଲରେ। ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ତେବେ ଠିକାଦାରଙ୍କ ଦସ୍ତାବେଜ ଦେଇ ସରକାରୀ ବାବୁମାନେ ବି ଜଣେ ଜଣେ ପୋଖତ ପର୍ଦ୍ଦା ପଛର ଠିକାଦାର ପାଲଟିଥିବା ଅଭିଯୋଗର ସତ୍ୟତା ଯାଞ୍ଚ ଜରୁରୀ।

Comments are closed.